ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ହରିୟାନା ରାଜ୍ୟର ଏକ ପରିବାର
ପାରଳାଖେମୁଣ୍ଡି, ତା. ୦୧.୦୬.୨୦୨୬
ଆଜି ଗଜପତି ଜିଲ୍ଲାରୁ ୮୪ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ (ଭା.ପ୍ର.ସେ.) ପୋଷ୍ୟ ସନ୍ତାନ ଭାବେ ହରିୟାନା ରାଜ୍ୟର ଏକ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି। ଆଜକୁ ପ୍ରାୟ ୩ ମାସ ପୂର୍ବେ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ଶିଶୁକୁ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ କ୍ରମେ ଯତ୍ନ ଓ ସୁରକ୍ଷା ନିମନ୍ତେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ନିଶାନ ଶାଲୋମ, ରଣିପେଟାଠାରେ ରଖାଯାଇଥିଲା। ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି, ଗଜପତି ଶିଶୁଟିକୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁଟିର ତଥ୍ୟ ମିଶନ ବାତ୍ସଲ୍ଯ ପୋର୍ଟାଲ୍ ରେ ଅପଲୋଡ଼୍ କରାଯାଇଥିଲା, ଯାହାଦ୍ୱାରା ଶିଶୁଟି ପୋଷ୍ୟ ସନ୍ତାନ ଭାବେ ଯେକୌଣସି ଯୋଗ୍ୟ ପରିବାର ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ପ୍ରାୟ ୪ବର୍ଷରୁ ଉର୍ଦ୍ଧ ସମୟ ଧରି ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଉକ୍ତ ପରିବାରଙ୍କୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ପରିବାର ଶାରିରୀକ ସ୍ତରରେ ଶିଶୁଟିକୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜକୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ଉକ୍ତ ପରିବାରଙ୍କୁ ହସ୍ତାନ୍ତର କରିଥିଲେ। ଶିଶୁଟିର ବୟସ ୯ମାସ ହୋଇଥିବାବେଳେ, ଶିଶୁଟିକୁ ପାଇ ଉକ୍ତ ପରିବାର ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।
ହସ୍ତାନ୍ତର ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲ୍ଗୁନୀ ମାଝୀ (ଓ.ପ୍ର.ସେ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ, ଓ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
