ଜୟପୁରକୁ ନବରଙ୍ଗପୁର ଡାକ ଡିଭିଜନରେ ସାମିଲ ପ୍ରସ୍ତାବକୁ ବିରୋଧ କୋରାପୁଟ ଡାକ ଡିଭିଜନରେ ଜୟପୁରକୁ ରଖିବାକୁ ଦାବି
କୋରାପୁଟ, (ଗୁପ୍ତେଶ୍ୱର ରଥ): ଜୟପୁର ସହରକୁ ପ୍ରସ୍ତାବିତ ନବରଙ୍ଗପୁର ଡାକ ଡିଭିଜନରେ ସାମିଲ କରିବା ପାଇଁ ଡାକ ବିଭାଗର ପ୍ରସ୍ତାବକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏହି ପ୍ରସ୍ତାବର ପୁନର୍ବିଚାର କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ ଦାବି କରିଛନ୍ତି।
ଜୟପୁରର ଐତିହାସିକ ପ୍ରଶାସନିକ ଗୁରୁତ୍ୱ ଓ ବାଣିଜ୍ୟିକ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ସହରକୁ କୋରାପୁଟ ଡାକ ଡିଭିଜନ ଅଧୀନରେ ରଖିବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି।
ଜୟପୁରର ଭୌଗୋଳିକ ଅବସ୍ଥିତି, ଦୀର୍ଘଦିନର ପ୍ରଶାସନିକ ସମ୍ପର୍କ ଏବଂ ସ୍ଥାନୀୟ ଲୋକଙ୍କ ସୁବିଧାକୁ ବିଚାରକୁ ନେଇ ଡାକ ବିଭାଗ ଏହି ପ୍ରସ୍ତାବ ଉପରେ ପୁନଃ ବିଚାର କରିବା ଆବଶ୍ୟକ ବୋଲି ଦାବି ହୋଇଛି।
ଏହି ପ୍ରସ୍ତାବ ଉପରେ ଡାକ ବିଭାଗ କି ପଦକ୍ଷେପ ଗ୍ରହଣ କରୁଛି, ତାହା ଉପରେ ଏବେ ଜୟପୁରବାସୀଙ୍କ ନଜର ରହିଛି।
— ଗୁପ୍ତେଶ୍ୱର ରଥ, କୋରାପୁଟ
