ଗଜପତି:- ମହେନ୍ଦ୍ରଗିରିରେ ରାଜ୍ୟସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ଏମ:ଟି:ବି: ସାଇକ୍ଲିଂ ଚାମ୍ପିୟନସିପ୍ ସଫଳତାର ସହ ଅନୁଷ୍ଠିତ
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ଶୈବପୀଠ
ମହେନ୍ଦ୍ରଗିରିର ମନୋରମ ପରିବେଶରେ ଆୟୋଜିତ ରାଜ୍ୟସ୍ତରୀୟ ଅସ୍ମିତା ଖେଲୋ ଇଣ୍ଡିଆ ଏମଟିବି ସାଇକ୍ଲିଂ ଚାମ୍ପିୟନସିପ୍ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।
ଏହି ଚାମ୍ପିୟନସିପ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମହିଳାଙ୍କ ମଧ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ କରିବା ଏବଂ କ୍ରୀଡ଼ା ମାଧ୍ୟମରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା।
ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଯୁବ ମହିଳା ସାଇକ୍ଲିଷ୍ଟ ଏହି ଆୟୋଜନରେ ଅଂଶଗ୍ରହଣ କରିଥିଲେ।
ଅସ୍ମିତା ଖେଲୋ ଇଣ୍ଡିଆ ସାଇକ୍ଲିଂ ଲିଗ୍ର ମୂଳ ଲକ୍ଷ୍ୟ ଅନୁଯାୟୀ, ଏହି ଆୟୋଜନ କେବଳ ଏକ ପ୍ରତିଯୋଗିତାରେ ସୀମିତ ରହିନଥିଲା। ଗଜପତି ଜିଲ୍ଲାର ଦୁର୍ଗମ ଓ ଗ୍ରାମୀଣ ଅଞ୍ଚଳର ଶିଶୁମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସେମାନଙ୍କୁ ପ୍ରେରଣା ଦେବା ପାଇଁ ନିକଟସ୍ଥ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ମାନଙ୍କୁ ଚାମ୍ପିୟନସିପ୍ ଦେଖିବାର ସୁଯୋଗ ଦିଆଯାଇଥିଲା। ଏହା ମାଧ୍ୟମରେ ଗ୍ରାମାଞ୍ଚଳର ଅନେକ ଶିଶୁ ପ୍ରଥମ ଥର ପାଇଁ ଏପରି ଏକ ବଡ଼ କ୍ରୀଡ଼ା ଆୟୋଜନକୁ ନିଜ ଆଖିରେ ଦେଖିବା ସହ ସାଇକ୍ଲିଂ ପ୍ରତି ଆକୃଷ୍ଟ ହୋଇଥିଲେ।
ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟାଙ୍କ ପ୍ରେରଣା ଓ ପରିକଳ୍ପନାରେ ଆରମ୍ଭ ହୋଇଥିବା ଅସ୍ମିତା ଖେଲୋ ଇଣ୍ଡିଆ ଲିଗ୍ର ମୁଖ୍ୟ ଉଦ୍ଦେଶ୍ୟ—ବିଶେଷକରି ମହିଳା ଓ ଶିଶୁ ମାନଙ୍କୁ ତୃଣମୂଳ ସ୍ତରରୁ କ୍ରୀଡ଼ା ସହ ଯୋଡ଼ିବା—ଏହି ଆୟୋଜନ ମାଧ୍ୟମରେ ମହେନ୍ଦ୍ରଗିରି ଭଳି ଦୁର୍ଗମ ଅଞ୍ଚଳରେ ମଧ୍ୟ ପହଞ୍ଚିପାରିଛି।
ଏହି ଚାମ୍ପିୟନସିପ୍କୁ ସଫଳ କରିବାରେ କଇଁପୁର ଓ ବେଲପଦର ଅଞ୍ଚଳର ସ୍ଥାନୀୟ ଜନସାଧାରଣଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା। ସ୍ଥାନୀୟ ଲୋକମାନେ ଆୟୋଜନକୁ ନିଜର କାର୍ଯ୍ୟକ୍ରମ ଭାବେ ଗ୍ରହଣ କରି ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିଲେ। ସେମାନଙ୍କର ସହଯୋଗ ଓ ଆତିଥ୍ୟ ଏହି ଚାମ୍ପିୟନସିପ୍କୁ ଅଧିକ ସଫଳ ଓ ସ୍ମରଣୀୟ କରିଥିଲା।
ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ଏହି ଆୟୋଜନରେ ସହଯୋଗ କରିଥିବା ଗଜପତି ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ, ଚିକିତ୍ସା ଓ ମେଡିକାଲ୍ ଟିମ୍, ବିଭିନ୍ନ ସରକାରୀ ବିଭାଗ, ସ୍ଥାନୀୟ ଗ୍ରାମବାସୀ, ସ୍ୱେଚ୍ଛାସେବୀ ଏବଂ ସମସ୍ତ ସହଯୋଗୀଙ୍କୁ ହୃଦୟରୁ କୃତଜ୍ଞତା ପ୍ରଦାନ କରା ଯାଇଥିଲା ।
ସେହିପରି, ଏହି ଚାମ୍ପିୟନସିପ୍ରେ ଅଂଶଗ୍ରହଣ କରିଥିବା ସମସ୍ତ ସାଇକ୍ଲିଷ୍ଟ, କୋଚ୍, ମ୍ୟାନେଜର, ଟେକ୍ନିକାଲ୍ ଅଫିସିଆଲ୍, କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ମାନଙ୍କୁ ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ବିଶେଷ ଧନ୍ୟବାଦ ଅର୍ପଣ ଯାଇଥିଲା । ସେମାନଙ୍କର ନିଷ୍ଠା, ପରିଶ୍ରମ ଓ ସମର୍ପଣ ଯୋଗୁଁ ଏହି ଆୟୋଜନ ସଫଳତାର ସହ ସମାପ୍ତ ହେବାରେ ବିଶେଷ ସହାୟକ ହୋଇ ପାରିଥିବା କୁହାଯାଇଛି ।
—————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
—————————————–
