ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ମହୋତ୍ସବ ଆରମ୍ଭ, ଏ ବର୍ଷ ୧୧ ଦିନ ବଦଳରେ ୧୩ ଦିନ ଧରି ଚାଲିବ..
ଖୋର୍ଦ୍ଧା,୧୬/୯(ଉପାନ୍ତ ଖବର): ଜଟଣୀ-ଉତ୍ସବ ମୁଖରିତ ହେଲା ଜଟଣୀ ସହର, ପୂଜା ମଣ୍ଡପରେ ଝଲମଲ ଆଲୋକ ଓ ଭବ୍ୟ ପ୍ରତିମା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼!
୧୪ ସେପ୍ଟେମ୍ବର ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ମହୋତ୍ସବ ସୋମବାରଠୁ ଆରମ୍ଭ ହୋଇଯାଇଛି। ଜଟଣୀର ଏହି ଗଣେଶ ମହୋତ୍ସବ ସାଧାରଣତଃ ୧୧ ଦିନ ଧରି ଚାଲେ, କିନ୍ତୁ ଏ ବର୍ଷ ହିନ୍ଦୁ ତିଥି ଅନୁସାରେ ପୂର୍ଣିମା ତିଥି ବଢିବା ହେତୁ ଏହି ମହୋତ୍ସବ ୧୩ ଦିନ ଧରି, ଅର୍ଥାତ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ସମସ୍ତ ପୂଜା ମଣ୍ଡପରେ ପାରମ୍ପରିକ ଢୋଲ ବାଜା ସହ ସାଂସ୍କୃତିକ ସଙ୍ଗୀତ ବାରମ୍ବାର ଶ୍ରଦ୍ଧାଳୁଙ୍କ ମନ ମୋହୁଛି। ଦେଶରେ ମୁମ୍ବାଇ ପରେ ଜଟଣୀ ସହର ବିଘ୍ନବିନାଶକ ଗଜାନନ ମହାରାଜଙ୍କ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିସାରିଛି। ଏଠାରେ ଗଣେଶଜୀଙ୍କ ସହ ମାଆ ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ମଧ୍ୟ ସମସ୍ତ ପୂଜା ମଣ୍ଡପରେ ପୂଜା କରାଯାଉଛି। ଜଟଣୀ ସହରର ୪୦ଟି ମୁଖ୍ୟ ବଜାରରେ ବଡ଼ ବଡ଼ ପୂଜା ମଣ୍ଡପ, ଉଚ୍ଚ ଉଚ୍ଚ ତୋରଣଦ୍ୱାର, ଆକର୍ଷଣୀୟ ମେଢ ତଥା ବଡ଼ ବଡ଼ ମୂର୍ତି ପ୍ରତିଷ୍ଠା ହୋଇଛି, ସେହିପରି ସହରରେ ୩୦୦ରୁ ଅଧିକ ବିଭିନ୍ନ ସାହି, ନଗର ଓ କଲୋନୀ ରେ ଥିବା ଗଣେଶ ପୂଜାର ଆକର୍ଷଣୀୟ ମଣ୍ଡପର ଶୋଭାପାଉଛି । ସୋମବାର ଗଣେଶ ଚତୁର୍ଥୀ ଦିନ ସକାଳୁ ହିଁ ବିଭିନ୍ନ ପୂଜା ମଣ୍ଡପରେ ଗଣେଶ ପୂଜା, ଆରାଧନା ତଥା ଯଜ୍ଞ ଆରମ୍ଭ ହୋଇଯାଇଛି । ଲୋକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ସନ୍ଧ୍ୟା ସମୟରେ ସମଗ୍ର ଜଟଣୀ ସହରରେ ରଙ୍ଗ ବେରଙ୍ଗ ଆଲୋକମାଳା, ଲାଇଟରେ ତିଆରି ଉଚ୍ଚ ଉଚ୍ଚ ତୋରଣଦ୍ୱାର, ରାସ୍ତାର ଦୁଇ ପାର୍ଶ୍ୱରେ ରଙ୍ଗ ବେରଙ୍ଗ ଲାଇଟରେ ତିଆରି ବିଭିନ୍ନ କଳାକୃତି, ଅନାୟାସରେ ଶ୍ରଦ୍ଧାଳୁମାନଙ୍କୁ ନିଜ ଆଡକୁ ଟାଣୁଛି। ୧୪ ସେପ୍ଟେମ୍ବର ସୋମବାର ପ୍ରଥମ ଦିନ ହିଁ ଜଟଣୀ ସହରରେ ଗଣେଶ, ଲକ୍ଷ୍ମୀ, ସରସ୍ୱତୀ ମାଆଙ୍କ ଦର୍ଶନ ପାଇଁ ଆସିଥିବା ଦର୍ଶନାର୍ଥୀଙ୍କ ଏତେ ଭିଡ଼ ଜମିଥିଲା ଯେ, ପୋଲିସକୁ ଯାତାୟାତ ନିୟନ୍ତ୍ରଣ କରିବାରେ ବହୁତ କଷ୍ଟ କରିବାକୁ ପଡିଲା। ପୂଜା ମଣ୍ଡପ ଓ ଭିଡ଼ ଥିବା ଛକମାନଙ୍କରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଜଟଣୀ ସହରର ରାଜାବଜାର, ବଡ଼ବଜାର, ରେଳୱେ ଗୋଲେଇ ମାର୍କେଟ, ହାଟ ବଜାର, ସୀତାରାମ ଛକ, କୁଦିଆରୀ ବଜାର, ପନିପରିବା ବଜାର, ପୋଷ୍ଟ ଅଫିସ ଛକ, ଥାନା ଛକ, ମହୁଲଗୁଡିଆ ବୁଢା ଗଣେଶ ବଜାର, ହରି ଭାଇନା ଛକ, ଖୁଦୁପୁର ଛକ, ଷ୍ଟେସନ ବଜାର, ଟ୍ରାଫିକ କଲୋନୀ, ରେତଙ୍ଗ କଲୋନୀ, ଗୋପବନ୍ଧୁ ବଜାର, ମେଡିକାଲ ଛକ, ନୀଳାଚଳ ବଜାର, ହନୁମାନ ମନ୍ଦିର ବଜାର, ନୂଆ ବସଷ୍ଟାଣ୍ଡ, ସୀତାରାମ କଲୋନୀ, ଲୋକୋ କଲୋନୀ, ଚିନ୍ତାମଣି ନଗର, ମଧୁସୂଦନ ନଗର, ବିବେକାନନ୍ଦ ସାହି ଏବଂ ଜଟଣୀ ସହର ଆଖପାଖ ଗାଁ ମଧ୍ୟରେ ସଣ୍ଢପୁର, ରଥିପୁର, କୁଡିଆରୀ, କୁସୁମାଟି, ଛଣଘର, ନୂଆଗାଁ, ଖୁଦପୁର, ବାଛରା ପାଟଣା ଇତ୍ୟାଦି ଗାଁର ସାହି ବସ୍ତିରେ ଏକାଧିକ ପୂଜା ମଣ୍ଡପରେ ବିଘ୍ନବିନାଶକ ଙ୍କ ପୂଜା କରାଯାଉଛି। ଜଟଣୀ ଗଣେଶ ମହୋତ୍ସବର ସବୁଠୁ ବଡ଼ ବିଶେଷତା ହେଉଛି ଯେ, ସ୍ଥାନୀୟ ହରିଭାଇନା ଛକ ପୂଜା କମିଟି ପକ୍ଷରୁ ଗତ ୮୦ ବର୍ଷ ଧରି ଲଗାତାର ଓଡ଼ିଶାର ପ୍ରସିଦ୍ଧ ଲୋକଗାୟନ “ପାଲା ଗାୟନ” କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଜାରି ରହିଛି ଏବଂ ଏଥିରେ ଦୈନିକ ଓଡ଼ିଶାର ପ୍ରସିଦ୍ଧ ପାଲା ଗାୟକ ମଣ୍ଡଳୀ ଭାଗ ନେଇ ପୌରାଣିକ କଥା ଉପରେ ଆଧାରିତ ପାଲା ଗାନ କରନ୍ତି ଏବଂ ଏକମାତ୍ର ମହୁଲଗୁଡିଆ ପୂଜା କମିଟି ପକ୍ଷରୁ ସବୁଠୁ ପୁରୁଣା “ବୁଢା ଗଣେଶ”ଙ୍କର ଦୈନିକ ଅନ୍ନ ପ୍ରସାଦ ଭୋଗ ଲାଗେ, ଯାହାକୁ ଦେଖିବା ପାଇଁ ଦୈନିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହେ।
ଲୋକମାନଙ୍କ ମନୋରଞ୍ଜନ ପାଇଁ ଜଟଣୀ ସହରର ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ତଥା ମୀନାବଜାର ଲାଗିଛି। ଏଠାରେ ପିଲାମାନଙ୍କ ପାଇଁ ଛୋଟ ବଡ଼ ଦୋଳି, ସର୍କସ, ଟୟ ଟ୍ରେନ, ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ, ସ୍ୱାଦିଷ୍ଟ ଖାଦ୍ୟର ଷ୍ଟଲ, ଘର ବ୍ୟବହାର ସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀ, ମହିଳାମାନଙ୍କ ପ୍ରସାଧନ, ଘର ସଜାସଜ୍ଜା ସାମଗ୍ରୀ, ମ୍ୟାଜିକ, ଯାଦୁ, ଲୋକ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଆକର୍ଷଣର କେନ୍ଦ୍ର ପାଲଟିଛି। ଜଟଣୀ ରାସ୍ତାର ଦୁଇ କଡ଼ରେ ପିଲାମାନଙ୍କ ଖେଳଣା, ରଙ୍ଗ ବେରଙ୍ଗ ବେଲୁନ ଖେଳଣା, ଷ୍ଟ୍ରିଟ ଫୁଡ ଇତ୍ୟାଦି ବିକ୍ରି କରୁଥିବା ଲୋକମାନେ ଛୋଟ ଛୋଟ ଦୋକାନ ଲଗାଇଛନ୍ତି ଯେଉଁଠି ପିଲା, ମହିଳାଙ୍କ ଭିଡ଼ ଉତ୍ସବର ମଜା ନେଉଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଜଟଣୀରେ ବିଭିନ୍ନ ଅପେରା କମ୍ପାନୀ ନିଜ ନିଜ ତମ୍ବୁ ପକାଇଛନ୍ତି, ଏ ବର୍ଷ ଦୁଇଟି ଅପେରା କମ୍ପାନୀ ନିଜ ନାଟକ ମଞ୍ଚସ୍ଥ କରି ଲୋକମାନଙ୍କ ମନୋରଞ୍ଜନ କରୁଛନ୍ତି। ଜଟଣୀ ସହର ଆଗାମୀ ୧୩ ଦିନ ଧରି ଉତ୍ସବ ମୁଖରିତ ରହିବ ଏବଂ ଏଠାକାର ଗଣେଶ ବିସର୍ଜନ କାର୍ଯ୍ୟକ୍ରମ ମଧ୍ୟ ବହୁତ ଆକର୍ଷଣୀୟ ହୋଇଥାଏ। ଏହି ମହୋତ୍ସବ ଆସନ୍ତା ୨୬ ସେପ୍ଟେମ୍ବର ଶନିବାର ପର୍ଯ୍ୟନ୍ତ ଚାଲିବ ଏବଂ ଶନିବାର ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରତିମା ବିସର୍ଜନ ଭବ୍ୟ ଶୋଭାଯାତ୍ରାରେ ଧୂମଧାମରେ କରାଯିବ ବୋଲି ବିସର୍ଜନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ସଂଗ୍ରାମକେଶରୀ ରାଉତରାୟ ସୂଚନା ଦେଇଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ
