ଲାଞ୍ଜିଗଡ଼ରେ ପ୍ରବଳ ବର୍ଷା

ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା )
ଲାଞ୍ଜିଗଡ଼ରେ ବୁଧବାର ରାତି 12 ଟାରୁ ଗୁରୁବାର ଦିନ 12 ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପ୍ରକୋପ ଦେଖିବାକୁ ମିଳିଥିଲା l ଅବିଛିନ୍ନ ଭାବେ ଅନବରତ ବର୍ଷା ଯୋଗୁଁ ଲାଞ୍ଜିଗଡ଼ ଓ ଏହାର ଆଖ ପାଖ ଅଞ୍ଚଳ ଜଳମୟ ହୋଇଯାଇଥିଲା l ଯେଉଁଆଡ଼େ ଦେଖ, ଖାଲି ପାଣି ଆଉ ପାଣି l କେତେକ ରାସ୍ତା ଉପରେ ଫୁଟେ ଲେଖାଏଁ ପାଣି ବହି ଚାଲିଥିଲା l ଉପର ମୁଣ୍ଡରେ ବର୍ଷା ଯୋଗୁଁ ଏଠାରେ ବହି ଯାଉଥିବା ବଂଶଧାରା ନଦୀରେ ପ୍ରବଳ ଭାବେ ବର୍ଷା ଜଳ ପ୍ରବାହିତ ହେଉଛି l ଅବିରାମ ବର୍ଷା ଫଳରେ ସବୁ ବର୍ଷ ଭଳି ଲାଞ୍ଜିଗଡ଼ରେ ଥିବା ସରକାରୀ ଡାକ୍ତରଖାନା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସର ଜଳପୂର୍ଣ୍ଣ ହୋଇଯାଇଛି l ସ୍କୁଲର ଛାତ୍ର ଛାତ୍ରୀମାନେ ଶ୍ରେଣୀଗୃହକୁ ଯିବା ଯେପରି ଅସୁବିଧା ଅନୁଭବ କରୁଛନ୍ତି, ଡାକ୍ତରଖାନାରେ ଡାକ୍ତରଙ୍କ ନିକଟକୁ ଯିବାପାଇଁ ରୋଗୀମାନେ ମଧ୍ୟ ତାହାଠାରୁ ଅଧିକ କଷ୍ଟ ପାଉଛନ୍ତି l ଏହା ଏକ ଦୀର୍ଘ ବର୍ଷର ସମସ୍ୟା ହୋଇ ରହି ଆସିଛି l ଏ ସମସ୍ୟା ନେଇ ସରକାରଙ୍କ ନିକଟରେ ବାରମ୍ବାର ଜଣାଇ ମଧ୍ୟ କୌଣସି ସୁଫଳ ମିଳିନାହିଁ l ଲୋକେ ଏହାକୁ ନେଇ ଅତିଷ୍ଠ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି l
ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନାଙ୍କ ରିପୋର୍ଟ
ନିୟୁଜ ଉପାନ୍ତ ଖବର
