October 4, 2026

ନଷ୍ଟ ହୋଇଗଲା ଏକର ଏକର ଧାନ ଚାଷ, ଚିନ୍ତାରେ ଚାଷୀ ପାହାଡ଼ରୁ ଆସିଥିବା ନାଲିଆ ପାଣିରେ ଉଜୁଡ଼ିଗଲା ଧାନ କ୍ଷେତ କ୍ଷତିପୂରଣ ଦାବି

IMG-20261004-WA0157
Share

 

 

ହାଟଡିହି ତା ୪/୧୦(ମନମୋହନ ନାୟକ) : ଲଘୁଚାପଜନିତ ଲଗାଣ ବର୍ଷା ପରେ ପାହାଡ଼ରୁ ମାଡ଼ି ଆସିଥିବା ବନ୍ୟାଜଳ ଯୋଗୁଁ ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଏକର ଏକର ଧାନ ଚାଷ ନଷ୍ଟ ହୋଇଯାଇଛି। ବିଶେଷକରି ବଉଳା ପାହାଡ଼ରୁ ଆସିଥିବା ନାଲି ରଙ୍ଗର ପାଣି ଧାନ କିଆରୀରେ ପଶି ଦୁଇରୁ ତିନିଦିନ ଧରି ଜମିକୁ ବୁଡ଼ାଇ ରଖିବା ପରେ ଧାନଗଛ ପଚିଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରିକି କେତେକ ଜମିରୁ ଧାନ ବିହନ ମୁଠାଏ ମଧ୍ୟ ମିଳିବ ନାହିଁ ବୋଲି ଚାଷୀମାନେ କହିଛନ୍ତି। ଚାଷୀମାନଙ୍କ କହିବା ଅନୁଯାୟୀ, ଚଳିତ ଖରିଫ ଋତୁ ଆରମ୍ଭରୁ ହିଁ ସେମାନଙ୍କୁ ପ୍ରକୃତିର ଦାଉ ସହିବାକୁ ପଡ଼ିଛି। ଜୁଲାଇ ଓ ଅଗଷ୍ଟ ମାସରେ ବାରମ୍ବାର ଲଘୁଚାପଜନିତ ବର୍ଷା ହେବାରୁ ଦୁଇ ଦୁଇଥର ଧାନ ତଳି ନଷ୍ଟ ହୋଇଥିଲା। ଏହାପରେ ଚାଷୀମାନେ ହାର ନମାନି ସେପ୍ଟେମ୍ବର ମାସରେ ବାହାରୁ ଧାନ ତଳି ଆଣି ପୁଣି ଜମିରେ ରୁଆପୋତା କରିଥିଲେ। ଜମି ପ୍ରସ୍ତୁତ କରିବା ସହିତ ସାର ଓ କୀଟନାଶକ ପକାଇ ଭଲ ଅମଳର ଆଶା ରଖିଥିଲେ। ହେଲେ ସେପ୍ଟେମ୍ବର ମାସ ଶେଷ ଆଡ଼କୁ ଆସିଥିବା ଲଘୁଚାପଜନିତ ପ୍ରବଳ ବର୍ଷା ସେମାନଙ୍କ ସବୁ ଆଶାକୁ ଧୂଳିସାତ କରିଦେଇଛି। ବଉଳା ପାହାଡ଼ରୁ ପ୍ରବଳ ବେଗରେ ନାଲି ରଙ୍ଗର ପାଣି ତଳକୁ ଆସି ଧାନ କ୍ଷେତରେ ପଶିଥିଲା। ଫଳରେ ବହୁ ଚାଷଜମି ଜଳମଗ୍ନ ହୋଇଯାଇଥିଲା। ଦୁଇରୁ ତିନିଦିନ ଧରି ଧାନଗଛ ପାଣିରେ ବୁଡ଼ି ରହିବା ପରେ ପାଣି ଛାଡ଼ିଥିଲା। ପାଣି ଛାଡ଼ିବା ପରେ ଧାନଗଛଗୁଡ଼ିକର ପତ୍ର ଉପରେ ପଟୁ ଜମିବା ଭଳି ଦେଖାଯାଇଥିଲା। କିଛିଦିନ ମଧ୍ୟରେ ଧାନଗଛଗୁଡ଼ିକ ଶୁଖିବା ସହିତ ମୂଳ ପଚିଯାଇଥିବା ଚାଷୀମାନେ କହିଛନ୍ତି। ସ୍ଥାନୀୟ ଚାଷୀ ପ୍ରାଣବଲ୍ଲଭ ବିଶ୍ୱାଳଙ୍କ ଦୁଇ ଏକର, ହେମନ୍ତ ସ୍ୱାଇଁଙ୍କ ଦୁଇ ଏକର, ସୁକାନ୍ତ ସ୍ୱାଇଁଙ୍କ ଅଢ଼େଇ ଏକର, କିଶୋର ଆଚାର୍ଯ୍ୟଙ୍କ ଏକ ଏକର, ସୁଶାନ୍ତ ବେହେରାଙ୍କ ଏକ ଏକର, ଅଭୟ ବିଶ୍ୱାଳଙ୍କ ଏକ ଏକର ଓ ସଞ୍ଜୟ ସ୍ୱାଇଁଙ୍କ ଏକ ଏକର ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏହାବ୍ୟତୀତ ଅନ୍ୟ ଅନେକ ଚାଷୀଙ୍କ ଜମିରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି। ପାହାଡ଼ରୁ ଆସିଥିବା ଏହି ନାଲିଆ ପାଣିରେ ଧାନଗଛର ମୂଳ ପଚିଯିବାକୁ ନେଇ ଚାଷୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେମାନଙ୍କ କହିବା କଥା, ପୂର୍ବରୁ ମଧ୍ୟ ବର୍ଷା ସମୟରେ ପାହାଡ଼ରୁ ପାଣି ଆସି ଚାଷଜମିକୁ ବୁଡ଼ାଇଥିଲା। କିଛିଦିନ ପରେ ପାଣି ଛାଡ଼ିଯାଉଥିଲା ଏବଂ ଧାନ ଗଛର ବିଶେଷ କ୍ଷତି ହେଉନଥିଲା। କିନ୍ତୁ ଚଳିତବର୍ଷ ନାଲି ରଙ୍ଗର ପାଣି ଆସିବା ପରେ ଧାନଗଛଗୁଡ଼ିକ ପଚିଯାଇଥିବାରୁ ଏହାର କାରଣ କଣ ତାହା ଜାଣିବାକୁ ଚାଷୀମାନେ ଚାହୁଁଛନ୍ତି। ଘଟଣା ସମ୍ପର୍କରେ ଚାଷୀମାନେ କୃଷି ବିଭାଗକୁ ଅବଗତ କରିବା ପରେ ବିଭାଗୀୟ କର୍ମଚାରୀମାନେ ଶାସଙ୍ଗ ଅଞ୍ଚଳର କ୍ଷତିଗ୍ରସ୍ତ ଧାନ କ୍ଷେତ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ପାହାଡ଼ରୁ ଆସିଥିବା ପାଣିରେ କେଉଁ କାରଣରୁ ଧାନଗଛର ଏଭଳି କ୍ଷତି ହେଲା, ତାହାର ବୈଜ୍ଞାନିକ କାରଣ ଜଣାପଡ଼ିନଥିବାରୁ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ଆହୁରି ବଢ଼ିଛି। ଧାନ ଚାଷ ପାଇଁ ତଳି କିଣିବାଠାରୁ ଆରମ୍ଭ କରି ଜମି ପ୍ରସ୍ତୁତି, ରୁଆପୋତା, ସାର ଓ କୀଟନାଶକ ବ୍ୟବହାର ପର୍ଯ୍ୟନ୍ତ ଚାଷୀମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଅମଳ ସମୟ ପୂର୍ବରୁ ଧାନଗଛ ନଷ୍ଟ ହୋଇଯିବାରୁ ଏବେ ସେମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଚାଷ ଉଜୁଡ଼ିଯିବାରୁ ପରିବାରର ଆଗାମୀ ଦିନର ଆର୍ଥିକ ଚିନ୍ତା ମଧ୍ୟ ସେମାନଙ୍କୁ ଘାରିଛି। ତେଣୁ କ୍ଷତିଗ୍ରସ୍ତ ଜମିର ସଠିକ୍ ଆକଳନ କରି ଚାଷୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ସହିତ ଆଗାମୀ ଚାଷ ପାଇଁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଶାସଙ୍ଗ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି। ଏଥିସହିତ ପାହାଡ଼ରୁ ଆସୁଥିବା ନାଲିଆ ପାଣିରେ ଧାନଗଛ କାହିଁକି ନଷ୍ଟ ହେଉଛି, ତାହାର କାରଣ ଅନୁଧ୍ୟାନ କରି ଚାଷୀଙ୍କୁ ସ୍ପଷ୍ଟ ସୂଚନା ଦେବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।

You may have missed