September 2, 2026

ଉମରକୋଟ କିଡନି ରୋଗରେ ଶଯ୍ୟାଶାୟୀ ସ୍ୱାମୀ, ପରିବାରର ବୋଝ ଉଠାଉଛନ୍ତି ସ୍ତ୍ରୀ ସ୍ୱାମୀଙ୍କ ଚିକିତ୍ସା, ଦୁଇ ପିଲାଙ୍କ ପାଠପଢ଼ା ସହ ଘରର ଦାୟିତ୍ୱ ସରକାରୀ ସହାୟତାକୁ ଅପେକ୍ଷା……

IMG-20260902-WA0022
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଯେଉଁ ବୟସରେ ସ୍ୱାମୀ-ସ୍ତ୍ରୀ ପରସ୍ପରର ସାହାରା ହୋଇ ପରିବାରର ସୁଖଦୁଃଖ ବାଣ୍ଟି ନେବା କଥା, ସେହି ସମୟରେ ଦୁରାରୋଗ୍ୟ କିଡନି ରୋଗ ଏକ ପରିବାରର ଜୀବନକୁ ଦୁଃଖ ଓ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛି। ସ୍ୱାମୀ ଦୀର୍ଘଦିନ ଧରି ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ। ରୋଜଗାର ବନ୍ଦ। ଏପଟେ ଚିକିତ୍ସା ଖର୍ଚ୍ଚ, ସେପଟେ ଦୁଇ ପିଲାଙ୍କ ପାଠପଢ଼ା ଓ ଘର ଚଳାଇବାର ଦାୟିତ୍ୱ। ଏସବୁ ଭାର ଏବେ ଏକାକୀ ନିଜ କାନ୍ଧରେ ନେଇ ସଂଘର୍ଷ କରୁଛନ୍ତି ସ୍ତ୍ରୀ। ଏଭଳି ଏକ ଅସହାୟ ପରିବାରର ଦୁଃଖଦ କାହାଣୀ ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲା ଉମରକୋଟ ସହରର ସନ୍ତୋଷୀନଗର ୯ ନମ୍ବର ୱାର୍ଡରୁ। ଏହି ପରିବାରର ସତ୍ୟନାରାୟଣ କୁଲଦୀପ SBI ଉମରକୋଟ ବ୍ୟାଙ୍କରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିଲେ। ନିଜ ରୋଜଗାରରେ ପରିବାର ଚଳାଇବା ସହ ଦୁଇ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ମଧ୍ୟ ବହନ କରୁଥିଲେ। ହେଲେ ପ୍ରାୟ ୧୦ ମାସ ହେଲା କିଡନି ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହେବା ପରେ ତାଙ୍କ ରୋଜଗାରର ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି। ସ୍ୱାମୀଙ୍କ ଚିକିତ୍ସା ପାଇଁ ପରିବାର ପକ୍ଷରୁ ଉମରକୋଟଠାରୁ ନବରଙ୍ଗପୁର, ଭବାନୀପାଟଣା ଓ ଧର୍ମଗଡ଼ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ଯାଇ ଚିକିତ୍ସା କରାଯାଇଛି। ଦୀର୍ଘଦିନର ଚିକିତ୍ସା ଓ ଔଷଧ ଖର୍ଚ୍ଚ ଯୋଗୁଁ ପରିବାରର ଆର୍ଥିକ ମେରୁଦଣ୍ଡ ଧୀରେ ଧୀରେ ଦୁର୍ବଳ ହୋଇପଡ଼ିଛି। ସ୍ୱାମୀଙ୍କ ରୋଗ ଯେତିକି ଯନ୍ତ୍ରଣାଦାୟକ, ତା’ଠାରୁ ଅଧିକ କଷ୍ଟକର ହୋଇଛି ପରିବାରର ଦାୟିତ୍ୱ ସମ୍ଭାଳିବା। ସ୍ୱାମୀଙ୍କ ଚିକିତ୍ସା, ଦୁଇ ପିଲାଙ୍କ ପାଠପଢ଼ା, ଘରର ଦୈନନ୍ଦିନ ଖର୍ଚ୍ଚ—ସବୁକିଛି ଏବେ ସତ୍ୟନାରାୟଣଙ୍କ ସ୍ତ୍ରୀ ଆରୋତି କୁଲଦୀପଙ୍କ ଉପରେ। ପରିବାରର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡ଼ିବା ପରେ ଆରୋତି ଏବେ ଏକ ଲୁଗା ଦୋକାନରେ କାମ କରୁଛନ୍ତି। ଦିନସାରା ପରିଶ୍ରମ କରି ଯେତିକି ରୋଜଗାର ହେଉଛି, ସେଥିରେ ଘର ଚଳାଇବା ସହ ସ୍ୱାମୀଙ୍କ ଔଷଧ ଓ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ତାଙ୍କ ପାଇଁ ଏକ ବଡ଼ ସଂଘର୍ଷ ପାଲଟିଛି। ଆରୋତିଙ୍କ ଜଣେ ଝିଅ ନବମ ଶ୍ରେଣୀରେ ଓ ଜଣେ ପୁଅ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ସକାଳୁ ଘରୁ ବାହାରି ଦୋକାନରେ କାମ କରିବା, ଦିନସାରା ପରିଶ୍ରମ କରି ପରିବାର ପାଇଁ ରୋଜଗାର କରିବା ଏବଂ ସନ୍ଧ୍ୟାରେ ଘରକୁ ଫେରି ଅସୁସ୍ଥ ସ୍ୱାମୀଙ୍କ ଯତ୍ନ ନେବା—ଆରୋତିଙ୍କ ଜୀବନ ଏବେ ଏହି ଦୈନନ୍ଦିନ ସଂଘର୍ଷରେ ସୀମିତ ହୋଇଯାଇଛି। କେତେବେଳେ ଘରର ମୁଖ୍ୟ ରୋଜଗାରକାରୀ ଥିବା ସ୍ୱାମୀ ଆଜି ଅସୁସ୍ଥ ହୋଇ ଅନ୍ୟର ସାହାରା ଖୋଜୁଛନ୍ତି। ଆଉ ଯେଉଁ ସ୍ତ୍ରୀ ଘର ସମ୍ଭାଳିବା ସହ ସ୍ୱାମୀ ଓ ପିଲାମାନଙ୍କ ଯତ୍ନ ନେଉଥିଲେ, ସେ ଆଜି ନିଜ ହାତରେ ପରିବାରର ଭାର ଉଠାଇଛନ୍ତି। ଅର୍ଥାଭାବ ମଧ୍ୟରେ ଆରୋତିଙ୍କ ଏହି ସଂଘର୍ଷ ଯେକୌଣସି ହୃଦୟକୁ ଭାବବିହ୍ୱଳ କରିଦେବ। ବର୍ତ୍ତମାନ ଅର୍ଥାଭାବ ଯୋଗୁଁ ଶତ୍ୟନାରାୟଣଙ୍କ ଚିକିତ୍ସା ଜାରି ରଖିବା ସହ ଦୁଇ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବା ପରିବାର ପାଇଁ କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥିତିରେ ପରିବାରଟି ସରକାରୀ ସହାୟତାକୁ ଆଶା କରି ବସିଛି। ସ୍ୱାମୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ସହ ଦୁଇ ପିଲାଙ୍କ ପାଠପଢ଼ା ପାଇଁ ସହଯୋଗ ମିଳିଲେ ଏହି ପରିବାର ଦୁର୍ଦ୍ଦିନରୁ କିଛି ମାତ୍ରାରେ ମୁକୁଳି ପାରିବ ବୋଲି ଆଶା କରାଯାଉଛି। ତେଣୁ ପରିବାରର ଦୟନୀୟ ସ୍ଥିତିକୁ ଗୁରୁତ୍ୱର ସହ ବିଚାର କରି ପ୍ରଶାସନ ଓ ସରକାର ସହାୟତାର ହାତ ବଢ଼ାଇବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।