September 12, 2026

୨୦୦ ବର୍ଷର ପରମ୍ପରା, ଯେଉଁଠି ଅନ୍ନକୁ ପୂଜା, ଅନ୍ନଦାତାକୁ ସମ୍ମାନ

IMG-20260911-WA0079
Share

 

 

ବୋଲଗଡ଼, ୧୧/୦୯ (ସୁଶାନ୍ତ କୁମାର ପ୍ରଧାନ):ଓଡ଼ିଶାରେ ଏମିତି ଏକ ପର୍ବ ଅଛି, ଯାହା କେବଳ ପେଟ ପୂରାଏ ନାହିଁ, ମନ ବି ଯୋଡେ। ତାହା ହେଉଛି ନୂଆଖାଇ। ଅନ୍ନ, ଅନ୍ନଦାତା, ଏକତା, କୃଷିଭିତ୍ତିକ ଜୀବନ ଓ ସାମ୍ୟବାଦର ଏହି ମହାନ ପର୍ବ ପାଳନ ଦ୍ୱାରା ବର୍ଷ ବର୍ଷର ମନୋମାଳିନ୍ୟ, ଅଭିମାନ ସବୁ ଧୋଇ ହୋଇଯାଏ। ସାନ ବଡ଼ ହାତ ମିଳାନ୍ତି, ଗାଁ ଗୋଟିଏ ପରିବାର ପାଲଟିଯାଏ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଏହି ନୂଆଖାଇ ପର୍ବକୁ ଯେଉଁ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ, ଠିକ୍ ସେହି ପରମ୍ପରା, ସେହି ନିଷ୍ଠା ଆଜି ବି ଦେଖିବାକୁ ମିଳେ ପୂର୍ବ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଐତିହାସିକ ସଂମପୁର ଗ୍ରାମରେ। ଏଠାରେ ଏହି ଗଣପର୍ବ କେବଳ ପାଳନ ହୁଏ ନାହିଁ, ବଞ୍ଚିରହେ।

 

ସଂମପୁର ଗ୍ରାମରେ ନୂଆଖାଇ ଦିନ ସକାଳୁ ସକାଳୁ ଗ୍ରାମବାସୀ ନିତ୍ୟକର୍ମ ଓ ସ୍ନାନ ସାରି ନୂଆ ବସ୍ତ୍ର ପରିଧାନ କରନ୍ତି। ତା’ପରେ ସମସ୍ତେ ଗ୍ରାମର ଆରାଧ୍ୟ ଦେବତା ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିରରେ ଏକତ୍ରିତ ହୁଅନ୍ତି। ସେଠାରେ ନୂଆ ଧାନରୁ ପ୍ରସ୍ତୁତ ନୂଆ ଚାଉଳ, ନୂଆ ଚୁଡ଼ା, କଦଳୀ, ଆମ୍ବ, ସେଓ, ନଡ଼ିଆ ଆଦି ବିଭିନ୍ନ ଫଳ ଠାକୁରଙ୍କ ନିକଟରେ ନବାନ୍ନ ଭୋଗ ଭାବେ ଲାଗି କରାଯାଏ। ଏହା ହେଉଛି ପ୍ରକୃତି ଓ ଅନ୍ନଦାତାଙ୍କ ପ୍ରତି କୃତଜ୍ଞତା। ପୂଜା ପରେ ଆରମ୍ଭ ହୁଏ ଭାଇଚାରାର ପର୍ବ। ସମସ୍ତ ଗ୍ରାମବାସୀ ପିଠା, ପଣା, ପୁରୀ, କ୍ଷୀରି, ମିଠା, ଡାଲି, ତରକାରୀ, ଶାଗ, ଖଟା ଆଦି ନବାନ୍ନ ପ୍ରସାଦକୁ ଘରକୁ ନେଇ ଆନନ୍ଦରେ ଏକତ୍ର ବସି ସେବନ କରନ୍ତି। ଏହି ଦିନର ସବୁଠୁ ସୁନ୍ଦର ଦୃଶ୍ୟ ହେଉଛି – କନିଷ୍ଠମାନେ ବୟୋଜ୍ୟେଷ୍ଠଙ୍କ ପାଦ ଛୁଇଁ ପ୍ରଣାମ କରି ଆଶୀର୍ବାଦ ନିଅନ୍ତି, ଯାହାକୁ ‘ନୂଆଖାଇ ଜୁହାର’ କୁହାଯାଏ।

 

କିମ୍ବଦନ୍ତୀ ଅନୁସାରେ, ଖୋର୍ଦ୍ଧା ରାଜାଙ୍କ କନ୍ୟା ରାଜକୁମାରୀ ମୁକ୍ତାଦେଈ ସମ୍ବଲପୁର ରାଜା ଜୟନ୍ତ ସିଂହଙ୍କୁ ବିବାହ କରିଥିଲେ। ୧୮୧୭ ମସିହାରେ ମରହଟ୍ଟା ଓ ଇଂରେଜମାନଙ୍କ ମଧ୍ୟରେ ବିବାଦ ସୂତ୍ରପାତ ହେବାରୁ ସେ ଯୌତୁକ ବାବଦରେ ପାଇଥିବା ପାଞ୍ଚଗଡ଼ ରାଜ୍ୟକୁ ଆସି ଅବସ୍ଥାନ କଲେ। ସେତେବେଳେ ଖୋର୍ଦ୍ଧା-ବୋଲଗଡ଼ ଅଞ୍ଚଳରେ ଇଂରେଜମାନଙ୍କ କଠୋର ଶାସନକୁ ପାଇକମାନେ ମାନି ନଥିଲେ। ସମ୍ବଲପୁର ରାଣୀ ମୁକ୍ତାଦେଈ ଏହି ପାଞ୍ଚଗଡ଼ର ରାଜଧାନୀ ସଂମପୁରରେ ନଅର କରି ରହିଥିବା ବେଳେ ନିଜ ମାଟିର ପର୍ବ ନୂଆଖାଇକୁ ଏଠାରେ ଆରମ୍ଭ କରିଥିଲେ, ଯାହା ୧୮୧୭ରୁ ଆଜି ପର୍ଯ୍ୟନ୍ତ ୨୦୦ ବର୍ଷରୁ ଅଧିକ କାଳ ଧରି ନିରବଚ୍ଛିନ୍ନ ଭାବେ ଚାଲିଆସୁଛି।

 

ଏହା ହିଁ ଓଡ଼ିଶାର ଏକତା – ପଶ୍ଚିମର ପର୍ବ ପୂର୍ବର ମାଟିରେ, ପୂର୍ବର ରାଣୀ ପଶ୍ଚିମର ସଂସ୍କୃତିକୁ ଧରି ରଖିଛନ୍ତି।

 

ନୂଆଖାଇ ଜୁହାର।