ନଦୀ କୂଳରେ ଥାଇ ବି ଶୋଷରେ ମରୁଛନ୍ତି ଚାଷୀ, ବିଲ ଫାଟି ଆଁ
ବଞ୍ଚୋ, ଶାସଙ୍ଗ ଓ ଅକରୁଆ ପଞ୍ଚାୟତରେ ଶହ ଶହ ହେକ୍ଟର ଜମିରେ ଫସଲ ନଷ୍ଟ ଆଶଙ୍କା
ହାଟଡିହି ତା ୧୮/୧୦(ମନମୋହନ ନାୟକ) : ନଦୀ କୂଳରେ ରହିଛି ଗାଁ, ପାଖରେ ବହୁଛି ବୈତରଣୀ ନଦୀ, ରହିଛି ଜଳସେଚନ ପାଇଁ କେନାଲ। ହେଲେ ଚାଷଜମିକୁ ମିଳୁନି ପାଣି। ବର୍ଷା ଅଭାବରୁ ଶୁଖିବାକୁ ବସିଲାଣି ଧାନ ଫସଲ। କେଉଁଠି ବିଲ ଫାଟି ଆଁ କଲାଣି ତ ଆଉ କେଉଁଠି ପାଣି ଅଭାବରୁ ଧାନ ଗଛରୁ ଥୋଡ଼ ବାହାରିବାରେ ବିଳମ୍ବ ହେଉଛି। ଫଳରେ ଅମଳ ଆଶା ମଉଳିବାକୁ ବସିଥିବା ବେଳେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଧାରକରଜ କରି ଚାଷ କରିଥିବା ଚାଷୀ ଏବେ ଫସଲ ବଞ୍ଚାଇବା ଚିନ୍ତାରେ ଦିନ କାଟୁଛନ୍ତି। ଏଭଳି ଏକ ଦୁର୍ଦ୍ଦଶାର ଚିତ୍ର ହାଟଡିହି ବ୍ଲକର ବଞ୍ଚୋ, ଅକରୁଆ, ଶାସଙ୍ଗ ପଞ୍ଚାୟତରେ ଦେଖିବାକୁ ମିଳିଛି ।ଚାଷୀଙ୍କ କହିବା ଅନୁଯାୟୀ, ଧାନ ଚାଷ ପାଇଁ ଏହି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧାନ ଗଛର ବୃଦ୍ଧି ଓ ଥୋଡ଼ ବାହାରିବା ସମୟରେ ଜମିରେ ଆବଶ୍ୟକ ଆର୍ଦ୍ରତା ରହିବା ଜରୁରୀ। କିନ୍ତୁ ଦୀର୍ଘଦିନ ଧରି ଆବଶ୍ୟକ ବର୍ଷା ନ ହେବା ଓ ଟାଣ ଖରା ଯୋଗୁଁ ଜମିରୁ ଜଳୀୟ ଅଂଶ କମିଯାଇଛି। ଧାନ ଗଛ ଶୁଖିବା ସହ ଫସଲର ସ୍ୱାଭାବିକ ବୃଦ୍ଧି ବାଧାପ୍ରାପ୍ତ ହେଉଛି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି, ଗୋଟିଏ ପଟେ ବୈତରଣୀ ନଦୀ ଓ ଅନ୍ୟପଟେ ବୈତରଣୀ କେନାଲ ଥିବା ସତ୍ତ୍ୱେ ବଞ୍ଚୋ ପଞ୍ଚାୟତର ଅନେକ ଚାଷଜମିକୁ ଆବଶ୍ୟକ ପାଣି ମିଳିପାରୁନାହିଁ। ନଦୀରେ ଜଳ ଥିବା ସତ୍ତ୍ୱେ ଚାଷୀଙ୍କ ଜମିକୁ ତାହା ପହଞ୍ଚାଇବାରେ ଅସୁବିଧା କେଉଁଠି ରହିଛି, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। କେନାଲ ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ନଥିବାରୁ କେନାଲ ପାଣି ବଞ୍ଚୋ, ଅକରୁଆ, ଶାସଙ୍ଗ ଆଦି ପଞ୍ଚାୟତରେ ମାଡି ପାରୁନି। ଗତ ୨୦୨୪ ରେ ସ୍ଥାନୀୟ ସରପଞ୍ଚ ନିଜ ଉଦ୍ୟମରେ ପୁରୁଣା କେନାଲକୁ ସଫା କରି ବୈତରଣୀ କେନାଲରୁ ଜଳସେଚନ ର ବ୍ୟବସ୍ଥା କରାଇ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ଜଳସେଚନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଉପରୋକ୍ତ ପଞ୍ଚାୟତଗୁଡ଼ିକର ଶହ ଶହ ହେକ୍ଟର ଚାଷଜମିରେ ଜଳାଭାବ ଯୋଗୁଁ ଧାନ ଫସଲ ପ୍ରଭାବିତ ହେବାକୁ ବସିଛି। ଚାଷୀମାନେ ନିଜ ଖର୍ଚ୍ଚରେ ଚାଷ କାମ କରିବା ସହ ବିହନ, ସାର, ଔଷଧ ଓ ଶ୍ରମିକ ବାବଦରେ ବିପୁଳ ଅର୍ଥ ବ୍ୟୟ କରିଛନ୍ତି। ଅନେକ ଚାଷୀ ଧାରକରଜ କରି ଚାଷ କରିଥିବାରୁ ଫସଲ ନଷ୍ଟ ହେଲେ ଋଣ ପରିଶୋଧ କରିବା ମଧ୍ୟ କଷ୍ଟକର ହୋଇପଡ଼ିବ। ତେଣୁ ଜଳାଭାବ ଏବେ କେବଳ ଚାଷର ସମସ୍ୟା ହୋଇ ରହିନାହିଁ, ବରଂ ଚାଷୀ ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ଦୋହଲାଇ ଦେବାର ଆଶଙ୍କା ସୃଷ୍ଟି କରିଛି। ମଧୁସୂଦନ ରାଉତ, ଯଦୁମଣି ପଟ୍ଟନାୟକ,ସନାତନ ଓଝା, ପ୍ରମୋଦ କୁମାର ରାଉତ , କୀର୍ତ୍ତନ ବିହାରୀ ନାୟକ, ଭଗବାନ ବରାଲ, ସୋମନାଥ ଜେନା, ପ୍ରକାଶ କୁମାର ବିଶ୍ବାଳ, ମହେନ୍ଦ୍ର ଜେନା, ମୂତୃଞ୍ଜୟ ଜେନା, ଦିଲ୍ଲିପ କୁମାର ରାଉତ, ବିଦ୍ୟାଧର ଜେନା, ମଦନ ମୋହନ ବେହେରା , ମାର୍କଣ୍ଡ ଚରଣ ବେହେରା, ଜଗନ୍ନାଥ ଦାସ, ହୃଷିକେଶ ପରିଡା ପ୍ରମୁଖ ଚାଷୀମାନେ ଆଜି ପଞ୍ଚାୟତକୁ ଆସି ସରପଞ୍ଚ ପ୍ରଶାନ୍ତ ରାଉତଙ୍କୁ ଅଭିଯୋଗ କରିବା ସହିତ ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଚାଷୀଙ୍କ ମତରେ, ଧାନ ଫସଲର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଜଳସେଚନ ବ୍ୟବସ୍ଥା କରାଗଲେ ଫସଲକୁ କିଛି ମାତ୍ରାରେ ବଞ୍ଚାଯାଇପାରିବ। ଏଥିପାଇଁ କେନାଲରେ ଜଳ ପ୍ରବାହ ସ୍ୱାଭାବିକ କରିବା ସହ ଆବଶ୍ୟକ ସ୍ଥଳେ ବିକଳ୍ପ ଉପାୟରେ ଚାଷଜମିକୁ ପାଣି ଯୋଗାଇଦେବା ଜରୁରୀ। ଜଳସେଚନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି। ସରପଞ୍ଚ ପ୍ରଶାନ୍ତ ରାଉତ ଏନେଇ ଜିଲ୍ଲାପାଳ, ଜଳସମ୍ପଦ ବିଭାଗ ଅଧିକାରୀଙ୍କୁ ଅବଗତ କରାଇ ପ୍ରତିକାର ବ୍ୟବସ୍ଥା ପାଇଁ ଅନୁରୋଧ କରିଛନ୍ତି।
