ରଙ୍ଗ ଫରୁଆ ପକ୍ଷରୁ ନୁଆଁଖାଇ ହୁହାର ଭେଟ …
ରଙ୍ଗ ଫରୁଆ ପକ୍ଷରୁ ନୁଆଁଖାଇ ହୁହାର ଭେଟ
କ୍ଷେତେଁ ଧାନ୍ ଥିବାର୍ ତକ୍ ନୂଆଁଖାଇ ଜୁହାର୍ ଭେଟ୍ ହେସି -ଡ଼ଃ. ସପନ ମିଶ୍ର
ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ନୁଆଁଖାଇକୁ ନେଇ ସବୁବେଳେ ଐତିହ୍ୟର ନୁଆଁ ବାର୍ତ୍ତା ଆସିଥାଏ।ସଂସ୍କୃତି ଗବେଷକ ଡ଼ଃ. ସପନ ମିଶ୍ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ଏକ ବାର୍ତ୍ତା ଦେଇଛନ୍ତି, ଯାହା ଗୋଟିଏ ଅଞ୍ଚଳର ଜୀବନ ଦର୍ଶନ କୁହାଯିବ।
ସମ୍ବଲ୍ପୁରର ‘ରଙ୍ଗ ଫରୁଆ’ ଅନୁଷ୍ଠାନ୍ ପକ୍ଷରୁ ମାଝିପାଲି ଠାରେ ‘ନୂଆଁଖାଇ ଜୁହାର୍ ଭେଟ୍’ ଉତ୍ସବରେ ଏଭଳି ଏକ ସ୍ପଷ୍ଟ ବାର୍ତ୍ତା ସାମ୍ନାକୁ ଆସିଛି।ଅନୁଷ୍ଠାନର ସଂପାଦକ ଗୁରୁ ଦୁର୍ଗାପ୍ରସାଦ ଦାଶ ଙ୍କର୍ ସଂଯୋଜନାରେ ଅନୁଷ୍ଠିତ ଏହି ଜୁହାର୍ ଭେଟ୍ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶ୍ବ,ଅତାବିରାର ବିଧାୟକ ନିହାର ମହାନନ୍ଦ,ସଂସ୍କୃତି ଗବେଷକ ଡ. ସପନ ମିଶ୍ର,’ଶଲାବୁଢ଼ା’ ସିନେମାର ଅଭିନେତ୍ରୀ ରୋଜୀ ଷଡ଼ଙ୍ଗୀ,ସାଧକ ସଦାନନ୍ଦ ପଣ୍ଡା ଓ ଅନ୍ୟାନ୍ୟ ଅତିଥିମାନେ ଯୋଗ ଦେଇଥିଲେ। ଏଥିରେ ରଂଗାରଂଗ ସମ୍ବଲପୁରୀ ନୃତ୍ୟଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଅତିଥି ବକ୍ତାମାନେ ନୂଆଁଖାଇର ଭିନ୍ନ ଭିନ୍ନ ବାର୍ତ୍ତା ଦେଇଥିଲେ। ଡ. ସପନ ମିଶ୍ର ନୂଆଁଖାଇ ଜୁହାର୍ ଭେଟ୍ କେତେଦିନ ପର୍ଯ୍ୟନ୍ତ ଚାଲିପାରିବ ତା ବାବଦରେ ତର୍କଭିତ୍ତିକ ଉପସ୍ଥାପନ କରିଥିଲେ। ସେ କହିଥିଲେଯେ ଯେତେଦିନ ପର୍ଯ୍ୟନ୍ତ ଖେତରେ ଧାନ ଅମଳ ନ ହୋଇ ରହିଥିବ,ସେତେଦିନ ପର୍ଯ୍ୟନ୍ତ ନୂଆଁଖାଇ ଜୁହାର୍ ଭେଟ୍ ଅନୁଷ୍ଠିତ ହୋଇ ପାରିବ। ନୂଆଁଖାଇର୍ ନୂଆଁକରି ଗୁରସ ଧରୁଥିବା ଶସ୍ୟ ବା ଧାନର୍ ଚାଉଳକୁ ପୂଜା କରାଯାଇଥାଏ। ଅର୍ଥାତ ଅମଳ ହୋଇନଥିବା ଖେତରେ କ୍ଷୀର ଧରୁଥିବା ଧାନ ଆଉ କିଛି ମାସ ପରେ ଶୁଭ ଶୁଭରେ ଉତ୍ପାଦିତ ହୋଇ ବର୍ଷକର ଆହାର ହୋଇ ସମସ୍ତଙ୍କ କ୍ଷୁଧା ନିବାରଣ କରୁ ବୋଲି ପ୍ରର୍ଥନା କରାଯଇଥାଏ। ପରେ ପରେ ଜୁହାର ଭେଟ୍ର ପରମ୍ପରା ରହିଛି। ଜୁହାର ଭେଟରେ “ଜିଇଁ ଜାଗିଥିଲେ ବଛର୍” ବଲି କହିବାର ଲୋକୋକ୍ତି ରହିଛି। ତେଣୁ ନୂଆଁଖାଇ ଜୁହାର ଭେଟରେ ସମସ୍ତ ମାନବଙ୍କ ପାଇଁ ମୂଖ୍ୟ ଆହାର ଧାନ ବା ଚାଉଳର ସୂଚାରୁ ଅମଳ ପାଇଁ ସମର୍ପଣ,କୃତଜ୍ଞତା ଓ ଆବାହନର ପର୍ବ ନୂଆଁଖାଇ ବୋଲି ଡ.ମିଶ୍ର କହିଥିଲେ। କ୍ଷେତରେ ଗୋରସ ଢାଳି ପୂଜା କରିବା ଓ କୌଣସି ପଶୁପକ୍ଷୀ ଆଦି ଅଇଁଠା କରି ନ ଥିବା ଧାନକୁ ନୈବେଦ୍ୟ କରିବା ହିଁ ଶସ୍ୟର ଦେବୀ ଶାକମ୍ବରୀଙ୍କଠାରେ ପୂଜାର୍ଚ୍ଚନା କରିବା,ଯାହା ‘ଚଣ୍ଡୀ ପୁରାଣ’, ‘ଦୁର୍ଗା ଶତ ଚଣ୍ଡୀ’ ରେ ଉଲ୍ଲିଖିତ। ଶାକମ୍ବରୀ,ଶତାକ୍ଷୀ ଦେବୀ ମାନବକୁ ରକ୍ଷା କରିଥିଲେ, ଦୁର୍ଭିକ୍ଷ,ଅନାଟନ,ମରୁଡ଼ି ରୂପକ ଦୁର୍ଗମାସୁରକୁ ବଧ କରି, ଜଳପ୍ଲାବନ କରି,ଶସ୍ୟ ଉପୁଜାଇ। ତେଣୁ ପ୍ରାୟତ ମାର୍ଗଶିର ମାସ ପର୍ଯ୍ୟନ୍ତ ଧାନ ଅମଳ ହୋଇ ଯାଇଥାଏ ଓ ଗୁରୁବାର ଲକ୍ଷ୍ମୀପୂଜା କରି ଘରକୁ ଧାନ ଅଣା ସରିଯାଇଥାଏ। ଭାଦ୍ରବରେ ଶାକମ୍ବରୀ,ଶତାକ୍ଷୀ,ମାର୍ଗଶିରରେ ମହା ଲକ୍ଷ୍ମୀ ଓ ଅଶ୍ବିନରେ ଦୁର୍ଗା ପୂଜା ପାଆନ୍ତି। ନୂଆଁଖାଇ ତେଣୁ ଶସ୍ୟ ଆରାଧନାର ପର୍ବ।ଏଭଳି ତଥ୍ୟ ଭିତ୍ତକ ବାର୍ତ୍ତା ଦେଇ ଡ଼ଃ ସପନ ସଂହତି ଓ ଐତିହ୍ୟର ସମାଜକୁ ନୁଆଁ ଦର୍ଶନ ଦେଇଛନ୍ତି।