ମହାସପ୍ତମୀରେ କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା
ଖୋର୍ଦ୍ଧା ୧୭/୧୦(ପ୍ରିୟଙ୍କା ମହାପାତ୍ର) ପବିତ୍ର ଶାରଦୀୟ ନବରାତ୍ରୀର ମହାସପ୍ତମୀ ଅବସରରେ ମାତୃଶକ୍ତି ପୀଠରେ ମା’ ମଙ୍ଗଳା କାତ୍ୟାୟନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏହି ଅବସରରେ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ମା’ଙ୍କ ଦିବ୍ୟ ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନରେ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି। ସିଂହାରୀ ଅନନ୍ତ ପ୍ରସାଦ ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ ଆଜି ମା’ ମଙ୍ଗଳାଙ୍କୁ ଆକର୍ଷଣୀୟ କାତ୍ୟାୟନୀ ବେଶରେ ସଜ୍ଜିତ କରାଯାଇଛି। ନବରାତ୍ରୀର ପ୍ରତ୍ୟେକ ଦିନ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ସ୍ୱରୂପର ଆରାଧନା କରାଯାଉଥିବା ବେଳେ ମହାସପ୍ତମୀରେ ମା’ କାତ୍ୟାୟନୀଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ମା’ କାତ୍ୟାୟନୀଙ୍କୁ ଶକ୍ତି, ସାହସ ଓ ଧର୍ମର ପ୍ରତୀକ ଭାବେ ପୂଜା କରାଯାଏ। ଭକ୍ତମାନେ ମା’ଙ୍କ ଦର୍ଶନ କରି ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରୁଛନ୍ତି। ମାତୃଶକ୍ତି ପୀଠରେ ଏହି ପବିତ୍ର ଅବସର ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଓ ଭକ୍ତିର ସଞ୍ଚାର କରୁଛି।
