October 16, 2026

ପତ୍ରାପାଲିରେ ତିନି ଦିନିଆ ଭବ୍ୟ ଏକତା ମହୋତ୍ସବ ଉଦ୍‌ଯାପିତ: ଶ୍ରୀ ଲକ୍ଷ୍ମୀ ଅପେରା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

IMG-20261015-WA0061
Share

 

ସମ୍ବଲପୁର, ୧୫l୧୦ : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଲୁଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମରେ ଏକତା ଦିବସ ଉପଲକ୍ଷେ ଆୟୋଜିତ ତିନି ଦିନିଆ ଭବ୍ୟ ସାଂସ୍କୃତିକ ମହୋତ୍ସବ ବେଶ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି। ଗତ ଅକ୍ଟୋବର ୧୨ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଉତ୍ସବ ସମଗ୍ର ଅଞ୍ଚଳରେ ଏକ ନିଆରା ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା।

ଗ୍ରାମରେ ଭାଇଚାରା, ସଦ୍‌ଭାବନା ତଥା ଏକତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲା ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟା ଏବଂ ନୃତ୍ୟ ପ୍ରତିଯୋଗିତା। ଏଥିରେ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର ତଥା ପ୍ରତିଯୋଗୀମାନେ ନିଜର ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ଏହା ସହିତ ନାଟ୍ୟାନୁଷ୍ଠାନ ‘ଶ୍ରୀ ଲକ୍ଷ୍ମୀ ଅପେରା’ ଦ୍ୱାରା ତିନି ଦିନ ଧରି ମଞ୍ଚସ୍ଥ ହୋଇଥିବା ନାଟକଗୁଡ଼ିକ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲା। ଅଭିନେତା ଓ ଅଭିନେତ୍ରୀମାନଙ୍କ ଜୀବନ୍ତ ଅଭିନୟ ଏବଂ ହୃଦୟସ୍ପର୍ଶୀ ସଂଳାପ ରାତି ତମାମ ହଜାର ହଜାର ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥିଲା।

ଏହି ବିରାଟ କାର୍ଯ୍ୟକ୍ରମକୁ ସଫଳ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରିବା ପଛରେ ଆୟୋଜକ କମିଟି ସଦସ୍ୟଙ୍କ ନିରନ୍ତର ପରିଶ୍ରମ ଓ ସହଯୋଗ ପ୍ରଶଂସନୀୟ ଥିଲା। ଏହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବାରେ ମନୋଜ କୁମାର ସାହା, ରମେଶ ପଟେଲ, ସିଲାସ କାଣ୍ଡୁଲିନା, ସବିତା ଝାଙ୍କର, ଅଶ୍ରାନ୍ତି କେରକେଟା, ପ୍ରେମଶିଳା ବୁଡ, ସଞ୍ଜୟ ସିଂ, ସବିତା ରାୟ, ସନ୍ତିମାନି ବାଡ଼ିଙ୍ଗ, ଅଜିତ୍ ବାବୁ, ମାରୀୟମ ସମାଦ, ହାଲାଙ୍ଗ ଲମ୍ଗା, ସୁଲେମାନ ସମଦ ଏବଂ ହାରମାନି ସିଂ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଉତ୍ସବରେ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ବିପୁଳ ସଂଖ୍ୟକ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆନନ୍ଦ ଉପଭୋଗ କରିବା ସହ ଆୟୋଜକମାନଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ। ଶେଷରେ ସମସ୍ତଙ୍କ ସହଯୋଗ ପାଇଁ କମିଟି ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇ କାର୍ଯ୍ୟକ୍ରମର ସମାପନ ଘୋଷଣା କରାଯାଇଥିଲା।