October 16, 2026

ହାଟଡିହି କଲେଜରେ ଶପଥ ନେଲେ ବିଜୟୀ ଛାତ୍ରଛାତ୍ରୀ..

IMG-20261016-WA0048
Share

 

ହାଟଡିହି ତା ୧୬/୧୦(ମନମୋହନ ନାୟକ) : ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପରେ ନିର୍ବାଚିତ ହୋଇଥିବା ଛାତ୍ରଛାତ୍ରୀମାନେ ଆଜି କଲେଜ ପରିସରରେ ଶପଥ ଗ୍ରହଣ କରିଛନ୍ତି। କଲେଜ ସମ୍ମୁଖରେ ସୃଷ୍ଟି ହୋଇଥିବା ଉତ୍ତେଜନା ଯୋଗୁଁ ଶପଥ ଗ୍ରହଣ ଉତ୍ସବ ନିର୍ଦ୍ଧାରିତ ସମୟରେ ହୋଇପାରି ନଥିବାବେଳେ ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅପରାହ୍ନରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। କଲେଜର ଅଧ୍ୟକ୍ଷ ହରେକୃଷ୍ଣ ରାଉତ ନିର୍ବାଚିତ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଛାତ୍ର ସଂସଦର ସଭାପତି ବୈଶାଖୀ ସାହୁ, ଉପ ସଭାପତି ପୂଜାରାଣୀ ଓଝା, ସମ୍ପାଦକ ମନୋଜ ବାରିକ, ସହ ସମ୍ପାଦକ ଆରତୀ ସାହୁ, କ୍ରୀଡା ସମ୍ପାଦକ ଭକ୍ତବନ୍ଧୁ ସାହୁ, କଳା ସମ୍ପାଦକ ମଧୁସ୍ମିତା ଖଟୁଆ, କଳା ସହ ସମ୍ପାଦକ ସାଇ ସଂଗ୍ରାମ ଜେନାଙ୍କ ସମେତ ସମସ୍ତ ପ୍ରତିନିଧିମାନେ କଲେଜର ଶୈକ୍ଷିକ ପରିବେଶକୁ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଦାବିକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବା ଦିଗରେ ନିଜର ଦାୟିତ୍ୱ ତୁଲାଇବାକୁ ଶପଥ ନେଇଥିଲେ। ଛାତ୍ର ସଂସଦ ନିର୍ବାଚନକୁ ନେଇ ଗତକାଲି କଲେଜ ପରିସରରେ ଉତ୍ତେଜନା ଓ ବିବାଦ ଦେଖାଦେଇଥିବାରୁ ଶପଥ ଗ୍ରହଣ ଉତ୍ସବକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ରହିଥିଲା। ତେବେ ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ଶେଷରେ ନିର୍ବାଚିତ ପ୍ରତିନିଧିମାନେ ଶପଥ ଗ୍ରହଣ କରିଥିବାରୁ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏହି ଅବସରରେ ନିର୍ବାଚିତ ଛାତ୍ର ସଂସଦର ପ୍ରତିନିଧିମାନେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟାବଂଶୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଛାତ୍ରଛାତ୍ରୀଙ୍କ ଶିକ୍ଷା, ଅଧିକାର ଓ କଲେଜର ବିକାଶ ସମ୍ପର୍କିତ ବିଷୟଗୁଡ଼ିକୁ ଗୁରୁତ୍ୱ ଦେଇ ଛାତ୍ର ସଂସଦ କାର୍ଯ୍ୟ କରିବ ବୋଲି ସେମାନେ ଦୃଢ଼ ସ୍ୱରରେ କହିଛନ୍ତି। ଛାତ୍ର ସଂସଦ ହେଉଛି କଲେଜର ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ପ୍ରଶାସନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ। ତେଣୁ ନିର୍ବାଚିତ ପ୍ରତିନିଧିମାନେ ନିଜ ଦାୟିତ୍ୱକୁ ସଠିକ୍ ଭାବେ ନିର୍ବାହ କରିବା ସହ କଲେଜରେ ଶାନ୍ତି, ଶୃଙ୍ଖଳା ଓ ଶୈକ୍ଷିକ ପରିବେଶ ବଜାୟ ରଖିବା ଦିଗରେ ଗୁରୁତ୍ୱ ଦେବେ ବୋଲି ଅଧ୍ୟକ୍ଷ ହରେକୃଷ୍ଣ ରାଉତ କହିଛନ୍ତି।