June 3, 2025

କେନ୍ଦୁପତ୍ର ସଂଗ୍ରହରେ ସରକାରୀ କଳ ପଛରେ  କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି..

Share

 

 

ମାଲକାନଗିରି–ମାଲକାନଗିରି ଜିଲ୍ଲାର ସବୁଜ ହୀରା ଭାବେ ସୁପରିଚିତ କେନ୍ଦୁପତ୍ର ଆଦିବାସୀଙ୍କ ଆର୍ଥିକ ବିକାଶର ଏକ ମୂଳଦୁଆ। ଯେଉଁଠି ଗ୍ରୀଷ୍ମ ଋତୁରେ କୌଣସି କାମ ନଥିଲା ବେଳେ କେନ୍ଦୁପତ୍ର ତୋଳାଳୀଙ୍କୁ ଦେଇଥାଏ ରୋଜଗାର।

ମାଲକାନଗିରି ଜିଲ୍ଲାରେ ସରକାରୀ ଏବଂ ବେସରକାରୀ ଏଜେନ୍ସିମାନଙ୍କ ଦ୍ବାରା କେନ୍ଦୁପତ୍ର ତୋଳାଳୀଙ୍କ ଠାରୁ କେନ୍ଦୁପତ୍ର ବିଡା କ୍ରୟ କରାଯାଇଥିଲା। ପ୍ରାଇଭେଟ୍ ପାର୍ଟିକୁ କେନ୍ଦୁପତ୍ର କ୍ରୟ ଲାଗି ବାରଣ କରାଯାଇଥିଲେ ମଧ୍ୟ ଚଳିତ ବର୍ଷ ପଞ୍ଚାୟତ ଗୁଡିକରେ କିଛି ଆର୍ଥିକ ସହାୟତା ଦେଇ ବହୁ କେନ୍ଦୁପତ୍ର କ୍ରୟ କରାଯାଇଥିଲା। ଫଳରେ ସରକାରୀ ସ୍ତରରେ କ୍ରୟ କରାଯାଉଥିବା କେନ୍ଦୁପତ୍ର ଟାର୍ଗେଟ ପୂରଣ ହୋଇ ପାରିନଥିବାରୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଇଥିବା ଜଣାପଡ଼ିଛି। ତେବେ କେନ୍ଦୁ ପତ୍ର ତୋଳିବା ନୀତି ନିୟମରେ ସଂଶୋଧନ ନଥିବାରୁ ଘରୋଇ ସଂସ୍ଥାଗୁଡିକର ଅବାଧ ପ୍ରବେଶ ଦେଖିକୁ ମିଳିଛି।

ମାଲକାନଗିରି ଜିଲ୍ଲାରେ ୬ ଗୋଟିଏ କେନ୍ଦୁପତ୍ର ରେଞ୍ଜ ଥିବା ବେଳେ ଚଳିତ ବର୍ଷ ୭ କୋଟି ୭୬ ଲକ୍ଷ ୨୫ ହଜାର କେନ୍ଦୁପତ୍ର ବିଡାର କ୍ରୟ କରିବା ପାଇଁ ଟାର୍ଗେଟ ପ୍ରଦାନ କରାଯାଇଥିଲା। ମାତ୍ର ଏହି ଟାର୍ଗେଟ ପୂରଣ ହେବାରେ କେନ୍ଦୁପତ୍ର ରେଞ୍ଜ ଗୁଡ଼ିକ ବିଫଳ ହୋଇଥିଲେ। ଚଳିତ ବର୍ଷ ମାତ୍ର ୬ କୋଟି ୯୯ ଲକ୍ଷ ୮ ୬ ହଜାର ୬୦୬ ବିଡା କ୍ରୟ କରାଯାଇଛି। ବାକି ୯୬ ଲକ୍ଷ ୩୮ ହଜାର ୩୯୪ କେନ୍ଦୁପତ୍ର ବାଡା ଅର୍ଥାତ ପାଖାପାଖି କୋଟିଏ ସଂଖ୍ୟକ କେନ୍ଦୁପତ୍ର ବିଡା କ୍ରୟ କରାଯାଇ ପାରି ନଥିଲା ।

ସରକାରୀ ତଥ୍ଯ ଅନୁସାରେ ମାଲକାନଗିରି ରେଞ୍ଜରେ ୮୨୬୪ କେନ୍ଦୁପତ୍ର ତୋଳାଳୀ ରହିଥିଲା ବେଳେ ୧୫୭୦୭୬୬୪ କେନ୍ଦୁପତ୍ର ବିଡା ସଂଗ୍ରହ କରାଯାଇଛି। ବାଲିମେଳା ରେଞ୍ଜରେ ୬୩୧୯ କେନ୍ଦୁପତ୍ର ତୋଳାଳୀ ରହିଥିବା ବେଳେ ସେମାନଙ୍କ ଠାରୁ ୯୨୫୬୮୫୦ କେନ୍ଦୁପତ୍ର ବିଡା ସଂଗ୍ରହ କରାଯାଇଛି। ବାଲିମେଳା ରେଞ୍ଜରେ ୬୦୧୩ ଜଣ କେନ୍ଦୁପତ୍ର ତୋଳାଳୀ ରହିଥିଲା ବେଳେ ସେମାନଙ୍କ ଠାରୁ ୧୦୨୫୨୮୧୫ ବିଡା କେନ୍ଦୁପତ୍ର ବିଡା ସଂଗ୍ରହ କରାଯାଇଛି। ଏମଭି-୭୯ ରେଞ୍ଜରେ

୫୮୩୮ ଜଣ କେନ୍ଦୁପତ୍ର ତୋଳାଳୀ ରହିଥିଲା ବେଳେ ସେମାନଙ୍କ ଠାରୁ ୯୬୧୩୦୬ ବିଡା କେନ୍ଦୁପତ୍ର ସଂଗ୍ରହ କରାଇଛି। ମାଥିଲି ରେଞ୍ଜରେ ୮୮୦୬ କେନ୍ଦୁପତ୍ର ତୋଳାଳୀ ରହିଥିଲା ବେଳେ ୧୨୪୫୨୫୩୫ ବିଡା କେନ୍ଦୁପତ୍ର ସଂଗ୍ରହ କରାଯାଇଛି । କତାମେଟା ରେଞ୍ଜରେ ୯୧୩୩ କେନ୍ଦୁପତ୍ର ତୋଳାଳୀ ରହିଥିଲା ବେଳେ ୧୨୬୯୮୪୬୦ ବିଡା କେନ୍ଦୁପତ୍ର ସଂଗ୍ରହ କରାଯାଇଛି। ଅତଏବ ମାଲକାନଗିରି ଜିଲ୍ଲାରେ ୪୪ ହଜାର ୧୭୩ ଜଣ କେନ୍ଦୁପତ୍ର ତୋଳାଳୀ ଚଳିତ ବର୍ଷ ସରକାରୀ ଭାବେ କେନ୍ଦୁପତ୍ର ବିକ୍ରି କରିଥିବା ଜଣାପଡିଛି। ସରକାରୀ ଭାବେ କେନ୍ଦୁପତ୍ର ବିଡା ପ୍ରତି ୩ ଟଙ୍କା ୨୦ ପଇସା

ରହିଥିଲା ବେଳେ ବେସରକାରୀ ସଂସ୍ଥା କେନ୍ଦୁପତ୍ର ବିଡା ପ୍ରତି ୪ ଟଙ୍କା ରୁ ଆରମ୍ଭ କରି ୫ ଟଙ୍କା ୫୦ ପଇସାରେ କ୍ରୟ କରୁଥିବା

ଜଣା ପଡ଼ିଛି। ବେସରକାରୀ କେନ୍ଦୁପତ୍ର ଏଜେନ୍ସିମାନେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ନଗଦ ଟଙ୍କା ଦେଉଥିବାରୁ ଆର୍ଥିକ ଦୁର୍ବଳ ଥିବା ତୋଳାଳୀମାନେ ସରକାରୀ ସଂସ୍ଥାକୁ କେନ୍ଦୁପତ୍ର ବିକ୍ରି କରିଥିବାକୁ ଇଛା ପ୍ରକାଶ କରିନଥାନ୍ତି। ସରକାରୀ ଭାବେ କେନ୍ଦୁପତ୍ର ତୋଳାଳୀମାନଙ୍କୁ ରଥଯାତ୍ରା ପର୍ଯ୍ୟନ୍ତ ଅନ୍ ଲାଇନ୍

ରେ ସେମାନଙ୍କ କେନ୍ଦୁପତ୍ର ପାଉଣା ସିଧାସଳଖ ବ୍ୟାଙ୍କ ଖାତାରେ ଡିପୋଜିଟ ହେବ। ସରକାରୀ ଟଙ୍କା ପାଇବା ପାଇଁ ବିଳମ୍ବ ହେତୁ ଘରୋଇ ସଂସ୍ଥାଗୁଡିକୁ କେନ୍ଦୁପତ୍ର ତୋଳାଳୀମାନେ ବିଡା ଦେଇ ନଗଦ ଟଙ୍କା ପାଇଥାନ୍ତି। ଏଣୁ ଚଳିତ ବର୍ଷ ସରକାରୀ ସ୍ତରରେ ଏକ କୋଟି କେନ୍ଦୁପତ୍ର ବିଡା କ୍ରୟ ହୋଇ ନଥିବା ଜଣାପଡିଛି।

କିନ୍ତୁ ଯେଉଁ କେନ୍ଦୁପତ୍ର ତୋଳାଳୀମାନେ ସରକାରୀ ଭାବେ କେନ୍ଦୁପତ୍ର ବିକ୍ରୟ କଲେ, ସେମାନଙ୍କୁ ରାଜ୍ୟ ସରକାରୀ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଇଥାନ୍ତି। ଯଦି କେନ୍ଦୁପତ୍ର ତୋଳାଳୀ ଏକ ବର୍ଷ ମଧ୍ୟରେ ମୃତ୍ୟୁ ବରଣ କରେ ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଏ। ସେହିପରି ପ୍ରତି ୨ ବର୍ଷରେ ଚପଲ ବାବଦକୁ ୧୬୦ ଟଙ୍କା, ପାଣି ବୋତଲ ବାବଦକୁ ୨୦୦ ଟଙ୍କା,ଟୋପି ବାଦକୁ ୧୦୦ ଟଙ୍କା,କ୍ଯାରୀ ବ୍ଯାଗ ବାବଦକୁ ୨୦୦ ଟଙ୍କା ଯୋଗାବା ସହ କେନ୍ଦୁପତ୍ର ତୋଳାଳୀ ଲାଭାଂଶ ବାବଦକୁ ବୋନସ୍ ମଧ୍ୟ ସିଧାସଳଖ ପ୍ରଦାନ କରାଯାଇଥାଏ । ଗତ ୨୦୨୪ ଆର୍ଥିକ ବର୍ଷରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ୨୫ ପ୍ରତିଶତ ବୋନସ ପ୍ରଦାନ କରାଯାଇଥିଲା। ମାତ୍ର ଯେଉଁ କେନ୍ଦୁପତ୍ର ତୋଳାଳୀମାନେ ପ୍ରାଇଭେଟ୍ ସଂସ୍ଥାକୁ କେନ୍ଦୁପତ୍ର ବିକ୍ରୟ କରନ୍ତି ଏ ସବୁ ସରକାରୀ ସହାୟତାରୁ ବଞ୍ଚିତ ହୁଅନ୍ତି ବୋଲି ମାଲକାନଗିରି କେନ୍ଦୁପତ୍ର ରେଞ୍ଜ ଅଫିସର ରଜନୀ କାନ୍ତ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।

(ମାଲକାନଗିରି ରୁ କେଶବ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ)