May 11, 2026

ଆନ୍ତଃରାଜ୍ୟ ୮ ଡକାୟତ ଗିରଫ: ସାଢେ ୩ କୋଟି ନଗଦ ଟଙ୍କା ଓ ବନ୍ଧୁକ, ଗୁଳି, ମରଣାସ୍ତ୍ର, ଗାଡି ସହ ବହୁ ସାମଗ୍ରୀ ଜବତ 

IMG-20250201-WA0042
Share

 

ଭବାନୀପାଟଣା, (ରାଜାରାମ ଷଡ଼ଙ୍ଗୀ): କଳାହାଣ୍ଡି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା।ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

 

ରାଜ୍ୟ ପୋଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ମାନେ ହେଲେ, ଝାଡଖଣ୍ଡ ରାଜ୍ୟ ରାଞ୍ଚି ଜିଲ୍ଲାର ତାହିର ଅନସାରୀ,ହୁସେନ୍ ଖାନ୍, ଜୈସମ ଖାନ୍, ସାମିମ୍ ଅନସାରୀ,ବାସୁଦେବ ଗୋପେ, ପିଣ୍ଟୁ@ ଆଲିମ୍,ଅନୁଜ କୁମାର।

 

ଗତ ୩୦ ତାରିଖରେ ଧର୍ମଗଡ଼ ଠାରେ ଥିବା ଏକ ଦେଶୀ ମଦ ଭାଟିରେ ଏହି ଡକାୟତ ସଂଘଟିତ ହୋଇଥିଲା। ବିଳମ୍ବିତ ରାତିରେ ପ୍ରାୟ 8 ଜଣ ଡକାୟତ ମାରଣାସ୍ତ୍ର ଧରି ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଭାଟିରେ ପଶିଥିଲେ। ସେଠାରେ ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଧମକ ଦେଇ ଟଙ୍କା ଲୁଟି ନେଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଥିଲା। ଡକାୟତି କରିବା ପରେ ଅଭିଯୁକ୍ତମାନେ ଜେଏଚ ୧୦ଏପି ୪୮୧୭ ନମ୍ବର ବିଶିଷ୍ଟ ବୋଲେରୋ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅନୁସନ୍ଧାନ ସମୟରେ ଅପରାଧରେ ବ୍ୟବହୃତ ଗାଡିକୁ ଝାଡ଼ଖଣ୍ଡରେ ଚିହ୍ନଟ କରାଯାଇ ଠାବ କରାଯାଇଥିଲା।

ପୋଲିସ ତଦନ୍ତ ବେଳେ ସ୍ଥାନୀୟ ପୁଲିସ ଦୁଇ ଅଭିଯୁକ୍ତ ସିରାଜ ଆନସାରୀ ଏବଂ କାମେଶ୍ୱର ଯାଦବକୁ ସଂଗେ ସଙ୍ଗେ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତ ମାନେ ଝାଡ଼ଖଣ୍ଡ ଅଭିମୁଖେ ଫେରାର ହୋଇଥିବା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା। ବର୍ତ୍ତମାନ ସୁଦ୍ଧା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।

 

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ସଫଳତା ନିମନ୍ତେ କଳାହାଣ୍ଡି ଏସପି ଏବଂ ତାଙ୍କ ଟିମକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।