October 2, 2026

ଆମେରିକାରେ ମନାଇଲେ ନିଆରା ନୂଆଁଖାଇ ୨୯ ପରିବାର ଏକାଠି ହୋଇ ପାଳିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ

IMG-20261001-WA0002
Share

 

ସମ୍ବଲପୁର /ଫିନିକ୍ସ, ୦୧. ୧୦: ଦେଶ ଠାରୁ ହଜାର ହଜାର କିଲୋମିଟର ଦୂରରେ ରହିଲେ ମଧ୍ୟ ପଶ୍ଚିମ ଓଡ଼ିଶାର ମାଟି, ଭାଷା, ପରମ୍ପରା ଓ ସଂସ୍କୃତିକୁ ଭୁଲି ନାହାନ୍ତି ପ୍ରବାସୀ ଓଡ଼ିଆ। ଆମେରିକାର ଫିନିକ୍ସ ସହରରେ ପଶ୍ଚିମ ଓଡ଼ିଶାର ୨୯ଟି ପରିବାର ଏକାଠି ହୋଇ ନିଆରା ଢଙ୍ଗରେ ନୂଆଁଖାଇ ପାଳନ କରି ଏହାର ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।

 

ଫିନିକ୍ସ ଅଞ୍ଚଳରେ ପଶ୍ଚିମ ଓଡ଼ିଶାର ଅନେକ ପରିବାର ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ବସବାସ କରିଆସୁଛନ୍ତି। ହେଲେ ସମସ୍ତେ ଏକାଠି ହୋଇ ନୂଆଁଖାଇ ପାଳନ କରିବାର ସୁଯୋଗ ଦୀର୍ଘଦିନ ଧରି ମିଳିନଥିଲା। ସମୟ ବିତିବା ସହ ଜଣେ ଜଣେ କରି ପରିବାର ଯୋଡ଼ି ହେଲେ, ପରିବାର ବଢ଼ିଲା ଏବଂ ନୂଆ ପିଢ଼ିର ଆଗମନ ହେଲା। ତଥାପି ସମସ୍ତଙ୍କୁ ଗୋଟିଏ ସ୍ଥାନରେ ଏକାଠି କରିବାର ଆଶା ଅଧୁରା ରହିଥିଲା। ଶେଷରେ ସାମାଜିକ ଗଣମାଧ୍ୟମ ଏହି ପରିବାରଗୁଡ଼ିକୁ ଯୋଡ଼ିବାର ସେତୁ ପାଲଟିଲା।ବରିଷ୍ଠ ସଂଗଠକ ତ୍ରିନାଥ ନାଏକ ଓ ଶ୍ୟାମ ପାତ୍ରଙ୍କ ଉଦ୍ୟମରେ ୨୯ଟି ପରିବାର ଏକାଠି ହୋଇ ନୂଆଁଖାଇ ପାଳନ କରିଥିଲେ। ପ୍ରତ୍ୟେକ ପରିବାର ନିଜ ନିଜ ଦାୟିତ୍ୱ ନେଇ ଏହି ପର୍ବକୁ ସଫଳ କରିବା ପାଇଁ ମନପ୍ରାଣ ଦେଇ ଲାଗିପଡ଼ିଥିଲେ। ପ୍ରାୟ ଏକ ମାସ ପୂର୍ବରୁ ବଡ଼ମାନେ ସାନମାନଙ୍କୁ ନୂଆଁଖାଇ ପାଇଁ ନିମନ୍ତ୍ରଣ ଦେଇଥିଲେ। ପର୍ବର ଦୁଇ ଦିନ ପୂର୍ବରୁ ସମସ୍ତେ ଏକାଠି ହୋଇ ହାଟବଜାର କରିଥିଲେ। ଶେଷରେ ଆସିଥିଲା ସେହି ଅପେକ୍ଷିତ ନୂଆଁଖାଇ ଦିନ। ସମସ୍ତେ ଏକାଠି ହୋଇ ନୂଆ ଖାଇବା ସହ ପରସ୍ପରଙ୍କ ସହ ଖୁସି ବାଣ୍ଟିଥିଲେ।

 

ଏହି ଅବସରରେ ସୁଶ୍ରୀତି ତ୍ରିପାଠୀଙ୍କ ସୁନ୍ଦର ଉପସ୍ଥାପନା ଓ ମଞ୍ଚ ସଞ୍ଚାଳନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ରମଣୀ ସାହୁଙ୍କ ନିଆରା ସାଜସଜ୍ଜା ସମସ୍ତଙ୍କ ମନ ଜିଣିଥିଲା। ସୌମ୍ୟକାନ୍ତ ତ୍ରିପାଠୀ ଓ ରୁପେଶ ବେହେରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମଗ୍ର କାର୍ଯ୍ୟକ୍ରମର ପରିକଳ୍ପନା ଓ ପରିଚାଳନା କରିଥିଲେ।

 

ମଲୟ, ପ୍ରଦୀପ ଦାସ ଓ ସୌମ୍ୟକାନ୍ତ ତ୍ରିପାଠୀ, ମଧୁଶ୍ୱେତା ପଣ୍ଡା ଓ ନିରଜ କରଙ୍କ ସଙ୍ଗୀତ ଏବଂ ଖେଳକୁଦ ଭଳି ବିଭିନ୍ନ କାର୍ଯ୍ୟକ୍ରମ ପରିବେଶକୁ ଉତ୍ସବମୁଖର କରିଥିଲା। ନିଜସ୍ୱ ସଙ୍ଗୀତ ଦଳର ପରିବେଷଣ ଏବଂ ପଣ୍ଡିତ ରବି ଦାଦାଙ୍କ ଦ୍ୱାରା ପୂଜାର୍ଚ୍ଚନା ନୂଆଁଖାଇ ପର୍ବକୁ ଆହୁରି ଆଧ୍ୟାତ୍ମିକ ଓ ପାରମ୍ପରିକ ରୂପ ଦେଇଥିଲା।

 

ପଶ୍ଚିମ ଓଡ଼ିଶାର ପୁରୁଣା ଇତିହାସ ଓ ପୁରାତନ ଜୀବନଶୈଳୀ ସହ ଜଡ଼ିତ ବିଭିନ୍ନ ସାମଗ୍ରୀକୁ ନେଇ ଆୟୋଜିତ ଖେଳକୁଦ ସମସ୍ତଙ୍କ ମନ ଜିଣିଥିଲା। କାର୍ଯ୍ୟକ୍ରମର ପରିବେଶ ଏପରି ଥିଲା ଯେ, ଫିନିକ୍ସ ସହରରେ ନୁହେଁ, ବରଂ ପଶ୍ଚିମ ଓଡ଼ିଶାର ନିଜ ଗାଁରେ ହିଁ ନୂଆଁଖାଇ ପର୍ବ ପାଳନ ହେଉଛି ବୋଲି ଅନୁଭବ ହେଉଥିଲା।ନୂଆଁଖାଇ ପରେ ଜୁହାର, ମୁଡ଼ିଆ ପର୍ବ ସହ ଗୀତ, ନାଚ ଓ ବିଭିନ୍ନ ପାରମ୍ପରିକ ଆୟୋଜନ କାର୍ଯ୍ୟକ୍ରମକୁ ଆହୁରି ରଙ୍ଗିନ କରିଥିଲା। ପରିଚିତ ସମ୍ବଲପୁରୀ ଗୀତ, ନୃତ୍ୟ ଓ ସଙ୍ଗୀତ ସହ ପାନ ଠେଲା ମଧ୍ୟ ସମସ୍ତଙ୍କୁ ନିଜ ଗାଁର ସ୍ମୃତି ମନେ ପକାଇ ଦେଇଥିଲା।ଖାଦ୍ୟପେୟରେ ମଧ୍ୟ ଥିଲା ପଶ୍ଚିମ ଓଡ଼ିଶାର ମାଟିର ମହକ। କରଡ଼ିରେ ପ୍ରସ୍ତୁତ ଆମିଲ, ଭଜା, ପିଠା, ମଣ୍ଡା, ରସବରା, ମୁଗବରା, ଖିରି, ପୁରି, ଆଳୁଚପ୍‌ ଓ ମୁଢ଼ି ପାଗ ଭଳି ପାରମ୍ପରିକ ଖାଦ୍ୟ ସମସ୍ତଙ୍କୁ ପିଲାଦିନର ନୂଆଁଖାଇ ଓ ମା’ଙ୍କ ହାତରନ୍ଧାର ସ୍ମୃତିକୁ ଫେରାଇ ନେଇଥିଲା।ଡାଲଖାଇ, ରସରକେଲି ଭଳି ଗୀତ ଓ ନାଚରେ ଜମିଥିଲା ମଞ୍ଚ।ମନେ ହେଉଥିଲା, ଯେପରି ଗାଁର ପୁରୁଣା ଦିନଗୁଡ଼ିକ ପୁଣିଥରେ ଫେରିଆସିଛି।ଏହି ମିଳନ ପର୍ବରେ ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର ଓ ସଫଳ ଉଦ୍ୟୋଗୀଙ୍କ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏକାଠି ହୋଇ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇଥିଲେ। ଏହା ଥିଲା ନିଜ ମାଟି, ମୂଳ ଓ ଅତୀତକୁ ପୁଣିଥରେ ଅନୁଭବ କରିବାର ଏକ ଭାବପ୍ରବଣ ମୁହୂର୍ତ୍ତ। ନୂଆ ପିଢ଼ି ନିଜ ପରମ୍ପରା ଓ ସଂସ୍କୃତି ସହ ପରିଚିତ ହେଲା, ଆଉ ବଡ଼ମାନେ ପୁଣିଥରେ ନିଜ ଗାଁ, ସାଙ୍ଗସାଥୀ ଓ ପିଲାଦିନକୁ ଅନୁଭବ କରିବାର ସୁଯୋଗ ପାଇଥିଲେ।

 

ଦୂର ଆମେରିକା ମାଟିରେ ପାଳିତ ଏହି ନିଆରା ନୂଆଁଖାଇ କେବଳ ଏକ ପର୍ବ ହୋଇ ରହିଲା ନାହିଁ, ଏହା ପଶ୍ଚିମ ଓଡ଼ିଶାର ମାଟି, ମଣିଷ, ଭାଷା, ପରମ୍ପରା, ଖାଦ୍ୟ ଓ ଲୋକକଳାକୁ ଗୋଟିଏ ସୂତାରେ ବାନ୍ଧି ଦେଇଥିଲା । ଦେଶ ଦୂର ହୋଇପାରେ, ହେଲେ ନିଜ ମାଟିର ମହକ କେବେ ବି ଦୂର ହୁଏନାହିଁ,ଫିନିକ୍ସର ସେହି ନୂଆଁଖାଇ ଏହାର ଏକ ଜୀବନ୍ତ ଉଦାହରଣ ପାଲଟିଛି।ସେଦିନ ୨୯ଟି ପରିବାର ଅଲଗା ଅଲଗା ପରିବାର ଭଳି ଲାଗୁନଥିଲେ।ସମସ୍ତେ ଲାଗୁଥିଲେ ଗୋଟିଏ ପରିବାର, ଗୋଟିଏ ମନ ଓ ଗୋଟିଏ ଆତ୍ମା।

You may have missed