କୋଡିନ୍ଯୁକ୍ତ କଫ୍ ସିରପ୍ ଚୋରାଚାଲାଣ ବେଳେ ପୋଲିସ୍ର ଗୁଳିମାଡ଼
୨୪ କାର୍ଟୁନ୍ ଉଇନ୍ରେକ୍ସ କଫ୍ ସିରପ୍ ଜବତ; ଦେଶୀ ୯ ଏମ୍ଏମ୍ ପିସ୍ତଲ ଓ ୭ ଖୋକା ଜବତ, ଜଣେ ଅଭିଯୁକ୍ତ ଆହତ
ସମ୍ବଲପୁର, ୨୦/୦୯: ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅଧୀନରେ ନିଶାଦ୍ରବ୍ୟର ବେଆଇନ ପରିବହନ, ମହଜୁଦ ଓ ଚୋରାଚାଲାଣ ବିରୋଧରେ ସମ୍ବଲପୁର ପୋଲିସର ଅଭିଯାନ ଜୋରଦାର ହୋଇଛି। ଏହି କ୍ରମରେ ରେଙ୍ଗାଲି ଥାନା ଅଞ୍ଚଳରେ କୋଡିନ୍ଯୁକ୍ତ କଫ୍ ସିରପ୍ ଚୋରାଚାଲାଣ ଅଭିଯୋଗରେ ଦୁଇଟି କାର୍କୁ ଅଟକାଇ ବିପୁଳ ପରିମାଣର କଫ୍ ସିରପ୍ ଜବତ କରାଯାଇଛି। ଘଟଣା ସମୟରେ ପୋଲିସ ଉପରକୁ ଗୁଳି ଚଳାଯିବା ପରେ ପୋଲିସର ପ୍ରତିଗୁଳିରେ ଜଣେ ଅଭିଯୁକ୍ତ ଆହତ ହୋଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ୧୯/୨୦ ସେପ୍ଟେମ୍ବର ମଧ୍ୟରାତ୍ରିରେ ରେଙ୍ଗାଲି ଥାନା ପୋଲିସ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ବେଳେ କଟକ ପଟରୁ ଜଙ୍ଗଲ ରାସ୍ତା ଦେଇ କାତରବଗା–ଠେଲକୋଲି ଅଞ୍ଚଳକୁ ବିପୁଳ ପରିମାଣର କୋଡିନ୍ଯୁକ୍ତ କଫ୍ ସିରପ୍ ଦୁଇଟି କାର୍ରେ ଚାଲାଣ ହେଉଥିବା ସୂଚନା ମିଳିଥିଲା।ସୂଚନା ଆଧାରରେ ପୋଲିସ ଜଙ୍ଗଲା ଗ୍ରାମ ନିକଟ ଜଙ୍ଗଲା–ପଣ୍ଡୋଲୋଇ ରାସ୍ତାରେ ଯାଞ୍ଚ ଆରମ୍ଭ କରିଥିଲା। ପ୍ରାୟ ସକାଳ ୬ଟା ୧୫ ମିନିଟ୍ ସମୟରେ ଜଙ୍ଗଲା ପଟୁ ଆସୁଥିବା ପ୍ରଥମ କାର୍ ଓଡି-୧୫-ଏଚ୍-୧୪୩୨କୁ ଅଟକାଇ ଏହାର ଚାଳକ ଆଶୁତୋଷ ମେଣ୍ଡାଲିଙ୍କୁ ପୋଲିସ ଧରିଥିଲା। ତେବେ କାର୍ରେ ଥିବା ଅନ୍ୟ ଜଣେ ବ୍ୟକ୍ତି ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ।ଏହା ପଛରେ ଆସୁଥିବା ନମ୍ବରବିହୀନ ଏକ ଏର୍ଟିଗା କାର୍ ଦ୍ରୁତଗତିରେ ଯାଉଥିବା ବେଳେ ସଂକୀର୍ଣ୍ଣ ରାସ୍ତାରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ର ଏକ ଗଛରେ ଧକ୍କା ଖାଇଥିଲା। ପୋଲିସ କର୍ମଚାରୀମାନେ ନିକଟକୁ ଯିବା ବେଳେ ଏହାର ଚାଳକ ପ୍ରୀତମ ବିଶ୍ୱାଳ କାର୍ରୁ ବାହାରି ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ।
ପୋଲିସର ପ୍ରେସ୍ ରିଲିଜ୍ ଅନୁଯାୟୀ, ପିଛା କରାଯିବା ସମୟରେ ପ୍ରୀତମ ପୋଲିସ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କୁ ଅଟକିବା ପାଇଁ ସତର୍କ କରାଯାଇଥିଲେ ମଧ୍ୟ ଗୁଳିଚାଳନା ଜାରି ରହିବାରୁ ଆତ୍ମରକ୍ଷାରେ ପୋଲିସ ନିୟନ୍ତ୍ରିତ ଗୁଳିଚାଳନା କରିଥିଲା। ଏଥିରେ ପ୍ରୀତମଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଏବଂ ତାଙ୍କୁ ତୁରନ୍ତ ରେଙ୍ଗାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ପକ୍ଷରୁ ୪ ରାଉଣ୍ଡ ଗୁଳି ଚଳାଯାଇଥିବା ବେଳେ ପୋଲିସ ପକ୍ଷରୁ ୩ ରାଉଣ୍ଡ ଗୁଳି ଚଳାଯାଇଥିଲା।
୨୪ କାର୍ଟୁନ୍ କଫ୍ ସିରପ୍ ଜବତ
ଦୁଇଟି ଯାନ ଯାଞ୍ଚ ବେଳେ ନମ୍ବରବିହୀନ ଏର୍ଟିଗାରୁ ଉଇନ୍ରେକ୍ସ କୋଡିନ୍ଯୁକ୍ତ କଫ୍ ସିରପ୍ର ୨୦ କାର୍ଟୁନ୍ ଏବଂ ଓଡି-୧୫-ଏଚ୍-୧୪୩୨ ନମ୍ବର କାର୍ରୁ ୪ କାର୍ଟୁନ୍ କଫ୍ ସିରପ୍ ଜବତ ହୋଇଛି। ଏହା ସହ ଘଟଣାସ୍ଥଳରୁ ଗୋଟିଏ ଦେଶୀ ୯ ଏମ୍ଏମ୍ ପିସ୍ତଲ ଓ ୭ଟି ଖାଲି କାର୍ଟ୍ରିଜ୍ ମଧ୍ୟ ଜବତ କରାଯାଇଛି।ଜବତ କଫ୍ ସିରପ୍ର ମୋଟ ବୋତଲ ସଂଖ୍ୟା, ପରିମାଣ ଏବଂ ଏଥିରେ ଥିବା ଉପାଦାନର ସଠିକ୍ ବିବରଣୀ ଯାଞ୍ଚ କରାଯାଉଛି।ଏହି ଘଟଣାରେ କଫ୍ ସିରପ୍ର ଉତ୍ସ, ଯୋଗାଣ ଶୃଙ୍ଖଳ, ଗନ୍ତବ୍ୟସ୍ଥଳ ଏବଂ ଚୋରାଚାଲାଣରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ବିଷୟରେ ପୋଲିସ ତଦନ୍ତ ଜାରି ରଖିଛି। ଜଙ୍ଗଲକୁ ପଳାଇଥିବା ବ୍ୟକ୍ତିଙ୍କ ପରିଚୟ ଓ ତାଙ୍କୁ ଧରିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି।
‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ର ଲକ୍ଷ୍ୟକୁ ଆଗେଇ ନେବା ସହ ଯୁବପିଢ଼ିଙ୍କୁ ନିଶାସେବନରୁ ସୁରକ୍ଷିତ ରଖିବା ପାଇଁ ସମ୍ବଲପୁର ପୋଲିସର ଅଭିଯାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
