ଦୁନ୍ଦୁଲି ପଞ୍ଚାୟତରେ ମିଶ୍ରଣ ପର୍ବ, କଂଗ୍ରେସ ଦଳ ରେ ସାମିଲ ହେଲେ ଶତାଧିକ ରୁ ଊର୍ଦ୍ଧ୍ୱ କର୍ମୀ

କୋଲନରା:( ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଦୁନ୍ଦୁଲି ପଞ୍ଚାୟତରେ କଂଗ୍ରେସ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇ ଅଛି। ବରିଷ୍ଠ କଂଗ୍ରେସ ନେତା ଏସ୍. ମୋହନ ରାଓ ଓ ଏ. ରବିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଣ୍ଡିପୁର ଗ୍ରାମର ବିଜେପି ଓ ବିଜେଡିର ପ୍ରାୟ ୭୦ରୁ ଊର୍ଦ୍ଧ୍ୱ କର୍ମୀ କଂଗ୍ରେସରେ ସାମିଲ ହୋଇଥିବା ଜଣାପଡ଼ିଛି। ମିଶ୍ରଣ ପର୍ବରେ ଦୁନ୍ଦୁଲି ପଞ୍ଚାୟତର ସରପଞ୍ଚ ସବିତା ପେଦେଣ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ନବାଗତ କର୍ମୀ ମାନଙ୍କୁ କଂଗ୍ରେସ ନେତା ଓ କର୍ମୀମାନେ ସ୍ୱାଗତ କରିଥିଲେ। ଦଳରେ ଯୋଗ ଦେଇଥିବା କର୍ମୀମାନେ କଂଗ୍ରେସଦଳର ନୀତି ଓ ଆଦର୍ଶକୁ ଗ୍ରହଣ କରି ଆଗାମୀ ଦିନରେ ସଂଗଠନ ପାଇଁ କାର୍ଯ୍ୟ କରିବା ସହ ସ୍ଥାନୀୟ ସରପଞ୍ଚଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରି ସାମିଲ ହୋଇଥିବା କୁହାଯାଇଛି। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା, ଲୋକଙ୍କ ମୌଳିକ ଆବଶ୍ୟକତା ଓ ବିକାଶମୂଳକ ପ୍ରସଙ୍ଗକୁ ନେଇ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ଉପରେ ସରପଞ୍ଚ ଶ୍ରୀମତୀ ପେଦେଣ୍ଟି ଗୁରୁତ୍ୱାରୋପ କରିଥିଲେ। ଏହି ମିଶ୍ରଣ ପର୍ବରେ ନାଏବ ସରପଞ୍ଚ ରାମ ହୁଇକା, ପୂର୍ବତନ ସରପଞ୍ଚ ଗିରି ମାଝୀ ପୁଲାକା, ଏସ୍. ଜନାର୍ଦ୍ଦନ, ସୁରେନ୍ଦ୍ର କରକରିଆ, ମନ୍ମଥ ବାତ୍ରିଆ, ପି. କାମେୟା, ପି. କାଶାନା, ଜୟରାଜ ପେଦେଣ୍ଟି ଓ ପି. ସୁରେଶ ସମେତ ସ୍ଥାନୀୟ କଂଗ୍ରେସ ଦଳ ର କର୍ମୀ ଓ ସମର୍ଥକ ମାନେ ଉପସ୍ଥିତ ଥିଲେ। ଏକାଧିକ କର୍ମୀଙ୍କ ଯୋଗଦାନ ଫଳରେ ଦୁନ୍ଦୁଲି ପଞ୍ଚାୟତରେ କଂଗ୍ରେସ ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଦଳୀୟ ନେତାମାନେ ମତପ୍ରକାଶ କରିଛନ୍ତି।
