ପାଞ୍ଚଗଡ଼ କଲେଜରେ ଏବିଭିପିର ବାଜିମାତ
ବଅଁରପାଳ, : ପ୍ରାୟ ଆଠ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ପାଞ୍ଚଗଡ଼ ସୋମନାଥ ସିଂହ ଜଗଦେବ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଜିମାତ କରିଛି। ଗୁରୁବାର ନିର୍ବାଚନର ଫଳାଫଳ ଘୋଷଣା କରାଯାଇଥିଲା।
ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହୋଇଥିବାବେଳେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଭୋଟ ଗଣତି କରାଯାଇଥିଲା। ଫଳାଫଳରେ ଏବିଭିପି ପ୍ରାର୍ଥୀମାନେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ସଭାପତି ପଦରେ ଅଙ୍କିତା ପଟ୍ଟନାୟକ, ଉପସଭାପତି ପଦରେ ହ୍ରିତିଶ ନାଏକ ଏବଂ ସାଧାରଣ ସମ୍ପାଦକ ପଦରେ ପ୍ରାସାଦ ବେହେରା ବିଜୟୀ ହୋଇଛନ୍ତି।ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ତହସିଲଦାର ସୁଶାନ୍ତ କୁମାର ମିଶ୍ର, ବଅଁରପାଳ ଥାନା ଅଧିକାରୀ ଅୟସକାନ୍ତ ଜେନା, କଲେଜ ଅଧ୍ୟକ୍ଷ ପଦ୍ମଚରଣ ସାହୁ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସମଗ୍ର ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।
