September 12, 2026

ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ

IMG-20260911-WA0075
Share

 

ବରପାଲି : ୧୧/୯(ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ମହଦାସ୍ଥିତ ମା’ ସମଲେଶ୍ୱରୀ କଲେଜରେ +୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ନବାଗତ +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଫ୍ରେସର୍ସ ସ୍ୱାଗତ ସମାରୋହ ଧୁମଧାମରେ ପାଳିତ ହୋଇଯାଇଛିlଏହି ଅବସରରେ କଲେଜ ଚେୟାରମ୍ୟାନ ନରେନ୍ଦ୍ର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଚେୟାରମ୍ୟାନ ଶ୍ରୀ ହୋତା କଲେଜ ପରିସରରେ ପହଞ୍ଚିବା ପରେ ଛାତ୍ରଛାତ୍ରୀମାନେ ମୁଖ୍ୟ ଗେଟ୍‌ ନିକଟରୁ ତାଙ୍କୁ ସ୍ୱାଗତ କରି ପାଛୋଟି ଆଣିଥିଲେ। ତାଙ୍କ ସହିତ କଲେଜ ସମ୍ପାଦକ ମୃତ୍ୟୁଞ୍ଜୟ ମିଶ୍ର, ଏମ୍‌ସି ସଦସ୍ୟ ସରୋଜ ମେହେର, ମା’ ସମଲେଶ୍ୱରୀ କଲେଜ ଅଧ୍ୟକ୍ଷ ମନୋଜ କର, ଆର୍‌ଏଲ୍‌ଏଚ୍‌ କଲେଜ ଅଧ୍ୟକ୍ଷ ଆଶୁତୋଷ ମେହେର ଏବଂ ଦ୍ୱୟ କଲେଜର ବିଶିଷ୍ଟ ଅଧିକାରୀ ମଣ୍ଟୁ ବଘାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ସମସ୍ତ ଅତିଥିଙ୍କୁ ‘ସୁସ୍ୱାଗତମ୍‌’ ଗୀତ ମାଧ୍ୟମରେ ମଞ୍ଚକୁ ପାଛୋଟି ନିଆଯାଇଥିଲା। ପରେ ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଅତିଥିମାନଙ୍କୁ ସମ୍ମାନିତ କରିଥିଲେ। କଲେଜର ଇଂରାଜୀ ଅଧ୍ୟାପକ ହୃଦାନନ୍ଦ ସାହୁ ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଚେୟାରମ୍ୟାନ ନରେନ୍ଦ୍ର ହୋତା ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇବା ସହ ଶିକ୍ଷା ସହିତ ଶୃଙ୍ଖଳା, ସଂସ୍କାର ଓ ନିଜ ପ୍ରତିଭାର ବିକାଶ ଦିଗରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ। ପରେ କଲେଜର ଓଡ଼ିଆ ଅଧ୍ୟାପକ ସଦାନନ୍ଦ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ଏହାପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଭିନ୍ନ ଗୀତ, ନୃତ୍ୟ ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଶେଷକରି ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଗୀତର ତାଳେ ତାଳେ ଛାତ୍ରଛାତ୍ରୀମାନେ ନୃତ୍ୟ କରିବା ସହ କଲେଜ ପରିସରକୁ ଉତ୍ସବମୁଖର କରିଦେଇଥିଲେ।ଏହି ଅବସରରେ ନବାଗତ ଛାତ୍ରଛାତ୍ରୀଙ୍କ ପରିଚୟ ପ୍ରଦାନ ସହ ବିଭିନ୍ନ ମନୋରଞ୍ଜନଧର୍ମୀ ‘ଡେୟାର’ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶେଷରେ ଦୁଇଜଣ ଛାତ୍ରୀ ଓ ଦୁଇଜଣ ଛାତ୍ରଙ୍କୁ ‘ଫ୍ରେସର୍ ଅଫ୍ ଦି ଡେ’ ଭାବେ ଚୟନ କରାଯାଇ ସମ୍ମାନିତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ମାହୋଲ ସୃଷ୍ଟି କରିଥିଲା।