October 2, 2026

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା , ୪ ଆହତଙ୍କ ମଧ୍ୟରୁ ୩ ଗୁରୁତର 

IMG-20261001-WA0095
Share

 

ବୁଗୁଡା : ତା ୦୧/୧୦/୨୬ :(ହର ପ୍ରସାଦ ପାଢି) ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ଛକ ଓ ପେଟ୍ରୋଲ ପମ୍ପ ମଝି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଆରୋହୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଆହତମାନେ ହେଲେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମର ଜିତେନ୍ଦ୍ର ସାଠୁଆ (୪୦) ଓ ଗୋପାଳ ସେଠୀ (୨୭) ଏବଂ ବୁଗୁଡା ଥାନା ଅନ୍ତର୍ଗତ ପଙ୍କଳବାଡି ଗ୍ରାମର ଚନ୍ଦନ ଦାସ(୪୨) ଓ ପାଏଲ ନାଇକ (୧୩)। ଘଟଣାରୁ ପ୍ରକାଶ ଯେ, ଗୁରୁବାର ସଂଧ୍ୟାରେ ଚନ୍ଦନ ଓ ପାଏଲ ବାଇକ୍(ନଂ ଓଡି-୩୨କେ ୪୭୭୯) ଯୋଗେ ବୁଗୁଡାରୁ ଗାଁକୁ ଫେରୁଥିଲେ ଏବଂ ଜିତେନ୍ଦ୍ର ଓ ଗୋପାଳ ମଧ୍ୟ ବାଇକ୍ (ନଂ ଓଡି-୨୫ବି ୯୩୯୫) ଯୋଗେ ବୁଗୁଡାକୁ ଆଡକୁ ଆସୁଥିଲେ। ତେବେ ପେଟ୍ରୋଲ ପମ୍ପ ପରେ ଖୋଳଖାଳି ଛକ ପୂର୍ବରୁ ରାଜ୍ୟ ରାଜପଥରେ ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଗୋପାଳ ଓ ଚନ୍ଦନର ଡାହାଣ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ପାଏଲଙ୍କ ଅଣ୍ଟାରେ ଆଘାତ ଲାଗିଥିଲା ଏବଂ ଜିତେନ୍ଦ୍ରଙ୍କ ଡାହାଣ ପାଦ ଓ ଆଣ୍ଠୁରେ ଆଘାତ ଲାଗିଥିଲା। ଆହତ ଚାରି ଜଣଙ୍କୁ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୋପାଳ, ଚନ୍ଦନ ଓ ପାଏଲଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ପୋଲିସ ମେଡିକାଲ ଏବଂ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

You may have missed