ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଆଶଙ୍କା: +୩ ଇଂରାଜୀ ପରୀକ୍ଷା ସ୍ଥଗିତ
ଜୟପୁର, ୨୦/୦୯/୨୦୨୬: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା +୩ ଦ୍ୱିତୀୟ ସେମିଷ୍ଟର ଇଂରାଜୀ ପରୀକ୍ଷାକୁ ପ୍ରଶ୍ନପତ୍ର ଲିକ୍ ଆଶଙ୍କାରେ ଶନିବାର ସ୍ଥଗିତ କରାଯାଇଛି। ପରୀକ୍ଷା ଦିନ ଅପରାହ୍ନ ୨ଟାରେ ବିଶ୍ୱବିଦ୍ୟାଳୟ ଅଧୀନର ୫୨ଟି କେନ୍ଦ୍ରରେ ଅନୁଷ୍ଠିତ ହେବାର ଥିଲା।
ବିଶ୍ୱବିଦ୍ୟାଳୟ ସୂତ୍ରରୁ ପ୍ରକାଶ ଯେ, ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ପ୍ରଧାନଙ୍କୁ ସୂଚନା ମିଳିଥିଲା ଯେ ଦୁଇଜଣ ଛାତ୍ରଙ୍କ ହ୍ୱାଟସଆପ୍ରେ ଇଂରାଜୀ ପ୍ରଶ୍ନପତ୍ର ବୋଲି ଦାବି କରାଯାଉଥିବା ଏକ ସନ୍ଦେଶ ପହଞ୍ଚିଛି। ଏହାପରେ ସତର୍କତାମୂଳକ ପଦକ୍ଷେପ ଭାବେ ସମସ୍ତ ୫୨ଟି କେନ୍ଦ୍ରରେ ପରୀକ୍ଷା ସ୍ଥଗିତ କରାଯାଇଥିଲା। ଘଟଣାକୁ ନେଇ ପରୀକ୍ଷା ନିୟନ୍ତ୍ରକ କୋରାପୁଟ ସାଇବର ଥାନାରେ ଏତଲା ଦାଖଲ କରି ହ୍ୱାଟସଆପ୍ରେ ପ୍ରଶ୍ନପତ୍ର ପ୍ରଚାରର ଉତ୍ସ ଓ ଏହାର ପ୍ରସାରଣ ସମ୍ପର୍କରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ରଞ୍ଜନ କୁମାର ପ୍ରଧାନ କହିଛନ୍ତି, “ହ୍ୱାଟସଆପ୍ରେ ପ୍ରଶ୍ନପତ୍ର ଘୁରୁଥିବା ସୂଚନା ମିଳିବା ପରେ ସତର୍କତା ସ୍ୱରୂପ ପରୀକ୍ଷା ସ୍ଥଗିତ କରାଯାଇଛି। କେତେକ ଦୁର୍ବୃତ୍ତ ଏହା ପଛରେ ଥାଇପାରନ୍ତି। ପ୍ରାଥମିକ ତଦନ୍ତରେ ଏହା ନକଲି ପ୍ରଶ୍ନପତ୍ର ହୋଇପାରେ ବୋଲି ଆଶଙ୍କା କରାଯାଉଛି।” ସେ ଛାତ୍ରଛାତ୍ରୀଙ୍କୁ ସୋସିଆଲ ମିଡିଆରେ ଅପ୍ରମାଣିତ ପ୍ରଶ୍ନପତ୍ର କିମ୍ବା ସନ୍ଦେଶରେ ବିଶ୍ୱାସ ନକରିବା ଓ ସେଗୁଡ଼ିକୁ ଆଗକୁ ପ୍ରଚାର ନକରିବାକୁ ଅନୁରୋଧ କରିଛନ୍ତି। ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୁରୁଥିବା ପ୍ରଶ୍ନପତ୍ରର ପ୍ରକୃତ ପରୀକ୍ଷା ପ୍ରଶ୍ନପତ୍ର ସହ କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି। ସ୍ଥଗିତ ହୋଇଥିବା ଇଂରାଜୀ ପରୀକ୍ଷାର ନୂତନ ତାରିଖ ପରେ ଘୋଷଣା କରାଯିବ।(ଗୁପ୍ତେଶ୍ୱର ରଥ କୋରାପୁଟ)
