ପଟ୍ଟାଭୁକ୍ତ ଜମି ଉପରେ ଡିଏମଏଫ୍ ରାସ୍ତା ନିର୍ମାଣ ଅଭିଯୋଗ..
ହାଟଡିହି ତା ୧୯/୭(ମନମୋହନ ନାୟକ) : ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରେ ଜଣଙ୍କ ପଟ୍ଟାଭୁକ୍ତ ଜମି ଉପରେ ଡିଏମଏଫ୍ ଅର୍ଥରେ ରାସ୍ତା ନିର୍ମାଣ କରାଯିବା ସହ ବଳପୁର୍ବକ କାମ କରାଯାଇଥିବା ହୋଇଛି। ଏନେଇ ବଞ୍ଚୋ ଗ୍ରାମର ଆଲୋକ କୁମାର ପଟ୍ଟନାୟକ ଆନନ୍ଦପୁର ଥାନା ଆଇଆଇସିଙ୍କ ନିକଟରେ ଲିଖିତ ଅଭିଯୋଗପତ୍ର ଦାଖଲ କରିଛନ୍ତି। ଅଭିଯୋଗ ଅନୁଯାୟୀ, ବଞ୍ଚୋ ମୌଜାର ଖାତା ନମ୍ବର ୯୭ ଓ ପ୍ଲଟ ନମ୍ବର ୩୩୯୨ ଅନ୍ତର୍ଗତ କମି ଉପରେ ୨୦୨୬/୨୭ ଆର୍ଥିକ ବର୍ଷରେ ଡିଏମଏଫ୍ ମାଧ୍ୟମରେ ଏକ ରାସ୍ତା ନିର୍ମାଣ ପ୍ରକଳ୍ପ ହାତକୁ ନିଆଯାଇଛି। ଉକ୍ତ ପ୍ରକଳ୍ପର ନାମ ‘ସୁବଳ ପଟ୍ଟନାୟକଙ୍କ ଘରଠାରୁ ଭରତ ପାତ୍ରଙ୍କ ଘର’ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି। ଏହି ପ୍ରକଳ୍ପର ଅନୁମୋଦିତ ମୁଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ବୋଲି ଆଲୋକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଆଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପଟ୍ଟାଭୁକ୍ତ ଜମି ଉପରେ ତାଙ୍କ ସମ୍ମତି ବିନା କିଛି ଅଂଶରେ ରାସ୍ତା ନିର୍ମାଣ କରାଯାଇଛି। ତାଙ୍କ ଅନୁପସ୍ଥିତି ସମୟରେ ଏହି କାମ କରାଯାଇଥିବା ନେଇ ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ସହିତ ଜମି ସମ୍ପର୍କରେ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ସହ ତାଙ୍କ ଅଭିଯୋଗର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସରକାରୀ ଜମିରେ କାମ ହେଉଛି, ସେ ସରକାରୀ ଅମିନ ଆଣି ମାପନ୍ତୁ, ଯଦି ବ୍ୟକ୍ତିଗତ ଜାଗା ହୋଇଥିବ ତେବେ ରାସ୍ତାକୁ ବୁଲାଇ ଦିଆଯିବ ବୋଲି କହିଛନ୍ତି।
