November 26, 2024

ଗୋଲିଆଠୁ ତାଳସର ରାସ୍ତାର ଅବସ୍ଥା ଶୋଚନୀୟ , ତେଜୁଛି ଅସନ୍ତୋଷ, ପ୍ରତିକାର ଦାବି 

Share

ବୁଗୁଡ଼ା : ତା ୦୧/୦୯/୨୪ : ଦେଶ ସ୍ବାଧୀନତାର ଦୀର୍ଘ ୭୭ ବର୍ଷ ବିତିଯାଇଥିଲେ ବି ନିଜ ଗାଁକୁ ଭଲ ରାସ୍ତାଟିଏ ପାଇପାରି ନାହାନ୍ତି ଲୋକେ । ଖରା ଓ ଶୀତ ଦିନରେ ଖାଲ ଢେପରେ ପଡି ଲୋକେ ଗାଁକୁ ଯାଉଥିବା ବେଳେ ବର୍ଷା ଦିନେ ଭୋଗୁଛନ୍ତି ଯମଯନ୍ତ୍ରଣା । ପ୍ରାଶାସନିକ ଉଦାସୀନତା ଓ ନେତାଙ୍କ ଅପାରଗତା ଯୋଗୁଁ ତିନି ଖଣ୍ଡ ଗାଁର ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା। ଏଭଳି ଅତ୍ଯନ୍ତ ଶୋଚନୀୟ ଅବସ୍ଥାରେ ରହିଥିବା ରାସ୍ତାର ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡା ବ୍ଲକ ଗୋଲିଆ ପଞ୍ଚାୟତରେ । ପ୍ରକାଶ ଯେ, ଗୋଲିଆ ଗ୍ରାମ ଉପକଣ୍ଠସ୍ଥ କୋଇଲୁଣ୍ଡି ଛକଠାରୁ ମରେଇପଲ୍ଲୀ ଓ ଡାହାଣୀପଲ୍ଲୀ ଗାଁ ଦେଇ ତାଳସର ଗ୍ରାମକୁ ଯାଇଥିବା ରାସ୍ତାର ଅବସ୍ଥା ଦୟନୀୟ ହୋଇପଡିଛି। ଏ ନେଇ ଏହି ତିନିଗୋଟି ଗାଁରେ ଲୋକେ ଅନେକ ଥର ଗୁହାରି କରିଥିଲେ ମଧ୍ୟ ସ୍ଥାନୀୟ ବ୍ଲକ୍ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହେଉଛି। ଗତ ବର୍ଷ ଅଗଷ୍ଟ ମାସ ୨୮ ତାରିଖ ଦିନ ଏହି ରାସ୍ତା ଯୋଗୁଁ ହିନସ୍ଥା ହେଉଥିବା ଗ୍ରାମବାସୀମାନେ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ କରି ରାସ୍ତା ତିଆରି ନକଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଥିଲେ । ବିଡିଓ ବାବୁ ରାସ୍ତା ନିର୍ମାଣର ଆଶ୍ବାସନା ଦେଇ ଲୋକଙ୍କୁ ଫେରାଇ ଦେଇଥିଲେ ଏବଂ ପରବର୍ତ୍ତୀ ନିର୍ବାଚନ ସମୟରେ ନେତାଗଣଙ୍କ ମିଥ୍ଯା ପ୍ରତିଶ୍ରୁତିରେ ଭଳିଯାଇ ଲୋକେ ଭୋଟ ମଧ୍ୟ ଦେଇଥିଲେ । ଭୋଟ ସରିଯାଇ ସରକାର ବଦଳି ଯାଇଥିଲେ ସୁଦ୍ଧା ସେହି କଦର୍ଯ୍ୟ ରାସ୍ତାର ଅବସ୍ଥା ବଦଳିଲା ନାହିଁ କି ଗାଁ ଲୋକଙ୍କ ଦୁର୍ଦ୍ଦଶା ଦୂର ହେଲାନାହିଁ। ବର୍ଷା ଦିନେ ସେହି ପାଣିଭରା ଖାଲଖମା ରାସ୍ତାରେ ଯାନବାହାନ ଚଳାଚଳ କଷ୍ଟକର ହେଉଥିବା ବେଳେ ଗୋଲିଆ ଗ୍ରାମସ୍ଥ ହାଇସ୍କୁଲରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ପଢୁଥିବା ଛାତ୍ରଛାତ୍ରୀ ଏବଂ ଭତ୍ତା ଓ ରାସନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାଆସିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ଅନ୍ଯପକ୍ଷରେ ବିପଦ ସମୟରେ ଆମ୍ବୁଲାନ୍ସ ମରେଇପଲ୍ଲୀ ଗାଁ ପାଖକୁ ଯାଇପାରୁଥିବା ବେଳେ ଅନ୍ୟ ଦୁଇ ଗାଁକୁ ଯାଇ ନପାରି ବାଟରେ ଅଟକି ଯାଉଥିବାରୁ ଲୋକେ ରୋଗୀକୁ ଆମ୍ବୁଲାନ୍ସ ପାଖକୁ ଆଣିବାକୁ ପଡୁଛି। ତେଣୁ, ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରତିକାର କରିବା ପାଇଁ ଦୃଢ ଦାବି ହେଉଛି।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.