କୋରାପୁଟରେ ଯାକଜକମରେ ପାଳିତ ହେଲା ଗଣେଶ ପୂଜା
କୋରାପୁଟ, ୧୪/୦୯/୨୦୨୬ (ଗୁପ୍ତେଶ୍ୱର ରଥ): ସମଗ୍ର ଦେଶ ସହ କୋରାପୁଟ ଜିଲ୍ଲାରେ ମଧ୍ୟ ବିଘ୍ନବିନାଶକ ଭଗବାନ ଶ୍ରୀଗଣେଶଙ୍କ ପବିତ୍ର ଗଣେଶ ଚତୁର୍ଥୀ ଉତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଇଛି। ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ, ପୂଜା ମଣ୍ଡପଠାରୁ ମନ୍ଦିର, ଘରଠାରୁ ଶିକ୍ଷାନୁଷ୍ଠାନ—ସବୁଠି ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
ପିଏମ୍ ଶ୍ରୀ ବାଳକ ଉଚ୍ଚ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶବର ଶ୍ରୀକ୍ଷେତ୍ରସ୍ଥିତ ଗଣେଶ ମନ୍ଦିର, ଡିଏନ୍କେ ଛକସ୍ଥିତ ସିଦ୍ଧିବିନାୟକ ଗଣେଶ ମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ମନ୍ଦିରରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।
ଧୂପ, ଦୀପ, ନୈବେଦ୍ୟ, ଘଣ୍ଟଧ୍ୱନି ଓ ହୁଳହୁଳିରେ ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ପୂଜା ମଣ୍ଡପଗୁଡ଼ିକୁ ଆକର୍ଷଣୀୟ ଆଲୋକମାଳାରେ ସଜାଯାଇଥିଲା। ଭକ୍ତମାନେ ଗଜାନନଙ୍କ ଦର୍ଶନ କରି ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ।
ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ ଡିଏନ୍କେ ଛକସ୍ଥିତ ସିଦ୍ଧିବିନାୟକ ଗଣେଶ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହ ଜଗତର ମଙ୍ଗଳ ଓ କଲ୍ୟାଣ ପାଇଁ ଭଗବାନ ଗଜାନନଙ୍କ ଆଶୀର୍ବାଦ କାମନା କରିଥିଲେ।
