September 11, 2026

ଏମ୍‌ସିଏଲ୍‌ର ୧୬ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ

IMG-20260910-WA0026
Share

 

 

 

ଅନୁଗୋଳ, (ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ଙ୍କ ରିପୋର୍ଟ ଉପାନ୍ତ ଖବର): ମହାନଦୀ କୋଇଲା ଖଣି ସଂସ୍ଥା (ଏମ୍‌ସିଏଲ୍‌)ର ୧୬ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (RPDAC) ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଠକରେ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା, ଜମି ଅଧିଗ୍ରହଣ, ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ, ଥଇଥାନ ଏବଂ ରିହାବିଲିଟେସନ୍ କଲୋନୀଗୁଡ଼ିକର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ।

ଖଣି ଅଞ୍ଚଳରେ ସ୍ଥାୟୀ ବିକାଶ, ବିସ୍ଥାପିତଙ୍କ ଉପଯୁକ୍ତ ଥଇଥାନ, ରୋଜଗାର ଓ ଆନୁଷଙ୍ଗିକ ସୁବିଧା ଯୋଗାଇଦେବା ପାଇଁ ଏମ୍‌ସିଏଲ୍‌କୁ ଏକ ବ୍ୟାପକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

ଅନୁଗୋଳ ଓ ତାଳଚେର ଅଞ୍ଚଳରେ ବଢ଼ୁଥିବା ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପରିବେଶ ସୁରକ୍ଷା ପାଇଁ ଜନସହଭାଗିତାରେ ବ୍ୟାପକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଖଣି ପ୍ରକଳ୍ପ ଯୋଗୁଁ କ୍ଷୟ ହେଉଥିବା ଜଙ୍ଗଲର କ୍ଷତିଭରଣା ପାଇଁ ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କରିବା ସହ ରାସ୍ତା ଓ ରେଳଲାଇନ୍ ନିର୍ମାଣ ମାଧ୍ୟମରେ ପରିବେଶ ଓ ସ୍ଥାନୀୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା।

ପ୍ରତି ଏକରୁ ଦୁଇ ମାସ ମଧ୍ୟରେ ସବ୍‌-କମିଟି ବୈଠକ ଆୟୋଜନ କରାଯିବ, ଯାହାଦ୍ୱାରା ସ୍ଥାନୀୟ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ହୋଇପାରିବ। ଜମି ଅଧିଗ୍ରହଣ, କ୍ଷତିପୂରଣ ଏବଂ ଚାକିରି ସମ୍ବନ୍ଧୀୟ ବିଚାରାଧୀନ ମାମଲାଗୁଡ଼ିକର ଡିଜିଟାଲାଇଜେସନ୍ କରାଇ ତୁରନ୍ତ ସମାଧାନ କରିବାକୁ ସାଂସଦ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

ଜିଲ୍ଲାର ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆରକ୍ଷୀ ବିଭାଗକୁ ୩୦ଟି ଆଧୁନିକ ସୁବିଧାସମ୍ପନ୍ନ ଗାଡ଼ି ଯୋଗାଇ ଦିଆଯିବ। ଜନସାଧାରଣ ତଥା କମ୍ପାନୀ କର୍ମଚାରୀଙ୍କ ଦକ୍ଷତା ବିକାଶ ନିମନ୍ତେ ଏକ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ ଖୋଲିବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖ୍ତର ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ।

ବୈଠକରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଶ୍ରୀ ଆଶିଷ କୁମାର ସିଂହ, ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ଆଇଏଏସ୍ ପ୍ରୋବେସନର ଅଭି ଜୈନ୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ତାଳଚେର ଉପଜିଲ୍ଲାପାଳ ଶ୍ରୀ ଆଶିଷ ରଞ୍ଜନ ସାହୁ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା, ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଶ୍ରୀ ପ୍ରତାପ ହରି ପ୍ରଧାନଙ୍କ ସମେତ ତାଳଚେର, କଣିହାଁ ଓ ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିସ୍ଥାପିତ ପରିବାରଙ୍କ ପ୍ରତିନିଧି ଏବଂ ଏମ୍‌ସିଏଲ୍ କର୍ତ୍ତୃପକ୍ଷ ପ୍ରମୁଖ ଯୋଗ ଦେଇଥିଲେ।