October 2, 2026

ମାଲକାନଗିରିରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ: ୬ ଜଣ ବରିଷ୍ଠ ନାଗରିକ ସମ୍ବର୍ଦ୍ଧିତ

IMG-20261001-WA0060
Share

 

 

*ମାଲକାନଗିରି,୧/୧୦/୨୬:*

 

ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମାଲକାନଗିରି ଆନୁକୂଲ୍ୟରେ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ସମାରୋହ ଆଡମ୍ବର ସହକାରେ ପାଳିତ ହୋଇଯାଇଛି।

 

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମାରୋହର ଉଦ୍‌ଘାଟନ କରିଥିଲେ। ବରିଷ୍ଠ ନାଗରିକମାନଙ୍କ ସମାଜ ପ୍ରତି ଅବଦାନ ଓ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଆଲୋକପାତ କରି ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ ବରିଷ୍ଠ ନାଗରିକମାନେ ଆମ ସମାଜର ମାର୍ଗଦର୍ଶକ ଓ ଅଭିଭାବକ। ସେମାନଙ୍କ ଅନୁଭବ, ଜ୍ଞାନ ଓ ଆଶୀର୍ବାଦ ସମାଜକୁ ସଠିକ ଦିଗଦର୍ଶନ ଦେଇଥାଏ। ସେମାନଙ୍କର ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଆଇନଗତ ଅଧିକାର ସୁନିଶ୍ଚିତ କରିବା ସହ ସେମାନଙ୍କୁ ସମ୍ମାନଜନକ ଜୀବନଯାପନର ପରିବେଶ ଯୋଗାଇଦେବା ଜିଲ୍ଲା ପ୍ରଶାସନର ପ୍ରାଥମିକତା।

 

ଏହି ସମାରୋହରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ସୁଶ୍ରୀ ସଙ୍ଗୀତା ପାତ୍ର, ମାଲକାନଗିରି ବିଧାୟକଙ୍କ ପ୍ରତିନିଧି ନିହାର ରାୟ, ଜିଲ୍ଲା ବରିଷ୍ଠ ନାଗରିକ ସଂଗଠନର ସମ୍ପାଦକ ଅଶୋକ ସାମଲ, ଉପଦେଷ୍ଟା ରବିନ୍ଦ୍ର କୁମାର ମହାରଣା ଏବଂ ଜିଲ୍ଲା ସଦର ଚିକିତ୍ସାଳୟର ମେଡିସିନ ବିଶେଷଜ୍ଞ ଡକ୍ଟର ବାସନ୍ତୀ ହାଁସଦା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ଆଲୋଚନା କରିଥିଲେ।

 

ଦିବସ ପାଳନ ଅବସରରେ ସକାଳ ୭ ଘଟିକାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ଏହାପରେ ସ୍ଥାନୀୟ ପାଠାଗାର ପରିସରରେ ବୃକ୍ଷରୋପଣ, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ଏକ ସଚେତନତା ପଦଯାତ୍ରା ସଂଗଠିତ ହୋଇଥିଲା। ପୂର୍ବାହ୍ନ ୧୧ ଘଟିକାରେ ଆୟୋଜିତ ସାଧାରଣ ସଭାରେ ଆଇନଗତ ସଚେତନତା କର୍ମଶାଳା ସହ ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଶପଥ ପାଠ କରାଯାଇଥିଲା।

 

କାର୍ଯ୍ୟକ୍ରମର ଶେଷ ଭାଗରେ ମନୋଜ୍ଞ ଭଜନ ସମାରୋହ ଆୟୋଜିତ ହୋଇଥିଲା ଏବଂ ବିଭିନ୍ନ ସାମାଜିକ କ୍ଷେତ୍ରରେ ଅତୁଳନୀୟ ଯୋଗଦାନ ପାଇଁ ୬ ଜଣ ବରିଷ୍ଠ ନାଗରିକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।

 

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିବା ବେଳେ ବିଭାଗୀୟ କର୍ମଚାରୀ ଓ ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଦସ୍ୟବୃନ୍ଦ ସକ୍ରିୟ ସହଯୋଗ କରିଥିଲେ।

You may have missed