ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ

ପାରଳାଖେମୁଣ୍ଡି,ତା. ୨୯.୦୮.୨୦୨୬
ମହାନ ହକି ଖେଳାଳି ତଥା ଭାରତୀୟ କ୍ରୀଡ଼ା ଜଗତର କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଦ୍ୱିତୀୟ ଦିନ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଯୋଗଦେଇଥିଲେ।
ଅତିଥିମାନେ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଅମର କ୍ରୀଡ଼ା ପ୍ରତିଭା ଓ ଦେଶ ପାଇଁ ଥିବା ଅବଦାନକୁ ସ୍ମରଣ କରିଥିଲେ। ଏଥିସହ ଉପସ୍ଥିତ କ୍ରୀଡ଼ାବିତ୍ ଓ ଅଂଶଗ୍ରହଣକାରୀମାନେ କ୍ରୀଡ଼ାର ମହତ୍ତ୍ୱ, ଶୃଙ୍ଖଳା, ନିଷ୍ଠା ଓ ଦଳଗତ ଭାବନା ସମ୍ପର୍କରେ ପ୍ରେରଣା ପାଇଥିଲେ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଭିନ୍ନ ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ହକି ମ୍ୟାଚ୍, କବାଡ଼ି, ବ୍ୟାଡମିଣ୍ଟନ, ମହିଳାମାନଙ୍କ ପାଇଁ ମ୍ୟୁଜିକାଲ ଚେୟାର ଏବଂ ଲେମ୍ବୁ-ଚାମଚ ପ୍ରତିଯୋଗିତା ଆଦି ଅନ୍ତର୍ଭୁକ୍ତ ଥିଲା। ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ କ୍ରୀଡ଼ାବିତ୍ ଓ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
ଏହିପରି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଜିଲ୍ଲାର ପ୍ରତିଭାବାନ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ଓ ଉତ୍ସାହ ସୃଷ୍ଟି କରିବା ଏବଂ ଆଗାମୀ ଦିନରେ କ୍ରୀଡ଼ା କ୍ଷେତ୍ରରେ ଅଧିକ ସଫଳତା ହାସଲ ପାଇଁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟ ରହିଥିଲା।
ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁଙ୍କ ସଂଯୋଜନାରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସର ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳିତ ହୋଇଥିଲା ।
