୫୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ମାଥିଲି JMFC କୋର୍ଟର ବରିଷ୍ଠ କିରାଣୀ
ମାଥିଲି, ୧୦ ସେପ୍ଟେମ୍ବର: ମାଲକାନଗିରି ଜିଲ୍ଲାର ମାଥିଲି JMFC କୋର୍ଟର ବରିଷ୍ଠ କିରାଣୀ ଅଚ୍ୟୁତ କୁମାର ପ୍ରଧାନ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍ ହାତେନାତ ଧରିଛି। ଏହି ଘଟଣା ନ୍ୟାୟ ବ୍ୟବସ୍ଥା ସହ ଜଡ଼ିତ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଅଭିଯୋଗକାରୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ଥିବା ଦୁଇଟି ନନ୍-ବେଲେବଲ ୱାରେଣ୍ଟ (NBW) ମାମଲାରେ ସହଯୋଗ କରିବା ନାମରେ ଅଚ୍ୟୁତ କୁମାର ପ୍ରଧାନ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଟିମ୍ ଯୋଜନାବଦ୍ଧ ଭାବେ ଟ୍ରାପ୍ କରିଥିଲା।
୧୦ ସେପ୍ଟେମ୍ବରରେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୫୦ ହଜାର ଟଙ୍କା ଜବତ କରାଯାଇଛି। ଟ୍ରାପ୍ ପରେ ଅଭିଯୁକ୍ତଙ୍କ ବାସଭବନ ସମେତ ଅନ୍ୟାନ୍ୟ ସମ୍ପର୍କିତ ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି (DA) ଦିଗରୁ ଏକକାଳୀନ ଚଢ଼ାଉ ଓ ତଲାସି ଜାରି ରହିଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନଂ-୨୦/୨୦୨୬ ରୁଜୁ ହୋଇଥିବା ବେଳେ, ଅଭିଯୁକ୍ତଙ୍କ ବିରୋଧରେ Prevention of Corruption (Amendment) Act, 2018ର ଧାରା-୭ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।(ଗୁପ୍ତେଶ୍ୱର ରଥ କୋରାପୁଟ)
