November 1, 2026

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମାଲକାନଗିରିରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା: ୬୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

IMG-20261101-WA0025
Share

*ମାଲକାନଗିରି,୦୧ ନଭେମ୍ବର ୨୦୨୬:*

 ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଏଫଏଲସି ହଲ୍‌ ଠାରେ ଆଜି ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆନୁଷ୍ଠାନିକ ଭାବେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପାଇଁ ନୂତନ ଭାବେ ମନୋନୀତ ହୋଇଥିବା ମୋଟ ୬୨ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୬୧ ଜଣ ସେବକ/ସେବିକା ଏବଂ ଜଣେ ଟିଏଲ୍‌ଟି ଅନ୍ତର୍ଭୁକ୍ତ।

ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ହସ୍ତାନ୍ତର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁମନ୍ତ ମାଝୀ ଏବଂ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ (ସଦର) ଗୁରୁବନ୍ଧୁ ପୂଜାରୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ପ୍ରଧାନ କହିଛନ୍ତି ଏହି ନୂତନ ନିଯୁକ୍ତି ଜିଲ୍ଲାର ସେବା ଓ ଶିକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବ। ନବନିଯୁକ୍ତ ସେବକ, ସେବିକା ଓ ଟିଏଲ୍‌ଟି ମାନେ ସମ୍ପୂର୍ଣ୍ଣ ନିଷ୍ଠା, ଆନ୍ତରିକତା ଓ କର୍ତ୍ତବ୍ୟପରାୟଣତା ସହ ନିଜ ନିଜର ଦାୟିତ୍ୱ ତୁଲାଇବା ଆବଶ୍ୟକ।

ସେହିପରି ଅଧ୍ୟକ୍ଷତା କରି ପିଏ ଆଇଟିଡିଏ ଶ୍ରୀ ଶବର ପ୍ରକାଶ କରିଛନ୍ତି ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଶିକ୍ଷା ଓ ସାମାଜିକ ବିକାଶ କ୍ଷେତ୍ରକୁ ଆଗେଇ ନେବାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏହି ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ନବନିଯୁକ୍ତ କର୍ମଚାରୀମାନେ ସେବା ମନୋଭାବ ରଖି ସମାଜର ବିକାଶରେ ନିଜର ଶ୍ରେଷ୍ଠ ଯୋଗଦାନ ଦେବେ ବୋଲି ଆଶା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି , ଆଇଟିଡିଏ ର କର୍ମଚାରୀ ଏବଂ ନବନିଯୁକ୍ତ କର୍ମଚାରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

You may have missed