ସହିଦ ବୀର ମନୋହର ସିଂଙ୍କ ବଳିଦାନ ଦିବସ: ସୋହେଲାରୁ ରକ୍ତତୀର୍ଥ ଚିତାଖାଇକୁ ଭବ୍ୟ ମଶାଲ ପଦଯାତ୍ରା ଇତିହାସ ପୃଷ୍ଠାରେ ମନୋହର ସିଂଙ୍କୁ ଉପଯୁକ୍ତ ସ୍ଥାନ ଦେବାକୁ ‘କୋଶଲ କ୍ରାନ୍ତି ସେନା’ର ଦାବି
/ବରଗଡ଼:୧୬/୯
ଭେଡ଼େନର ଅମର ସ୍ୱାଧୀନତା ସଂଗ୍ରାମୀ ତଥା ମହାନ୍ ବିପ୍ଳବୀ ସହିଦ ଜମିଦାର ବୀର ମନୋହର ସିଂଙ୍କ ବଳିଦାନ ଦିବସ ଅବସରରେ ‘କୋଶଲ କ୍ରାନ୍ତି ସେନା’ ପକ୍ଷରୁ ଏକ ବିଶାଳ ମଶାଲ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ସୋହେଲାସ୍ଥିତ ପ୍ରସିଦ୍ଧ ମା’ ଦୁର୍ଗା ମନ୍ଦିର ପ୍ରାଙ୍ଗଣରୁ ଏହି ଯାତ୍ରାର ଶୁଭାରମ୍ଭ ହୋଇଥିଲା। ପ୍ରାରମ୍ଭରେ ମା’ ଦୁର୍ଗାଙ୍କ ମନ୍ଦିରରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇ ମଶାଲ ପ୍ରଜ୍ୱଳନ କରାଯାଇଥିଲା। ଏହାପରେ ଏହି ପବିତ୍ର ଅଗ୍ନିଶିଖାକୁ ଧରି କୋଶଲ କ୍ରାନ୍ତି ସେନାର କାର୍ଯ୍ୟକର୍ତ୍ତା ଓ ସାମାଜିକ କର୍ମୀମାନେ ପଦଯାତ୍ରାରେ ବାହାରି ଐତିହାସିକ ରକ୍ତତୀର୍ଥ ଚିତାଖାଇ ଗ୍ରାମରେ ପହଞ୍ଚିଥିଲେ। ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ମଶାଲ ତଥା ପଦଯାତ୍ରୀମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଶ୍ରଦ୍ଧାପୂର୍ବକ ମଶାଲ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ “ସହିଦ ବୀର ମନୋହର ସିଂ ଅମର ରହେ” ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା।
ଏହି କାର୍ଯ୍ୟକ୍ରମରେ କୋଶଲ ଆନ୍ଦୋଳନକାରୀ ତଥା ସଂଗ୍ରାମୀ ସୁଶାନ୍ତ ମିଶ୍ର, କୃତାର୍ଥ ପଧାନ, ଡୋଲାମଣି ମହାପାତ୍ର,ଆକାଶ ପଣ୍ଡାଙ୍କ ସମେତ ବହୁ ସଂଖ୍ୟାରେ ସାମାଜିକ କର୍ମୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ଉପସ୍ଥିତ ବକ୍ତାମାନେ ନିଜ ବକ୍ତବ୍ୟରେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ, ଦେଶ ତଥା ମାଟି ମାତୃକା ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ଭେଡ଼େନ ଜମିଦାର ମନୋହର ସିଂଙ୍କ ଭଳି ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱକୁ ଇତିହାସ ପୃଷ୍ଠାରେ ସ୍ଥାନ ଦିଆଯାଇ ନାହିଁ ଏବଂ ତାଙ୍କର ତ୍ୟାଗ ଲୁଚି ରହିଯାଇଛି। ତାଙ୍କର ବୀରତ୍ୱପୂର୍ଣ୍ଣ ଗାଥା ଓ ସଂଗ୍ରାମକୁ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ପାଠ୍ୟପୁସ୍ତକରେ ସାମିଲ କରି ଇତିହାସରେ ଉପଯୁକ୍ତ ସ୍ଥାନ ଓ ମର୍ଯ୍ୟାଦା ଦେବା ପାଇଁ ସେମାନେ ପ୍ରଶାସନ ତଥା ସରକାରଙ୍କ ନିକଟରେ ଜୋରଦାର ଦାବି କରିଛନ୍ତି।
