September 19, 2026

ଆସନ୍ତା ୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ*,*ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ନଜର..

IMG-20260919-WA0085
Share

 

 

 

 

ଭୁବନେଶ୍ୱର (ସୁଧାଂଶୁ ଶେଖର ପରିଡା ) : ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ପଦକ୍ଷେପ ନେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଆରମ୍ଭ କରାଯାଉଛି।

 

ଏହି ଅଭିଯାନ ୨୧.୦୯.୨୦୨୬ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ। ଅଭିଯାନ ସମୟରେ ଅପରାଧୀ ଓ ଅସାମାଜିକଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ। ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବା ସହ ପ୍ରତିଷେଧମୂଳକ ଆଇନଗତ ପଦକ୍ଷେପ ନିଆଯିବ। ବେଆଇନ କାର୍ଯ୍ୟକଳାପ ବିରୋଧରେ ଚଢ଼ାଉ ଓ ଗିରଫଦାରୀକୁ ମଧ୍ୟ ଗୁରୁତ୍ୱ ଦିଆଯିବ।

 

ବେଆଇନ ମଦ କାରବାର, ନିଶାଦ୍ରବ୍ୟ ଚାଲାଣ, ବେଆଇନ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ କାରବାର ଉପରେ ସ୍ୱତନ୍ତ୍ର ନଜର ରଖାଯିବ। ବଳପୂର୍ବକ ଚାନ୍ଦା ଆଦାୟ ଏବଂ ସଂଗଠିତ ଅପରାଧ ବିରୋଧରେ ମଧ୍ୟ କଡ଼ା ଆଇନଗତ ପଦକ୍ଷେପ ନିଆଯିବ।

 

ଅପରାଧୀଙ୍କ ଗତିବିଧି ରୋକିବା ପାଇଁ ସୀମାନ୍ତ ଅଞ୍ଚଳରେ ବ୍ଲକିଂ ଓ ବର୍ଡର ସିଲିଂ କରାଯିବ। ଜିଲ୍ଲା ପୋଲିସ, ରେଳବାଇ ପୋଲିସ, କମିଶନରେଟ୍ ପୋଲିସ ଓ ସମ୍ପୃକ୍ତ ପୋଲିସ ୟୁନିଟ୍‌ଗୁଡ଼ିକ ପରସ୍ପର ସମନ୍ୱୟରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବେ।

 

ପର୍ବପର୍ବାଣୀ ସମୟରେ ରାଜ୍ୟବାସୀଙ୍କ ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ଓଡ଼ିଶା ପୋଲିସର ନିରନ୍ତର ପ୍ରୟାସ ଜାରି ରହିବ।