October 3, 2026

ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର

IMG-20261003-WA0018
Share

 

 

ବରଗଡ଼,(ସୁଦାମ ଦୀପ)

ରକ୍ତଦାନ ଉତ୍ସବରେ ମାନବ ସେବାର ଏକ ମହାନ ବାର୍ତ୍ତା ଦେଉଥିବା ବେଳେ, ଅନ୍ୟପଟେ ଜଣେ ଅସହାୟ ବୃଦ୍ଧାଙ୍କ ଶବକୁ ସସମ୍ମାନେ ସତ୍କାର କରି ନିଷ୍ଠା ପରିବାର ପୁଣିଥରେ ପ୍ରମାଣ କରିଛି—ମାନବ ସେବା ହିଁ ମାଧବ ସେବା ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥାସ୍ଥିତ ନିଷ୍ଠା ଭବନରେ ରକ୍ତଦାନ ଉତ୍ସବ ଚାଲିଥିବା ସମୟରେ ନିଷ୍ଠା ପରିବାରର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀଙ୍କ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା। ଖବର ଥିଲା—ବରପାଲି ବ୍ଲକ ଅନ୍ତର୍ଗତ କେବାଡ଼ ଗ୍ରାମର ୮୫ ବର୍ଷୀୟା ସୀତା ବିଶି ଦୀର୍ଘଦିନ ଧରି ଅସୁସ୍ଥ ଥାଇ ଗତ ୩୦ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ମୃତ୍ୟୁବରଣ କରିଥିଲେ। ଦୁଃଖର ବିଷୟ, ତାଙ୍କର କେହି ନିକଟ ସମ୍ପର୍କୀୟ ନଥିବାରୁ ଦୀର୍ଘ ୨୦ ଘଣ୍ଟା ଧରି ଶବ ପଡ଼ି ରହିଥିଲା। ଶବ ସତ୍କାର ପାଇଁ କେହି ଆଗେଇ ଆସିନଥିଲେ। ଶେଷରେ ନିଷ୍ଠା ପରିବାରର ଯୋଗାଯୋଗ ନମ୍ବର ସଂଗ୍ରହ କରି ତାଙ୍କର ଜଣେ ଦୂର ସମ୍ପର୍କୀୟ ସୀତା ବିଶି ନିଷ୍ଠା ପରିବାରକୁ ଜଣାଇଥିଲେ। ରକ୍ତଦାନ ଉତ୍ସବ ଭଳି ଏକ ମହତ୍ କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ନିଷ୍ଠା ପରିବାର ମାନବିକତାକୁ ପ୍ରାଥମିକତା ଦେଇ ତୁରନ୍ତ ଏକ ଟିମ୍‌କୁ କେବାଡ଼ ଅଭିମୁଖେ ବାହାରିଥିଲେ।ସେଠାରେ ପହଞ୍ଚିବା ପରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା, ତାହା ଅତ୍ୟନ୍ତ ହୃଦୟବିଦାରକ ଥିଲା। ଘରଠାରୁ ଶ୍ମଶାନ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିଲେ ମଧ୍ୟ ଶବ ନେବା ପାଇଁ କୌଣସି ଗାଡ଼ିର ବ୍ୟବସ୍ଥା ହୋଇପାରିନଥିଲା କି କେହି ମଧ୍ୟ ଗାଡ଼ି ଦେବାକୁ ଆଗେଇ ଆସିନଥିଲେ।ଶେଷରେ ଅନ୍ୟ କୌଣସି ଉପାୟ ନପାଇ ନିଷ୍ଠା ପରିବାରର ସଦସ୍ୟମାନେ ଖଟରେ ଶବକୁ କାନ୍ଧରେ ବୋହି  ପ୍ରାୟ ଦୁଇ କିଲୋମିଟର ନେଇ ଯାଇଥିଲେ ଏବଂ ସସମ୍ମାନେ ଶବ ସତ୍କାର କରିଥିଲେ। ଜଣେ ଦୂର ସମ୍ପର୍କୀୟ ମୁଖାଗ୍ନି ଦେଇଥିଲେ।ରକ୍ତଦାନ ଠାରୁ ଆରମ୍ଭ କରି ଅଜଣା ଶବ ସତ୍କାର ପର୍ଯ୍ୟନ୍ତ—ମାନବିକତାର ପ୍ରତ୍ୟେକ ମୁହୂର୍ତ୍ତରେ ନିଷ୍ଠା ପରିବାର ନିଜର ସେବା ଜାରି ରଖିଛି।ଏହି ମହତ୍ କାର୍ଯ୍ୟରେ ନିଷ୍ଠା ପରିବାରର ସକ୍ରିୟ ସଦସ୍ୟ ନିବୃତ୍ତ ପଣ୍ଡା, ସୁଦାମ ପଧାନ,ଅମିତ ଭୋଇ, ଶୁଭ୍ରାଂଶୁ ସରାଫ ଓ ସଙ୍କେତ ଆଠଘରା ଉପସ୍ଥିତ ରହି ଶବ ସତ୍କାର କାର୍ଯ୍ୟ ସମ୍ପନ୍ନ କରିଥିଲେ।ଜୀବନରେ ସାଥୀ ନଥିଲେ ମଧ୍ୟ, ଶେଷ ଯାତ୍ରାରେ କେହି ଯେପରି ଏକା ନ ରୁହନ୍ତୁ—ଏହି ଭାବନା ହିଁ ନିଷ୍ଠା ପରିବାରର ମୂଳମନ୍ତ୍ର।