ମହାନଦୀ କୂଳରେ ଅଳିଆ ଫିଙ୍ଗିବା ମହଙ୍ଗା ପଡ଼ିଲା ମିଆଦ ଶେଷ ସଫ୍ଟ ଡ୍ରିଙ୍କ୍ ବୋତଲ ଫିଙ୍ଗୁଥିବା ବିକ୍ରେତାଙ୍କୁ ୧୦ ହଜାର ଜରିମାନା ସ୍ୱଚ୍ଛ ମହାନଦୀ ଓ ସୁସ୍ଥ ସମ୍ବଲପୁର ପାଇଁ ମହାନଗର ନିଗମର କଡ଼ା ପଦକ୍ଷେପ

ସମ୍ବଲପୁର,
ମହାନଦୀ କେବଳ ଏକ ନଦୀ ନୁହେଁ, ସମ୍ବଲପୁରର ଜୀବନଧାରା, ପରିବେଶର ଆଧାର ଓ ହଜାର ହଜାର ଲୋକଙ୍କ ଭାବନା ସହ ଜଡ଼ିତ ଏକ ଅମୂଲ୍ୟ ପ୍ରାକୃତିକ ସମ୍ପଦ। ଏହି ଜୀବନଧାରାକୁ ଅଳିଆ ଓ ପ୍ଲାଷ୍ଟିକ୍ରେ ପ୍ରଦୂଷିତ କରିବା ବିରୋଧରେ ଏବେ କଡ଼ା ପଦକ୍ଷେପ ନେଇଛି ସମ୍ବଲପୁର ମହାନଗର ନିଗମ।
ଧୋବାପଡ଼ା ନିକଟସ୍ଥ ମହାନଦୀ କୂଳରେ ମିଆଦ ଶେଷ ହୋଇଥିବା ବିଭିନ୍ନ ସଫ୍ଟ ଡ୍ରିଙ୍କ୍ ବୋତଲ ଏଣେତେଣେ ଫିଙ୍ଗୁଥିବା ବେଳେ ଜଣେ ବିକ୍ରେତାଙ୍କୁ ଏନ୍ଫୋର୍ସମେଣ୍ଟ ଟିମ୍ ଧରିଥିଲା। ଏହାପରେ ନିୟମ ଉଲ୍ଲଂଘନ ପାଇଁ ତାଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ଆରୋପ କରାଯାଇଛି।ଏନ୍ଫୋର୍ସମେଣ୍ଟ ଟିମ୍ ସହ ଅଞ୍ଚଳର ସାନିଟାରୀ ଇନ୍ସପେକ୍ଟର ଓ ସାନିଟେସନ୍ ଏକ୍ସପର୍ଟ ଉପସ୍ଥିତ ରହି ବିକ୍ରେତାଙ୍କୁ ସଲିଡ଼ ୱେଷ୍ଟ ମ୍ୟାନେଜେମେଣ୍ଟ ରୁଲସ ଅନୁଯାୟୀ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ବିଷୟରେ ସଚେତନ କରିଥିଲେ। ନଦୀକୂଳରେ ଅଳିଆ ଫିଙ୍ଗିବା ଦ୍ୱାରା ପରିବେଶ, ଜଳସମ୍ପଦ ଓ ସାଧାରଣ ଜନଜୀବନ ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ମଧ୍ୟ ତାଙ୍କୁ ବୁଝାଇଥିଲେ।କେବଳ ଜରିମାନା ଆଦାୟରେ ପଦକ୍ଷେପ ସୀମିତ ରହିନଥିଲା। ନଦୀକୂଳରେ ଫିଙ୍ଗାଯାଇଥିବା ପ୍ରତ୍ୟେକ ବୋତଲକୁ ନିଜେ ସଂଗ୍ରହ କରି ଉପଯୁକ୍ତ ଭାବେ ନିଷ୍ପତ୍ତି ନେବାକୁ ବିକ୍ରେତାଙ୍କୁ ପରାମର୍ଶ ଦିଆଯାଇଥିଲା। ଏହା ମାଧ୍ୟମରେ ଜରିମାନା ସହିତ ଦାୟିତ୍ୱବୋଧ ଓ ପରିବେଶ ସଚେତନତାର ଏକ ସନ୍ଦେଶ ମଧ୍ୟ ଦିଆଯାଇଛି।
ମହାନଦୀ କୂଳରେ ଗୋଟିଏ ବୋତଲ କିମ୍ବା ଗୋଟିଏ ପ୍ୟାକେଟ୍ ଫିଙ୍ଗିବା ହୁଏତ ଛୋଟ ଘଟଣା ଭଳି ଲାଗିପାରେ। କିନ୍ତୁ ଏହି ଛୋଟ ଛୋଟ ଅବହେଳା ଏକାଠି ହୋଇ ନଦୀ, ନଦୀକୂଳ ଓ ସହରର ପରିବେଶ ପାଇଁ ବଡ଼ ସମସ୍ୟା ସୃଷ୍ଟି କରେ ବୋଲି ସେମାନଙ୍କୁ ଚେତାଇଦେବା ଭଳି ବାର୍ତ୍ତା ଦେବା ସହରବାସୀଙ୍କୁ ଆକୃଷ୍ଟ କରିଛି।
ସ୍ୱଚ୍ଛ ମହାନଦୀ କେବଳ ମହାନଗର ନିଗମର ଲକ୍ଷ୍ୟ ନୁହେଁ,ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ। ବିକ୍ରେତା ହୁଅନ୍ତୁ କି ଗ୍ରାହକ, ନଦୀକୂଳକୁ ଆସୁଥିବା ପର୍ଯ୍ୟଟକ ହୁଅନ୍ତୁ କି ସ୍ଥାନୀୟ ବାସିନ୍ଦା ସମସ୍ତଙ୍କୁ ନିଜ ବର୍ଜ୍ୟବସ୍ତୁ ନିଜ ଦାୟିତ୍ୱରେ ଉପଯୁକ୍ତ ସ୍ଥାନରେ ପକାଇବାକୁ ସତର୍କ କରାଯାଇଛି।ଜରିମାନା ଭୟ ସୃଷ୍ଟି କରିପାରେ, କିନ୍ତୁ ସଚେତନତା ହିଁ ଅଭ୍ୟାସ ବଦଳାଇପାରେ। ମହାନଦୀକୁ ସ୍ୱଚ୍ଛ ରଖିବା ଏହା ଆମ ପ୍ରକୃତି, ଆମ ସହର ଓ ଆମ ଆଗାମୀ ପିଢ଼ି ପ୍ରତି ଦାୟିତ୍ୱର ଲଢ଼େଇ ବୋଲି ନିଗମ ପକ୍ଷରୁ କୁହାଯାଇ “ନଦୀକୁ ଅଳିଆ ନୁହେଁ, ନିର୍ମଳତା ଦିଅନ୍ତୁ ମହାନଦୀ ବଞ୍ଚିଲେ, ଆମ ଭବିଷ୍ୟତ ବଞ୍ଚିବ।” ବୋଲି ସାରା ସହରବାସୀଙ୍କୁ ସଚେତନ କରାଯାଇଛି।
