October 4, 2026

60 ଲକ୍ଷ ଟଙ୍କା ଠକି ଫେକ୍ ଇଞ୍ଜିନିୟର ମହିଳା ଏବଂ ତା’ର ମାଷ୍ଟରମାଇଣ୍ଡ ସ୍ୱାମୀ ଗିରଫ 

IMG-20261003-WA0118
Share

 

 

 

କେନ୍ଦୁଝର ( ଦେବାଶିଷ ଦାଶ )

 

 

କେନ୍ଦୁଝରରେ ଖଣି ବ୍ୟବସାୟ କରୁଥିବା ତଥା ସୂର୍ଯ୍ୟନଗରରେ ଅଫିସ୍ କରିଥିବା‌ ଅଭିଯୋଗକାରୀ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କୁ ୨୦୨୪ ମସିହାରେ ସସ୍ମିତା ସାମଲ ନାମକ ଜଣେ ମହିଳା ନିଜକୁ ‘ପ୍ରିୟଙ୍କା ପ୍ରଧାନ’ ବୋଲି ମିଥ୍ୟା ପରିଚୟ ଦେଇ ଭେଟିଥିଲା। ନିଜକୁ ଜଣେ ଯୋଗ୍ୟ ସିଭିଲ୍ ଇଞ୍ଜିନିୟର ବୋଲି ଦର୍ଶାଇ ଚାକିରି ପାଇଁ ନିବେଦନ କରିଥିଲା ଏବଂ ଅଭିଯୋଗକାରୀ ତାକୁ ନିଜ କମ୍ପାନୀରେ କାମ କରିବାକୁ ଅନୁମତି ଦେଇଥିଲେ।

କାମରେ ଯୋଗଦେବା ପୂର୍ବରୁ ସସ୍ମିତା ଏକ ଦୁର୍ଘଟଣାରେ (RTA) ଶିକାର ହୋଇ ହସ୍ପିଟାଲରେ ଥିବା କହି ଅଭିଯୋଗକାରୀଙ୍କୁ ଚିକିତ୍ସା ପାଇଁ ଟଙ୍କା ମାଗିଥିଲା । ଅଭିଯୋଗକାରୀ ବିଶ୍ୱାସ କରି ଡିଜିଟାଲ୍ ମୋଡ୍ ମାଧ୍ୟମରେ ସସ୍ମିତାଙ୍କ ସମ୍ପର୍କୀୟ ଭଉଣୀ ପ୍ରିୟଙ୍କା ପ୍ରଧାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ । ପରବର୍ତ୍ତୀ ସମୟରେ, ମୁଖ୍ୟ ଅଭିଯୁକ୍ତ ତଥା ସସ୍ମିତାର ସ୍ୱାମୀ ଦିନେଶ ରଞ୍ଜନ ଦାଶ ଏବଂ ସସ୍ମିତା ଉଭୟ ମିଶି ଏକ ଷଡ଼ଯନ୍ତ୍ର ରଚିଥିଲେ । ଅଭିଯୋଗକାରୀଙ୍କ ସରଳତାର ସୁଯୋଗ ନେଇ ସସ୍ମିତା ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଏମ୍.ବି.ଏ. ପାଠପଢ଼ା, ମେଡିକାଲ୍ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବାହାନା କରି ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷ ଟଙ୍କା ଠକି ନେଇଥିଲା । ଏପରିକି ଏକ ଜାଲ୍ ଇନକମ୍ ସାର୍ଟିଫିକେଟ୍ ମଧ୍ୟ ପ୍ରସ୍ତୁତ କରିଥିଲେ ଏବଂ ବାଙ୍ଗାଲୋରରେ ‘DONAFUNDIX DAYANANDA EDUCATION FOUNDATION’ ନାମରେ ଏକ ନକଲି ସଂସ୍ଥା ଖୋଲି ସେହି ଆକାଉଣ୍ଟକୁ ମଧ୍ୟ ଅଭିଯୋଗକାରୀଙ୍କ ଠାରୁ ଟଙ୍କା ନେଇଥିଲେ । ଠକେଇ ହୋଇଥିବା ବିପୁଳ ଅର୍ଥକୁ ଦିନେଶ ନିଜ ଆକାଉଣ୍ଟକୁ ନେଇ ଏକ ନିସାନ୍ ମ୍ୟାଗ୍ନାଇଟ୍ କାର୍ କିଣିବା ସହ ଅୟସ କରୁଥିଲା । ଏହି ଠକେଇ ବିଷୟରେ ଜାଣିବା ପରେ ଅଭିଯୋଗକାରୀ ଥାନାରେ ଏତଲା ଦେଇଥିଲେ । କ୍ୟାପିଟାଲ୍ ପୋଲିସ ତୁରନ୍ତ ଘଟଣାର ତଦନ୍ତ କରି ପ୍ରମାଣ ସଂଗ୍ରହ କରିବା ସହ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ସୁନ୍ଦରପଦାରୁ କାବୁ କରିଛି । ଅପରାଧିକ ପୃଷ୍ଠଭୂମି ଯାଞ୍ଚ ରୁ ଗିରଫ ଅଭିଯୁକ୍ତ ଦିନେଶ ନାମରେ ପୂର୍ବରୁ ଯାଜପୁର ଥାନାରେ ଏକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି ।ସଂଗୃହୀତ ପ୍ରମାଣ ଆଧାରରେ ସେମାନଙ୍କୁ ଆଜି ଗିରଫ କରାଯାଇ ୧୫ ଦିନିଆ ରିମାଣ୍ଡ ପ୍ରାର୍ଥନା ସହ କୋର୍ଟ ଚାଲାଣ କରାଯାଇଛି ।