November 23, 2026

ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟରେ ସରସ୍ୱତୀଙ୍କ ନିର୍ଦ୍ୱନ୍ଦ୍ୱ ବିଜୟ ଛାତ୍ର ସଂସଦ ସଭାପତି ହେଲେ ଗୁରୁଜଙ୍ଗର ସରସ୍ୱତୀ ସାହୁ, ମିଠା ଖୁଆଇ ଶୁଭେଚ୍ଛା ଜଣାଇଲେ ସାଙ୍ଗସାଥୀ

IMG-20261010-WA0086
Share

 

 

ଖୋର୍ଦ୍ଧା, (ପ୍ରିୟଙ୍କା ମହାପାତ୍ର): ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଗୁରୁଜଙ୍ଗର ଛାତ୍ରୀ ସରସ୍ୱତୀ ସାହୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ମହାବିଦ୍ୟାଳୟର ଓଡ଼ିଆ ବିଭାଗର +୩ ତୃତୀୟ ବର୍ଷର ଛାତ୍ରୀ ସରସ୍ୱତୀ ଛାତ୍ର ସଂସଦର ସଭାପତି (ପ୍ରେସିଡେଣ୍ଟ) ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କ ପରିବାର, ସହପାଠୀ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି।

ସରସ୍ୱତୀଙ୍କ ଏହି ସଫଳତା ପରେ ମହାବିଦ୍ୟାଳୟର ସାଙ୍ଗସାଥୀମାନେ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ତାଙ୍କ ପ୍ରମୁଖ ସମର୍ଥକ ଆଦ୍ୟାଶା ପ୍ରିୟଦର୍ଶିନୀ ଓ ଅଞ୍ଜୁଶ୍ରୀ ମହାପାତ୍ର ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ।ସରସ୍ୱତୀଙ୍କ ଏହି ସଫଳତାରେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ଓଡ଼ିଆ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଛାତ୍ର ସଂସଦ ହେଉଛି ଛାତ୍ରଛାତ୍ରୀଙ୍କ ସମସ୍ୟା, ମତାମତ ଓ ଅଧିକାରକୁ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବାର ଏକ ପ୍ରମୁଖ ମଞ୍ଚ। ଏହି ଦାୟିତ୍ୱ ମାଧ୍ୟମରେ ସେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ସହ ମହାବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଓ ସହପାଠ୍ୟକ୍ରମ କାର୍ଯ୍ୟକଳାପରେ ସକ୍ରିୟ ଭୂମିକା ନିର୍ବାହ କରିବେ ବୋଲି ଆଶା ପ୍ରକାଶ ପାଇଛି।ଅନ୍ୟପକ୍ଷରେ, ସରସ୍ୱତୀଙ୍କ ବିଜୟ ପରେ ଗୁରୁଜଙ୍ଗସ୍ଥିତ ତାଙ୍କ ବାସଭବନରେ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟିଥିଲା। ଗୁରୁଜଙ୍ଗ ୧୭ ନମ୍ବର ୱାର୍ଡର କାଉନସିଲର ଲିନା ସ୍ୱାଇଁଙ୍କ ସମେତ ତାଙ୍କ ବଡ଼ବାପା ବୃନ୍ଦାବନ ସାହୁ ଓ ପିତା ରବୀନ୍ଦ୍ର ସାହୁ ତାଙ୍କୁ ମିଠା ଖୁଆଇବା ସହ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ।ସରସ୍ୱତୀଙ୍କ ଏହି ବିଜୟ ଅନ୍ୟ ଛାତ୍ରୀମାନଙ୍କୁ ଶିକ୍ଷା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନେତୃତ୍ୱ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସହପାଠୀ ଓ ଶୁଭେଚ୍ଛୁମାନେ ଆଶା ପ୍ରକାଶ କରିଛନ୍ତି।

You may have missed