ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା
ପଡିଆବାହାଲ, ୧୭/୧୦: ଭକ୍ତି, ଆଧ୍ୟାତ୍ମିକତା ଓ ପାରମ୍ପରିକ ରୀତିନୀତି ମଧ୍ୟରେ ପଡିଆବାହାଲ ସାର୍ବଜନୀନ ଦୁର୍ଗାପୂଜାର କଳସ ଯାତ୍ରା ଶନିବାର ସକାଳ ୭ଟାରେ ଅନୁଷ୍ଠିତ ହୋଇଥିଲା। ମା’ ଦୁର୍ଗାଙ୍କ ଆଗମନକୁ ସ୍ୱାଗତ କରିବା ସହ ପୂଜାର ଶୁଭାରମ୍ଭ ଅବସରରେ ଆୟୋଜିତ ଏହି ଧାର୍ମିକ ଶୋଭାଯାତ୍ରାରେ ଶତାଧିକ ସଦସ୍ୟ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।
ପାରମ୍ପରିକ ବିଧିବିଧାନ ଅନୁଯାୟୀ ମୁଖ୍ୟ ପଣ୍ଡିତ ସୌମ୍ୟ ରଞ୍ଜନ ବଡ଼ପଣ୍ଡାଙ୍କ ପୌରୋହିତ୍ୟରେ ପୂଜାକାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମୁଖ୍ୟ କର୍ତ୍ତା ବେଣୁଧର ତ୍ରିପାଠୀ ଏବଂ ସହକର୍ତ୍ତା ଅକ୍ଷୟ କୁମାର ନାୟକ, କେଶବ ମେହେର ଓ ନନ୍ଦିକେଶ ସାହୁଙ୍କ ସହ ରଞ୍ଜିତ ରଣା ପୂଜାବିଧିରେ ସାମିଲ ହୋଇଥିଲେ।
ଏହି ଅବସରରେ ଦୁର୍ଗା ମଣ୍ଡପରୁ ଏକ ଭକ୍ତିପୂର୍ଣ୍ଣ ଶୋଭାଯାତ୍ରା ବାହାରି ପଡିଆବାହାଲ ପୋଖରୀ ନିକଟରେ ପହଞ୍ଚିଥିଲା। ସେଠାରେ ପାରମ୍ପରିକ ବିଧି ଅନୁସାରେ କଳସ ବୁଡ଼ାଯିବା ପରେ ଶୋଭାଯାତ୍ରା ପୁନର୍ବାର ଦୁର୍ଗା ମଣ୍ଡପକୁ ଫେରିଥିଲା। ଏହି କଳସ ଯାତ୍ରା କେବଳ ଏକ ଧାର୍ମିକ ଆୟୋଜନ ନୁହେଁ, ବରଂ ଅଞ୍ଚଳର ଦୀର୍ଘଦିନର ପରମ୍ପରା, ସାମୂହିକ ଏକତା ଓ ମା’ଙ୍କ ପ୍ରତି ଅଗାଢ଼ ଆସ୍ଥାର ପ୍ରତୀକ ଭାବେ ପ୍ରତିଫଳିତ ହୋଇଥିଲା।
କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ହରିହର ନାୟକ, ସମ୍ପାଦକ ସୁବୋଧ ନାୟକ, ସହସମ୍ପାଦକ ପ୍ରବୀଣ ସୁପକାର, ଉପଦେଷ୍ଟା ଅଶୋକ କୁମାର ପୁରୋହିତ, ଆଶୁତୋଷ ପଣ୍ଡା, ପ୍ରଫୁଲ୍ଲ ମଗର, ଡା. ରାଜାରାମ ଷଡ଼ଙ୍ଗୀ,ପ୍ରମୋଦ କୁମାର ମିଶ୍ର,ଶକ୍ତି ପ୍ରସନ୍ନ ବଡ଼ପଣ୍ଡା, ଅଶୋକ ରାୟ, ବରୁଣ ସାହୁ,ଅମୁଲ୍ୟ ମିଶ୍ର,କପିଳ ପ୍ରଧାନ, ତାପସ ରଞ୍ଜନ ମହାପାତ୍ର, ଦୁର୍ଗେଶ ସାହୁ ଓ ସୁକାନ୍ତ ଶତପଥୀ, ସ୍ମୃତିରଞ୍ଜନ ବାରିକଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।
ପାରମ୍ପରିକ ରୀତିନୀତି ଓ ସାମୂହିକ ସହଯୋଗରେ ଆରମ୍ଭ ହୋଇଥିବା ଏହି କଳସ ଯାତ୍ରା ପଡିଆବାହାଲ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜାର ଧାର୍ମିକ ପରିବେଶକୁ ଆହୁରି ଭାବମୟ କରିଥିଲା।
