September 9, 2026

ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ଓ ଝିଅ ମୃତ। ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଯୋଗୁଁ ଘଟଣା ଘଟିଥିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

IMG-20260909-WA0015
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସହରକୁ ଲାଗିଥିବା କାମଠଣା ପଞ୍ଚାୟତ ଅଧିନସ୍ଥ କର୍ଲାସୋଡ଼ା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଛି। ଘଟଣା ଅନୁଯାୟୀ, କର୍ଲାସୋଡ଼ା ଗ୍ରାମର ଲଳିତା ନାଏକ ଓ ତାଙ୍କ ଝିଅ ଶୀତଳ ନାଏକ ନିକଟସ୍ଥ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଶୀତଳ ନାଏକ କପଡା ଶୁଖାଇବା ସମୟରେ କୌଣସି ପ୍ରକାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇ ଚିତ୍କାର କରବା ସହ ଛଟପଟ ହୋଇଥିଲେ। ଏହା ଦେଖି ମାଆ ଲଳିତା ନାଏକ ତାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ କୁ ଫୋନ କରିଥିଲେ। କିନ୍ତୁ ଘଟଣା ଘଟିବାର ପ୍ରାୟ ତିନି ଘଣ୍ଟା ବିତିଯାଇଥଲେ ମଧ୍ୟ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିନଥିଲା। ଏହାପରେ ପରିବାର ବର୍ଗ ଓ ଗ୍ରାମବାସୀ ବାଧ୍ୟ ହୋଇ ଏକ ଅଟୋ ସାହାଯ୍ୟରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ଦୁଇଜଣଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଏନେଇ ମୃତକଙ୍କ ପରିବାର ବର୍ଗ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ଏବଂ ସେମାନେ ଉତ୍ତ୍ୟକ୍ତ ହୋଇ ଦୁଇଟି ମୃତ ଦେହକୁ ଷ୍ଟ୍ରେଚର ଯୋଗେ ଡାକ୍ତରଖାନାରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆଣି ସେଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମ୍ପୂର୍ଣ ଅବହେଳା ନୀତି ଯୋଗୁଁ ଏହି ଅଭାବନୀୟ ଘଟଣା ଘଟିଥିବା ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବା ଦେଖି ଭବାନୀପାଟଣା ଟାଉନ ଥାନା ପୋଲିସ ଗ୍ରାମବାସୀଙ୍କୁ ବୁଝାସୁଝା କରିବାସହ ପରିସ୍ଥିତିକୁ କାବୁ କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବାପରେ ଉତ୍ୟକ୍ତ ଗ୍ରାମବାସୀ ବିକ୍ଷୋବ ପ୍ରଦର୍ଶନ ବନ୍ଦ କରିଥିଲେ।