ନିଜସ୍ୱ ଭତ୍ତା ଟଙ୍କାରୁ ସମାଜସେବା: ବନ୍ୟା ପ୍ରଭାବିତଙ୍କୁ ସହାୟତାର ହାତ ବଢ଼ାଇଲେ ଦିବ୍ୟାଙ୍ଗ ଶ୍ରୀକ୍ଷେତ୍ର
ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର): ନିଜସ୍ୱ ଭତ୍ତା ଟଙ୍କାରୁ କିଛି ଅର୍ଥ ସମାଜସେବା ପାଇଁ ବ୍ୟୟ କରି ମାନବିକତାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଦିବ୍ୟାଙ୍ଗ ଶ୍ରୀକ୍ଷେତ୍ର ସାହୁ।
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ହଳଦୀଡିହ ପଞ୍ଚାୟତର ନାଉବାଙ୍କ ନିକଟରେ ଖରସ୍ରୋତାର ଶାଖା ନଦୀ ନୂଆମାହାରାରେ ଘାଇ ସୃଷ୍ଟି ହେବା ଫଳରେ ବିଭିନ୍ନ ପଞ୍ଚାୟତରେ ବନ୍ୟା ପାଣି ମାଡ଼ିଯାଇଥିଲା। ଏଥିଯୋଗୁଁ ଅନେକ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା।ବନ୍ୟା ପରିସ୍ଥିତିରେ ଆଉଁରୀ ପଞ୍ଚାୟତ ଅନ୍ତର୍ଗତ ମାଟିଆକଣ ଗ୍ରାମର ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚିଥିଲେ ଦିବ୍ୟାଙ୍ଗ ଶ୍ରୀକ୍ଷେତ୍ର ସାହୁ। ନିଜସ୍ୱ ଭତ୍ତା ଟଙ୍କାରୁ ଖର୍ଚ୍ଚ କରି ସେ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏଥିସହ ଭୋକିଲା ଷଣ୍ଢକୁ ମଧ୍ୟ ଖାଦ୍ୟ ଦେଇ ମାନବିକତାର ପରିଚୟ ଦେଇଥିଲେ।ନିଜର ସୀମିତ ସାମର୍ଥ୍ୟ ମଧ୍ୟରେ ଅନ୍ୟର ଦୁଃଖ ସମୟରେ ସହଯୋଗର ହାତ ବଢ଼ାଇଥିବା ଶ୍ରୀକ୍ଷେତ୍ରଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ତାଙ୍କର ଏଭଳି ମାନବିକ ପଦକ୍ଷେପ ସମାଜ ପାଇଁ ଏକ ପ୍ରେରଣା ବୋଲି ମତ ପ୍ରକାଶ ପାଇଛି।
