October 4, 2026

ଗଜପତି:- ମହେନ୍ଦ୍ରଗିରିରେ ୨୩ତମ ଜାତୀୟ ଏମ:ଟି:ବି ଚାମ୍ପିଅନସିପ୍‌ରେ ତୃତୀୟ ଦିନର ପ୍ରତିଯୋଗୀଙ୍କ ସଫଳତା 

IMG-20261003-WA0121
Share

 

ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପାହାଡ଼ ସ୍ଥିତ କଇଁପୁର ଗ୍ରାମରେ ଚାଲିଥିବା ୨୩ତମ ଜାତୀୟ ଏମ:ଟି:ବି ସାଇକ୍ଲିଂ ଚାମ୍ପିଅନସିପ୍‌ର ତୃତୀୟ ଦିନର ପ୍ରତିଯୋଗିତା ସୁରକ୍ଷିତ ଓ ସଫଳତାର ସହ ସମ୍ପନ୍ନ ହୋଇଛି।

ତୃତୀୟ ଦିନର ମୁଖ୍ୟ ଆକର୍ଷଣ ଥିଲା ବିଭିନ୍ନ ବୟସ ବର୍ଗର ପୁରୁଷ ଓ ମହିଳା ଏକସ:ସି:ଓ (କ୍ରାଶ କଣ୍ଟ୍ରି ଅଲିମ୍ପିକ୍) ପ୍ରତିଯୋଗିତା। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ସାଇକ୍ଲିଷ୍ଟ ମାନେ ମହେନ୍ଦ୍ରଗିରିର କଠିନ ଓ ଚ୍ୟାଲେଞ୍ଜିଂ ଟ୍ରାକ୍‌ରେ ନିଜର ଗତି, ଦକ୍ଷତା ଓ ସହନଶୀଳତାର ପ୍ରଦର୍ଶନ କରିଥିଲେ।

ଆଜି ୭ଟି XCO ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପୁରୁଷ ଓ ମହିଳା ବୟସ ବର୍ଗରେ ରାଇଡରମାନେ ମୋଟ ୨୧ଟି ପଦକ ପାଇଁ ମହେନ୍ଦ୍ରଗିରିର କଠିନ ଭୂ-ଭାଗରେ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ଦିନର ପ୍ରତିଯୋଗିତା ଶେଷରେ ଆୟୋଜିତ ପଦକ ବିତରଣ ସମାରୋହରେ ୨ୟ ବାଟାଲିୟନ୍ ଆଇ:ଆର:ବି ର ସିନିୟର କମାଣ୍ଡାଣ୍ଟ ଶ୍ରୀ ବ୍ରଜମୋହନ ନାୟକ ଏବଂ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଆଡମିନିଷ୍ଟ୍ରେଟିଭ୍ ଡାଇରେକ୍ଟର ଶ୍ରୀ ଭି.ଏନ୍. ସିଂହ ଯୋଗଦେଇ ବିଭିନ୍ନ ବର୍ଗର ବିଜେତା କ୍ରୀଡ଼ାବିତ୍‌ ମାନଙ୍କୁ ପଦକ ପ୍ରଦାନ କରିଥିଲେ।

ତୃତୀୟ ଦିନର ପ୍ରତିଯୋଗିତା ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ ହୋଇଥିବାରୁ ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ଏହି ଆୟୋଜନକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କୁ ହୃଦୟର ସହ କୃତଜ୍ଞତା ଜଣାଇଥିଲେ।

ବିଶେଷକରି ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ବୈଷୟିକ ଅଧିକାରୀ, ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍‌ର ସଦସ୍ୟ ଓ ସ୍ୱେଚ୍ଛାସେବୀ, ଗଜପତି ଜିଲ୍ଲା ପୋଲିସ୍ ଟିମ୍, ଚିକିତ୍ସା ଦଳ, ଅଗ୍ନିଶମ ବାହିନୀ, ମାର୍ଶାଲ୍‌ମାନେ ଏବଂ ସ୍ଥାନୀୟ ପ୍ରଶାସନ ଦିନରାତି ନିଷ୍ଠାର ସହ କାର୍ଯ୍ୟ କରି ପ୍ରତିଯୋଗିତାକୁ ସୁରକ୍ଷିତ ଓ ସୁଚାରୁ ଭାବେ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଛନ୍ତି।

ତିନି ଦିନର ସଫଳ ଆୟୋଜନ ପରେ ଏବେ ମହେନ୍ଦ୍ରଗିରିରେ ଚାମ୍ପିଅନସିପ୍‌ର ଅନ୍ତିମ ଦିନକୁ ନେଇ ଉତ୍ସାହ ବଢ଼ିଛି। ୨୩ତମ ଜାତୀୟ ଏମ:ଟି:ବି ସାଇକ୍ଲିଂ ଚାମ୍ପିଅନସିପ୍‌ର ଚତୁର୍ଥ ତଥା ଅନ୍ତିମ ଦିନ ପାଇଁ କଇଁପୁର ସମ୍ପୂର୍ଣ ଭାବେ ପ୍ରସ୍ତୁତ ରହିଛି ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————