October 2, 2026

ପୁରୀରେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ୧୪ତମ ପ୍ରତିଷ୍ଠା ଦିବସ ଓ ଦୁଇଦିନିଆ ଜାତୀୟ ଅଧିବେଶନ ସଫଳତାର ସହ ସମ୍ପନ୍ନ

IMG-20261001-WA0077
Share

 

ପୁରୀ, ୧ ଅକ୍ଟୋବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ ପୁରୀରେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ୧୪ତମ ପ୍ରତିଷ୍ଠା ଦିବସ, ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଓ ଜାତୀୟ ଅଧିବେଶନ ସଫଳତାର ସହ ସମ୍ପନ୍ନ ହୋଇଛି। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଜାତୀୟ ଓ ପ୍ରାଦେଶିକ ପଦାଧିକାରୀ, ସାଧୁ-ସନ୍ଥ ଏବଂ ପ୍ରାୟ ୪୦୦ କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ ଅଂଶଗ୍ରହଣରେ ଏହି ଜାତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୁଇଦିନିଆ ଏହି ଜାତୀୟ ଆୟୋଜନରେ ସଂଗଠନର ବିସ୍ତାର, ସାମାଜିକ ସେବା, ସନାତନ ସଂସ୍କୃତି, ଆଧ୍ୟାତ୍ମିକ ଚେତନା, ରାଷ୍ଟ୍ରବାଦ, ସାଂଗଠନିକ ଶୃଙ୍ଖଳା, ଜନସମ୍ପର୍କ, ସଦସ୍ୟତା ବୃଦ୍ଧି ଓ ଭବିଷ୍ୟତ କାର୍ଯ୍ୟଯୋଜନା ସମେତ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ଓ ମତବିନିମୟ ହୋଇଥିଲା। ଓଡ଼ିଶା ପ୍ରଭାରୀ ବ୍ରହ୍ମାନନ୍ଦ ସାହୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଡା. ସୁନୀତି ମୁଣ୍ଡ ସମସ୍ତ ଅତିଥି ଓ ପ୍ରତିନିଧିଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।

ପପ୍ରଥମ ଦିନ ଜାତୀୟ କାର୍ଯ୍ୟକାରିଣୀ ଅଧୀନରେ ଚାରିଟି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଅଧିବେଶନରେ ସଂଗଠନର ବର୍ତ୍ତମାନୀନ କାର୍ଯ୍ୟକଳାପ, ଭବିଷ୍ୟତ ରଣନୀତି ଓ ବିଭିନ୍ନ ପ୍ରକୋଷ୍ଠର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ମନ୍ଥନ ହୋଇଥିଲା।

ପ୍ରଥମ ଅଧିବେଶନରେ କେନ୍ଦ୍ରୀୟ ନିର୍ଣ୍ଣାୟକ ମଣ୍ଡଳର ଅଧ୍ୟକ୍ଷ ଅଭୟାନନ୍ଦ ମିଶ୍ର ସଂଚାଳନ କରିଥିଲେ। ଏଥିରେ ଜାତୀୟ ଅଧ୍ୟକ୍ଷ ସତ୍ୟେନ୍ଦ୍ର ଦୁବେ ‘ସତ୍ୟା’, ଜାତୀୟ ପରିଷଦର ବରିଷ୍ଠ ସଦସ୍ୟ ମହେନ୍ଦ୍ର ନାଥ ମିଶ୍ର, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ସାରାଂଶ ନିଗମ, ଜାତୀୟ ପରିଷଦ ସଦସ୍ୟ ଡି.ଏନ୍. ମଧୁ, ପ୍ରଫେସର ସୁରେଶ ବାଘ, ଟି. ବିଜୟ ଏବଂ ରାଧାରମଣ କୁଳଶ୍ରେଷ୍ଠଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

ଏହି ଅଧିବେଶନରେ ସାଂଗଠନିକ ନେତୃତ୍ୱ, କେନ୍ଦ୍ରୀୟ କାର୍ଯ୍ୟକାରିଣୀର ଭୂମିକା ଏବଂ ସଂଗଠନକୁ ଅଧିକ ସକ୍ରିୟ ଓ ପ୍ରଭାବଶାଳୀ କରିବା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

ମଧ୍ୟପ୍ରଦେଶ ପ୍ରଦେଶ ଅଧ୍ୟକ୍ଷ ସନ୍ଦୀପ ବୋଷଙ୍କ ସଂଚାଳନାରେ ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ଏଥିରେ ମହେନ୍ଦ୍ର ନାଥ ମିଶ୍ର, ଚନ୍ଦ୍ରିକା ପ୍ରସାଦ ପାଣ୍ଡେୟ, କୁଁଅର ଆଦର୍ଶ ସିଂହ, ମୁନ୍ନୀଲାଲ ଶ୍ରୀବାସ, ରବିତା ବିଶ୍ୱକର୍ମା ଏବଂ କବି ରାମେନ୍ଦ୍ର ସିଂହ ବ୍ରଜବାସୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସଂଗଠନର ଆର୍ଥିକ ନୀତି ଓ ଭବିଷ୍ୟତ ଆର୍ଥିକ ଯୋଜନା, ପ୍ରଚାର ବିଭାଗର କାର୍ଯ୍ୟପ୍ରଣାଳୀ, ସକ୍ରିୟ ଓ କର୍ମଠ ସଦସ୍ୟଙ୍କ ଭୂମିକା ଏବଂ ସାପ୍ତାହିକ ହିନ୍ଦୁ ସମାଗମ ଭଳି ସାଂଗଠନିକ ବିଷୟ ଉପରେ ମତବିନିମୟ ହୋଇଥିଲା। ବିଭିନ୍ନ ପ୍ରକୋଷ୍ଠକୁ ଅଧିକ ସକ୍ରିୟ କରିବା ଏବଂ ଜନସମ୍ପର୍କକୁ ମଜବୁତ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ତୃତୀୟ କେନ୍ଦ୍ରୀୟ ଆଇନ ପ୍ରକୋଷ୍ଠ ଅଧ୍ୟକ୍ଷ ଜିତେନ୍ଦ୍ର ମିଶ୍ର ‘ଜିତୁ’ଙ୍କ ସଂଚାଳନାରେ ତୃତୀୟ ଅଧିବେଶନ ହୋଇଥିଲା।

ଏଥିରେ ରାଧାରମଣ କୁଳଶ୍ରେଷ୍ଠ, ଅଭୟାନନ୍ଦ ମିଶ୍ର, ଡି.ଏନ୍. ମଧୁ, ବିନୟ ଝା, ଗୁଲଶନ ଆରୋରା ଏବଂ ରିତେଶ ଶ୍ରୀବାସ୍ତବ ଉପସ୍ଥିତ ଥିଲେ।

ଭଗବାନ ଶ୍ରୀଜଗନ୍ନାଥଙ୍କ ସ୍ତୁତି ଓ ମାଙ୍ଗଳିକ କାର୍ଯ୍ୟକ୍ରମ ସହ ଏହି ଅଧିବେଶନ ଆରମ୍ଭ ହୋଇଥିଲା। ସଂଗଠନର ସମ୍ପର୍କ ଓ ସୂଚନା ବ୍ୟବସ୍ଥା, ବିଭିନ୍ନ ରାଜ୍ୟରେ ସଂଗଠନର କାର୍ଯ୍ୟକଳାପର ବିସ୍ତାର, ସଂଗଠନର ମୂଳ ଧାରଣା, ଧ୍ୟେୟବାକ୍ୟ ଏବଂ ‘ହିନ୍ଦୁ ରାଷ୍ଟ୍ର ଘୋଷଣା ଯାତ୍ରା’ ଭଳି ବିଷୟ ଉପରେ ଆଲୋଚନା ହୋଇଥିଲା।

କେନ୍ଦ୍ରୀୟ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ସାରାଂଶ ନିଗମଙ୍କ ସଂଚାଳନାରେ ଚତୁର୍ଥ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଜାତୀୟ ଅଧ୍ୟକ୍ଷ ଶ୍ରୀମନ୍ତ ସତ୍ୟେନ୍ଦ୍ର ଦୁବେ ‘ସତ୍ୟା’, ଟି. ବିଜୟ, ବ୍ରହ୍ମାନନ୍ଦ ସାହୁ, ଡା. ସୁନୀତି ମୁଣ୍ଡ, ଚିତ୍ରସେନ ରାଉତ ରାୟ ଏବଂ ପୁଷ୍କର ନାୟକଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

ଏହି ଅଧିବେଶନରେ ସଂଗଠନର ଆଗାମୀ ରଣନୀତି, ସଦସ୍ୟତା ବୃଦ୍ଧି, ସମସ୍ତ ଜିଲ୍ଲାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥାପନ, ବୈଦିକ ଗୁରୁକୁଳ ପ୍ରତିଷ୍ଠା, ହିନ୍ଦୁ ଶକ୍ତି କେନ୍ଦ୍ରର ବିସ୍ତାର ଏବଂ ଆଗାମୀ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ମନ୍ଥନ ହୋଇଥିଲା। ଏହାପରେ ବିଭିନ୍ନ ପ୍ରଦେଶର ପ୍ରଭାରୀ, ପ୍ରଦେଶ ଅଧ୍ୟକ୍ଷ, କେନ୍ଦ୍ରୀୟ ସମିତିର ଅଧ୍ୟକ୍ଷ, କେନ୍ଦ୍ରୀୟ ପ୍ରକୋଷ୍ଠର ଅଧ୍ୟକ୍ଷ ଏବଂ ଜାତୀୟ ପରିଷଦର ପ୍ରମୁଖ ପଦାଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଅଧିବେଶନ ହୋଇଥିଲା। ଏଥିରେ ସଂଗଠନର ରାଷ୍ଟ୍ରବ୍ୟାପୀ ବିସ୍ତାର ଓ ଭବିଷ୍ୟତ କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜାତୀୟ ଅଧିବେଶନର ଦ୍ୱିତୀୟ ଦିନ ପ୍ରାତଃକାଳରେ ସଂଗଠନର ଋଷି ପ୍ରକୋଷ୍ଠ ପ୍ରମୁଖ ଋକ୍‌ବେଦୀ ଆଚାର୍ଯ୍ୟ ଅରକ୍ଷିତଙ୍କ ମାର୍ଗଦର୍ଶନରେ ସଂଗଠନ ଧ୍ୱଜର ପୂଜାର୍ଚ୍ଚନା ପରେ ଧ୍ୱଜାରୋହଣ କରାଯାଇଥିଲା। ଏହାପରେ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଡା. ସୁନୀତି ମୁଣ୍ଡ, ସଂଗଠନ ମନ୍ତ୍ରୀ ସୋନୁ ପାଣ୍ଡେୟ, ଓଡ଼ିଶା ପ୍ରଦେଶ ମହାସଚିବ କିଶୋର ସୁତାର, ତେଲେଙ୍ଗାନା ପ୍ରଦେଶ ଅଧ୍ୟକ୍ଷ ଟି. ବିଜୟ, ଆଣ୍ଡାମାନ-ନିକୋବର ପ୍ରଦେଶ ଅଧ୍ୟକ୍ଷ ଡି.ଏନ୍. ମଧୁ, ମହାରାଷ୍ଟ୍ର ପ୍ରଦେଶ ଉପାଧ୍ୟକ୍ଷ ପ୍ରଫେସର ସୁରେଶ ବାଘଙ୍କ ସମେତ ବିଭିନ୍ନ ରାଜ୍ୟର ପଦାଧିକାରୀ ଓ ପ୍ରତିନିଧିମାନେ ସମୁଦ୍ର ପୂଜନ କରିଥିଲେ। ସମୁଦ୍ର ଦେବତାଙ୍କ ନିକଟରୁ ଅନୁମତି ଓ ଆଶୀର୍ବାଦ ଗ୍ରହଣ କରିବା ପରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରାୟ ୪୦୦ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ସାମୂହିକ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମାରେ ସାମିଲ ହୋଇଥିଲେ। ଭକ୍ତି ଓ ଶୃଙ୍ଖଳାର ସହ ସମସ୍ତେ ମନ୍ଦିର ପରିକ୍ରମା କରି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଦ୍ୱିତୀୟ ଦିନ ସନ୍ଧ୍ୟା ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ପୁରୀ ଟାଉନ୍ ହଲ୍‌ରେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ୧୪ତମ ପ୍ରତିଷ୍ଠା ଦିବସର ଭବ୍ୟ ସମାପନ ସମାରୋହ ଅନୁଷ୍ଠିତ ହୋଇଥିଲା। ସମାରୋହରେ ସାଧୁ-ସନ୍ଥ, ଜାତୀୟ ଓ ପ୍ରାଦେଶିକ ପଦାଧିକାରୀ, ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧି, ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଓ ନାଗରିକ ଯୋଗ ଦେଇଥିଲେ।

ମଞ୍ଚରେ ଶ୍ରୀ ମୀନାକେତନ ମିଶ୍ର, ଶ୍ରୀ ସାରାଂଶ ନିଗମ, ଶ୍ରୀ ଉଦୟ ପ୍ରତାପ ସିଂହ, ଶ୍ରୀ ସୁରେଶ ବାଘ, ଶ୍ରୀ ଟି. ବିଜୟ, ପୂଜ୍ୟ ରାଧାରମଣ କୁଳଶ୍ରେଷ୍ଠ ମହାରାଜ, ଶ୍ରୀ ଡି.ଏନ୍. ମଧୁ, ଶ୍ରୀ ମହେନ୍ଦ୍ରନାଥ ମିଶ୍ର, ସ୍ୱାମୀ ନବଳ କିଶୋର ମହାରାଜ, ସ୍ୱାମୀ ତପସ୍ୟାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ମହୀପ୍ରକାଶ ମହାରାଜ, ପୂଜ୍ୟ ଜୟନାରାୟଣ ମହାରାଜ, ଶ୍ରୀ ଚନ୍ଦ୍ରିକା ପାଣ୍ଡେୟ, ଜାତୀୟ ଅଧ୍ୟକ୍ଷ ଶ୍ରୀ ସତ୍ୟେନ୍ଦ୍ର ଦୁବେ ଏବଂ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଡା. ସୁନୀତି ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ସମାପନ ସମାରୋହରେ ବକ୍ତାମାନେ ରାଷ୍ଟ୍ରବାଦ, ସନାତନ ସଂସ୍କୃତି, ଆଧ୍ୟାତ୍ମିକ ଚେତନା, ସାମାଜିକ ସମରସତା ଏବଂ ସଂଗଠନର ଭୂମିକା ଭଳି ବିଭିନ୍ନ ବିଷୟରେ ନିଜ ମତ ରଖିଥିଲେ। ଶ୍ରୀ ମୀନାକେତନ ମିଶ୍ର ରାଷ୍ଟ୍ର ଓ ସଂସ୍କୃତି ପ୍ରତି ଦାୟିତ୍ୱକୁ ଗୁରୁତ୍ୱ ଦେଇ ସଂଗଠନକୁ ସମାଜର ବିଭିନ୍ନ ବର୍ଗ ମଧ୍ୟରେ ସଂଳାପ ଓ ସେବାର ମାଧ୍ୟମ ଭାବେ ବିକଶିତ କରିବା ଉପରେ ଜୋର ଦେଇଥିଲେ। ଶ୍ରୀ ସାରାଂଶ ନିଗମ ସାଂଗଠନିକ ଶୃଙ୍ଖଳା, କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟ ଭୂମିକା ଏବଂ ରାଷ୍ଟ୍ରବ୍ୟାପୀ ବିସ୍ତାରକୁ ସଂଗଠନର ପ୍ରାଥମିକତା ସହ ଯୋଡ଼ିବା ସହ ନିରନ୍ତର ଜନସମ୍ପର୍କର ଆବଶ୍ୟକତା ଉପରେ ମତ ରଖିଥିଲେ। ଶ୍ରୀ ଉଦୟ ପ୍ରତାପ ସିଂହ ରାଷ୍ଟ୍ରବାଦକୁ କେବଳ ଏକ ବିଚାର ନୁହେଁ, ବରଂ ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ସହ ଯୋଡ଼ିବାର ଆବଶ୍ୟକତା ଦର୍ଶାଇଥିଲେ। ଏଥିସହ ଯୁବପିଢ଼ିର ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦେଇଥିଲେ। ପ୍ରଫେସର ସୁରେଶ ବାଘ ଭାରତୀୟ ଜ୍ଞାନ ପରମ୍ପରା, ସଂସ୍କୃତି ଓ ସନାତନ ମୂଲ୍ୟବୋଧକୁ ନୂଆ ପିଢ଼ି ନିକଟରେ ପହଞ୍ଚାଇବା ସହ ଶିକ୍ଷା ଓ ସାମାଜିକ ସଚେତନତା ମାଧ୍ୟମରେ ସାଂସ୍କୃତିକ ଚେତନାକୁ ସୁଦୃଢ଼ କରିବା ଉପରେ ଜୋର ଦେଇଥିଲେ। ଶ୍ରୀ ଟି. ବିଜୟ ବିଭିନ୍ନ ରାଜ୍ୟରେ ସଂଗଠନାତ୍ମକ ଏକତା ଏବଂ ରାଷ୍ଟ୍ରହିତ ସମ୍ପର୍କିତ ପ୍ରସଙ୍ଗରେ ସମନ୍ୱିତ ପ୍ରୟାସର ଆବଶ୍ୟକତା ଦର୍ଶାଇଥିଲେ।

ପୂଜ୍ୟ ରାଧାରମଣ କୁଳଶ୍ରେଷ୍ଠ ମହାରାଜ ଆଧ୍ୟାତ୍ମିକତା ଓ ସନାତନ ଜୀବନଦୃଷ୍ଟିର ଗୁରୁତ୍ୱ ଉପରେ ଆଲୋକପାତ କରି ରାଷ୍ଟ୍ର ନିର୍ମାଣ ସହ ଚରିତ୍ର ନିର୍ମାଣ ଓ ଆତ୍ମିକ ଜାଗରଣ ମଧ୍ୟ ଆବଶ୍ୟକ ବୋଲି କହିଥିଲେ।

ଶ୍ରୀ ଡି.ଏନ୍. ମଧୁ ଦେଶର ବିଭିନ୍ନ ଅଞ୍ଚଳରେ ସଂଗଠନର କାର୍ଯ୍ୟକଳାପ ବିସ୍ତାର, ସାମାଜିକ ସେବା ଓ ସାଂସ୍କୃତିକ ଜାଗରଣ ସମ୍ପର୍କରେ ମତ ରଖିଥିଲେ।

ଶ୍ରୀ ମହେନ୍ଦ୍ରନାଥ ମିଶ୍ର ସଂଗଠନର ଅଭିଜ୍ଞତା ଓ କାର୍ଯ୍ୟକର୍ତ୍ତାଙ୍କ ଶକ୍ତିକୁ ଏକତ୍ର କରି ଦୀର୍ଘକାଳୀନ ସାଂଗଠନିକ ଯୋଜନା ଉପରେ ଗୁରୁତ୍ୱ ଦେଇଥିଲେ। ସ୍ୱାମୀ ନବଳ କିଶୋର ମହାରାଜ ଭାରତୀୟ ଆଧ୍ୟାତ୍ମିକ ପରମ୍ପରା, ସେବା ଓ ସଂସ୍କାରକୁ ସମାଜ ଜୀବନର ଆଧାର କରିବାର ଆବଶ୍ୟକତା ଦର୍ଶାଇଥିଲେ।ସ୍ୱାମୀ ତପସ୍ୟାନନ୍ଦ ସରସ୍ୱତୀ ମହାରାଜ ଆଧ୍ୟାତ୍ମିକ ଚେତନାକୁ ବ୍ୟକ୍ତିଗତ ଜୀବନରୁ ଆଗକୁ ନେଇ ସମାଜ ଓ ରାଷ୍ଟ୍ର କଲ୍ୟାଣ ସହ ଯୋଡ଼ିବାର ସନ୍ଦେଶ ଦେଇଥିଲେ। ସ୍ୱାମୀ ମହୀପ୍ରକାଶ ମହାରାଜ ସନାତନ ପରମ୍ପରାର ବ୍ୟାପକତା, ମାନବ କଲ୍ୟାଣର ଭାବନା ଏବଂ ଭାରତୀୟ ଆଧ୍ୟାତ୍ମିକ ଦୃଷ୍ଟିକୋଣକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ଆବଶ୍ୟକତା ଉପରେ ମତ ରଖିଥିଲେ।

ପୂଜ୍ୟ ଜୟନାରାୟଣ ମହାରାଜ, ମୁଖ୍ୟ ସେବାୟତ, ଶ୍ରୀଜଗନ୍ନାଥ ମନ୍ଦିର, ପୁରୀ ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରମ୍ପରା, ଶଙ୍ଖକ୍ଷେତ୍ରର ମହତ୍ତ୍ୱ ଓ ଶଙ୍ଖନାଦର ସାଂସ୍କୃତିକ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଶ୍ରୀ ଚନ୍ଦ୍ରିକା ପାଣ୍ଡେୟ ସଂଗଠନର ବିସ୍ତାର, ସକ୍ରିୟ ସଦସ୍ୟତା ଏବଂ ସାମାଜିକ ସମ୍ପର୍କକୁ ମଜବୁତ କରିବା ଉପରେ ଜୋର ଦେଇଥିଲେ।

ଜାତୀୟ ଅଧ୍ୟକ୍ଷ ଶ୍ରୀ ସତ୍ୟେନ୍ଦ୍ର ଦୁବେ ସଂଗଠନର ଆଗାମୀ ବିସ୍ତାର, ରାଷ୍ଟ୍ରବ୍ୟାପୀ ସମ୍ପର୍କ, ସଦସ୍ୟତା ବୃଦ୍ଧି ଏବଂ କାର୍ଯ୍ୟକର୍ତ୍ତାଙ୍କୁ ସକ୍ରିୟ ଭୂମିକା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ଶୃଙ୍ଖଳା, ବିଚାର ଓ ସେବାକୁ ଆଧାର କରି ସଂଗଠନକୁ ଆଗକୁ ନେବାକୁ ସେ ଆହ୍ୱାନ ଦେଇଥିଲେ।

ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଡା. ସୁନୀତି ମୁଣ୍ଡ ପୁରୀରେ ଜାତୀୟ ଅଧିବେଶନର ଆୟୋଜନକୁ ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି କହିଥିଲେ। ଶ୍ରୀଜଗନ୍ନାଥଙ୍କ ଭୂମିରେ ଦେଶର ବିଭିନ୍ନ ରାଜ୍ୟର କାର୍ଯ୍ୟକର୍ତ୍ତାଙ୍କ ଏକତ୍ରିତ ହେବା ଆଧ୍ୟାତ୍ମିକ ଓ ସାଂଗଠନିକ ଏକତାର ପ୍ରତୀକ ବୋଲି ସେ ମତ ରଖିଥିଲେ। ରାଷ୍ଟ୍ରବାଦ, ସନାତନ ସଂସ୍କୃତି, ଆଧ୍ୟାତ୍ମିକ ଚେତନା ଓ ସାମାଜିକ ସେବାକୁ ସାଂଗଠନିକ କାର୍ଯ୍ୟ ସହ ଯୋଡ଼ି ଆଗକୁ ବଢ଼ିବାର ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ।

ସମାରୋହ ସମୟରେ ସଂଗଠନର ବିଚାରଧାରା ପରିପ୍ରେକ୍ଷୀରେ ‘ହିନ୍ଦୁ ରାଷ୍ଟ୍ର’ ଧାରଣା ଉପରେ ମଧ୍ୟ ବକ୍ତାମାନେ ନିଜ ନିଜ ମତ ରଖିଥିଲେ। ଏହି ଧାରଣାକୁ ସନାତନ ସାଂସ୍କୃତିକ ମୂଲ୍ୟବୋଧ, ରାଷ୍ଟ୍ରଭାବନା, ସାମାଜିକ ସମରସତା, ଆଧ୍ୟାତ୍ମିକ ଚେତନା ଓ ଭାରତୀୟ ପରମ୍ପରାର ପରିପ୍ରେକ୍ଷୀରେ ଉପସ୍ଥାପିତ କରାଯାଇଥିଲା। ଏହି ବିଷୟ ଉପରେ ସମାଜରେ ବିଚାରବିମର୍ଶ ଓ ସଚେତନତା ବୃଦ୍ଧିର ଆବଶ୍ୟକତା ନେଇ ମଧ୍ୟ ମତ ପ୍ରକାଶ ପାଇଥିଲା।ସମାରୋହରେ RHS Community App ସମ୍ପର୍କିତ ଏକ ସଂକ୍ଷିପ୍ତ ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହା ମାଧ୍ୟମରେ ସଂଗଠନର ଡିଜିଟାଲ ସମ୍ପର୍କ ବ୍ୟବସ୍ଥା, କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ଏବଂ ବିଭିନ୍ନ କାର୍ଯ୍ୟକଳାପକୁ ଏକ ମଞ୍ଚରେ ଯୋଡ଼ିବାର ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ଅବସରରେ ବିଭିନ୍ନ ରାଜ୍ୟର ପଦାଧିକାରୀ ଓ ପ୍ରତିନିଧିମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ସମାପନ ସମାରୋହର ଅନ୍ତିମ ପର୍ଯ୍ୟାୟରେ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଡା. ସୁନୀତି ମୁଣ୍ଡ ଜାତୀୟ ଅଧ୍ୟକ୍ଷ ଶ୍ରୀ ସତ୍ୟେନ୍ଦ୍ର ଦୁବେଙ୍କୁ ଶଙ୍ଖ ଅର୍ପଣ କରି ତାଙ୍କୁ ଶଙ୍ଖନାଦ କରିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର, ପୁରୀର ମୁଖ୍ୟ ସେବାୟତ ଶ୍ରୀ ଜୟନାରାୟଣ ମହାପାତ୍ର ଶଙ୍ଖକ୍ଷେତ୍ର ଓ ଶଙ୍ଖନାଦର ପରମ୍ପରା ଏବଂ ଏହାର ଆଧ୍ୟାତ୍ମିକ-ସାଂସ୍କୃତିକ ମହତ୍ତ୍ୱ ଉପରେ ମତ ରଖିଥିଲେ।

ଏହାପରେ ଶଙ୍ଖନାଦ ସହ ଭାବପୂର୍ଣ୍ଣ ପରିବେଶରେ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

ସମାପନ ସମାରୋହରେ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଡା. ସୁନୀତି ମୁଣ୍ଡ ଧନ୍ୟବାଦ ଅର୍ପଣ କରି ଜାତୀୟ ଅଧ୍ୟକ୍ଷ, ସାଧୁ-ସନ୍ଥ, ଜାତୀୟ ଓ ପ୍ରାଦେଶିକ ପଦାଧିକାରୀ, ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧି, କାର୍ଯ୍ୟକର୍ତ୍ତା, ସ୍ୱେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ଏବଂ ପୁରୀବାସୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ, ଦୁଇଦିନିଆ ଏହି ଆୟୋଜନ କେବଳ ଏକ କାର୍ଯ୍ୟକ୍ରମ ନୁହେଁ; ଏହା ବିଚାରବିମର୍ଶ, ସାଂଗଠନିକ ଏକତା ଓ ଭବିଷ୍ୟତ ସଂକଳ୍ପର ଏକ ଅବସର। ସେ କହିଥିଲେ, “ସଂଗଠନ କେବଳ ମଞ୍ଚ ଉପରେ ଦେଖାଯିବା ପାଇଁ ନୁହେଁ, ସମାଜ ମଧ୍ୟରେ ସକ୍ରିୟ ଭାବେ ଦୃଶ୍ୟମାନ ହେବା ପାଇଁ। ବିଚାର କେବଳ କହିବା ପାଇଁ ନୁହେଁ, ତାହାକୁ ଆଚରଣରେ ପରିଣତ କରିବା ପାଇଁ। ସଂକଳ୍ପ କେବଳ ନେବା ପାଇଁ ନୁହେଁ, ତାହାକୁ ପୂରଣ କରିବା ପାଇଁ।”

ଡା. ମୁଣ୍ଡ କହିଥିଲେ ଯେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂମି—ସମନ୍ୱୟ, ସେବା, ଆଧ୍ୟାତ୍ମିକତା ଓ ମାନବିକତାର ଭୂମି। ଏଭଳି ପବିତ୍ର ଭୂମିରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା କାର୍ଯ୍ୟକର୍ତ୍ତାମାନେ ଏକାଠି ହୋଇ ସଂଗଠନର ଭବିଷ୍ୟତ ନେଇ ଚିନ୍ତନ କରିବା ଏକ ସ୍ୱତନ୍ତ୍ର ଅନୁଭବ ବୋଲି ସେ କହିଥିଲେ।

ଆୟୋଜନକୁ ସଫଳ କରିବାରେ ସହଯୋଗ କରିଥିବା ଆୟୋଜନ କମିଟି, ବ୍ୟବସ୍ଥା କମିଟି, ଆବାସ, ଭୋଜନ, ଯାତାୟାତ, ମଞ୍ଚ, ଗଣମାଧ୍ୟମ ଏବଂ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସେ ବିଶେଷ ଧନ୍ୟବାଦ ଜଣାଇଥିଲେ।

ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରି ସେ କହିଥିଲେ ଯେ ମହାପ୍ରଭୁ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶକ୍ତି, ସଦ୍‌ବୁଦ୍ଧି, ଏକତା ଏବଂ ସମାଜ ଓ ରାଷ୍ଟ୍ରର ସେବା କରିବାର ସାମର୍ଥ୍ୟ ପ୍ରଦାନ କରନ୍ତୁ। ଧନ୍ୟବାଦ ଅର୍ପଣ ପରେ ସମସ୍ତ ଅତିଥି ଓ କାର୍ଯ୍ୟକର୍ତ୍ତାଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ୧୪ତମ ପ୍ରତିଷ୍ଠା ଦିବସ ଓ ଦୁଇଦିନିଆ ଜାତୀୟ ଅଧିବେଶନର ଔପଚାରିକ ସମାପନ ହୋଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed