ବାତ୍ୟା “ଅର୍ଣ୍ଣବ”ର ପ୍ରଭାବ, ବର୍ଷା ଓ ପବନରେ ବ୍ଯାପକ ଫସଲ ନଷ୍ଟ , ଚିନ୍ତାରେ ଚାଷୀକୁଳ

ବୁଗୁଡ଼ା :ତା ୨୯/୧୦/୨୬ :(ହାର ପ୍ରସାଦ ପାଢ଼ୀ)ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବୁଗୁଡା ଅଞ୍ଚଳରେ ଦୁଇଦିନ ହେବ ଜାରି ରହିଥିବା ପ୍ରବଳ ପବନ ଓ ଅନବରତ ବର୍ଷା ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଫଳରେ ଅଞ୍ଚଳର କେତେକ ସ୍ଥାନରେ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ଏବଂ ଚାଷକୁ ମୁଖ୍ୟ ଜୀବିକା ଭାବେ ଗ୍ରହଣ କରିଥିବା ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବୁଗୁଡା ବ୍ଲକ ଅନ୍ତର୍ଗତ କହ୍ନେଇପୁର ଗ୍ରାମର ପଦ୍ମଲାଭ ଗୌଡ଼, ଯୁଧିଷ୍ଠିର ଦାଶ, ନିରଞ୍ଜନ ପ୍ରଧାନ, ତ୍ରିନାଥ ଗୌଡ, ପ୍ରଦୀପ ପ୍ରଧାନ, ଧର୍ମୁ ପ୍ରଧାନଙ୍କ ମକା ଫସଲ ପବନ ଯୋଗୁଁ ଜମିରେ ଲୋଟି ପଡିଛି। ପବନ ଓ ବର୍ଷାର ପ୍ରଭାବରେ ଚାଷଜମିରେ ପଡ଼ି ଫସଲ ନଷ୍ଟ ହୋଇଥିବାରୁ ଚାଷୀଙ୍କର ବ୍ୟାପକ ଆର୍ଥିକ କ୍ଷତି ହୋଇଛି। ଏହାର ସଠିକ୍ ଆକଳନ କରାଯିବା ଜରୁରୀ ହୋଇପଡ଼ିଛି। ଅଞ୍ଚଳର ଚାଷୀମାନେ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ସେମାନଙ୍କ ଆୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ କୃଷି ବିଭାଗ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତ ଚାଷଜମିର ତଦନ୍ତ କରି ଚାଷୀଙ୍କ କ୍ଷତିପୂରଣ ପାଇଁ ଦାବି ହୋଇଛି।
