ସମାନ କାମକୁ ସମାନ ମଜୁରୀ ଓ ସର୍ବନିମ୍ନ ମଜୁରୀ ଆଇନର ଉଲଂଘନକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
ବ୍ରହ୍ମପୁର(ନୁରୁଲ୍ ମଲ୍ଲିକ)ଦାଦନ ଖଟୁଥିବା ରାଜ୍ୟକୁ ଯିବେ ସରକାର ଏହା ସ୍ୱାଗତଯୋଗ୍ୟ । ଏହା ଦାଦନ ମୁକ୍ତ ହେବାରେ ସହାୟକ ହେବ ବୋଲି ଆଶ କରିବା ବୃଥା । ସରକାର ପରେ ସରକାର ବଦଳୁଛନ୍ତି କିନ୍ତୁ ରାଜ୍ୟରେ ସମାନ କାମକୁ ସମାନ ମଜୁରୀ ପ୍ରଦାନ କରାଯାଉନାହିଁ ଏବଂ ସର୍ବନିମ୍ନ ମଜୁରୀ ଆଇନ ୧୯୪୮ର ଖୋଲାଖୋଲି ଉଲଘଂନ ହେଉଛି । ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ, ସିକ୍ୟୁରିଟି କର୍ମଚାରୀ ଆଦିଙ୍କୁ ସ୍ଥାୟୀ ନିଯୁକ୍ତି ବଦଳରେ ଏଜେନ୍ସି ଜରିଆରେ ଠିକା ନିଯୁକ୍ତି ଦେଇ ଶ୍ରମ ଶୋଷଣ କରାଯାଉଛି । ଅସ୍ଥାୟୀ କ୍ଷେତ୍ର ସପିଂମଲ, ରାଇସମିଲ, ବ୍ରଏଲାର ଫାର୍ମ, ମାର୍ବଲ ଓ ଟାଇଲ ଦୋକାନ, ଇଟାଭାଟି, ସିମେଣ୍ଟ ଦୋକାନ, ଲୁଗା ଦୋକାନ ଆଦି ପ୍ରତିଷ୍ଠାନ ଏବଂ ନିର୍ମାଣକ୍ଷେତ୍ରରେ କାମକରୁଥିବା ଶ୍ରମିକଙ୍କ ଶ୍ରମ ଶୋଷଣ ଚରମ ସୀମାରେ । ସର୍ବନିମ୍ନ ମଜୁରୀ ଆଇନ ୧୯୪୮, ସମାନ ମଜୁରୀ ଆଇନ ୧୯୭୬ (ପୁରଷ ଓ ମହିଳାଙ୍କ ନିମନ୍ତେ ସମାନ କାମକୁ ସମାନ ମଜୁରୀ), ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଆଇନ ୧୯୫୨, ମଜୁରୀ ପୈଠ ଆଇନ୧୯୩୬ କୁ ଖୋଲାଖୋଲି ଉଲଘଂନ କରୁଛନ୍ତି । ସେଦିଗରେ ପଦକ୍ଷେପ ନେବା ବଦଳରେ କର୍ପୋରେଟ ସ୍ୱାର୍ଥରେ ଶ୍ରମିକ ବିରୋଧି ୪ ଟି ଶ୍ରମ ସଂହିତା କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟବାସୀଙ୍କ ଠାରୁ ଅଧିକ ଟିକସ ଆଦାୟ କରିବା ପାଇଁ ନୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ଘୋଷଣା ହେଉଛି କିନ୍ତୁ ଏଥିରେ ସେବା ପ୍ରଦାନ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ଭବିଷ୍ୟତ ପାଇଁ ନିଘା ନାହିଁ । ସେହିପରି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନ ୨୦୦୫ ଅନୁଯାୟୀ ଗ୍ରାମାଞ୍ଚଳର ଆର୍ଥିକ ଦୁର୍ବଳବର୍ଗର ଶ୍ରମିକଙ୍କୁ ବାର୍ଷିକ ୧୦୦ ଦିନର କାମ ଯୋଗାଇବା ବଦଳରେ ପ୍ରତିବର୍ଷ ବ୍ୟୟ ବରାଦକୁ ହ୍ରାସ କରି ଯୋଜନାକୁ ଅଧିକ ବାଟବଣା କରାଯାଉଛି । ନରେଗା ଶ୍ରମିକଙ୍କ ହାତକୁ କାମ ଯୋଗାଇବା ବଦଳରେ ମେସିନ ବ୍ୟବହାର, ନିର୍ଦ୍ଦାରିତ ମଜରୀୁ ଠାରୁ ବହୁ କମ ମଜୁରୀ ପ୍ରଦାନ କରି ହରିଲୁଟ କରାଯାଉଛି । କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ, ଅସଂଗଠିତ ଶ୍ରମିକଙ୍କ ପଞ୍ଜିକରଣ ଓ କଲ୍ୟାଣ ପାଣ୍ଠିରୁ ଆବେଦନ କରୁଥବା ଶ୍ରମିକଙ୍କୁ ସହାୟତା ପ୍ରଦାନ କ୍ଷେତ୍ରରେ ବର୍ଷ ବର୍ଷ ଲାଗିବା, ଡିଜିଟାଲ ଇଣ୍ଡିଆର ବାସ୍ତବ ରୁପରେଖ ଆଦି ଦିଗରେ ପଦକ୍ଷେପ ନନେଇ ଦାଦନ ସମସ୍ୟା କିପରି ରୋକିବେ?
ଶ୍ରମିକଙ୍କ ହାତକୁ କାମ, ସମାନ କାମକୁ ସମାନ ମଜୁରୀ, ସମସ୍ତ ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରିବା ସହ ଆଠ ଘଣ୍ଟା କାମ, ଛୁଟି ଓ ସାମାଜିକ ସୁରକ୍ଷା ପ୍ରଦାନ କଲେ ରାଜ୍ୟରେ ଶ୍ରମିକ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ତତ୍ସହିତ ମନରେଗା ଶ୍ରମିକଙ୍କ ପରିବାର ରୁ ଅତି କମରେ ୨ ଜଣଙ୍କୁ ବର୍ଷ ସାରା କାମ ଯୋଗାଇବା, ଠିକା ନିଯୁକ୍ତିକୁ ସଂପୂର୍ଣ୍ଣ ରଦ୍ଦ କରି ସ୍ଥାୟୀ ନିଯୁକ୍ତି, ଶ୍ରମିକ ବିରୋଧି ୪ ଶ୍ରମ ସଂହିତାର ପ୍ରତ୍ୟାହାର, ମାସିକ ସର୍ବନିମ୍ନ ମଜୁରୀ ୩୧,୦୦୦ଟଙ୍କାକୁ ବୃଦ୍ଦି କରିବା, ଶ୍ରମ ଆଇନର ଉଲଘଂନ କାରୀ ପ୍ରତିଷ୍ଠାନ, ମାଲିକ, ଠିକାଦାରଙ୍କ ବିରୁଦ୍ଧରେ ଦୃଦ୍ଧ କାର୍ଯ୍ୟାନୁଷ୍ଠାନ, କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ, ମନରେଗା ଶ୍ରମିକ, ସମସ୍ତ ଅସଂଗଠିତ ଶ୍ରମିକଙ୍କୁ ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର ରଣନୀତି, ଆବେଦନର ୩୦ ଦିନ ମଧ୍ୟରେ ପଞ୍ଜିକରଣ ଓ ସହାୟତା ପ୍ରଦାନ, ଶ୍ରମ ବିଭାଗରେ ଆବଶ୍ୟକୀୟ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ନିଯୁକ୍ତି, ଡିଜିଟାଲ ଇଣ୍ଡିଆର ବାସ୍ତବିକ ରୁପରେଖ ଆଦି ପଦକ୍ଷେପ ହିଁ ଦାଦନ ରୋକିବା ପାଇଁ ସହାୟକ ହେବ । ପ୍ରବାସୀ ଶ୍ରମିକଙ୍କ ପାଇଁ ଆଇନଗତ ସୁରକ୍ଷା ଏବଂ ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ପାଇଁ କାମ କରୁଥିବା ବିଶେଷଜ୍ଞ ଓ ଶ୍ରମିକଙ୍କ ବିସ୍ତୃତ ମତାମତ ଅନେକ ସହାୟକ ହୋଇପାରିବ । ଶ୍ରମ ଆଇନର ଉଲଘଂନ କାରୀ ବିରୁଦ୍ଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ୧୦ ସେପ୍ଟେମ୍ବର ୨୦୨୫ରେ ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହେବ ।
ଏହି ସାମ୍ବାଦିକ ସମ୍ମିଳନୀରେ ଟିୟୁସିଆଇର ରାଜ୍ୟ ସଂପାଦକ ଶଙ୍କର ଇନକିଲାବ, ଓଡିଶା ମନରେଗା ଶ୍ରମିକ ୟୁନିଅନର ନେତ୍ରୀ ପି ପାର୍ବତୀ, ଓଡିଶା ନିର୍ମାଣ ଶ୍ରମିକ ୟୁନିଅନର ରାମଚନ୍ଦ୍ର ବାଡତ୍ୟା, ଯଶୋଦା ନାୟକ ଆଦି ଉପସ୍ଥିତ ଥିଲେ ।
ଶଙ୍କର ଇନକିଲାବ, ରାଜ୍ୟ ସଂପାଦକ, ଟି.ୟୁ.ସି.ଆଇ, ସଂପର୍କ- ୯୪୩୭୨୬୩୨୧୧
