August 27, 2026

କଂକ୍ରିଟ ରାସ୍ତା ଓ ଡ୍ରେନ ଶୀଘ୍ର ନିର୍ମାଣ ପାଇଁ ବଳଭଦ୍ର ପଡା ବସ୍ତି ବାସୀଙ୍କ ଦାବି

IMG-20260827-WA0055
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ପଞ୍ଚାୟତ ଅଧିନସ୍ଥ ବଳଭଦ୍ର ପଡା ବସ୍ତି ବାସି, ବସ୍ତି ମଧ୍ୟରେ ରାସ୍ତା ଓ ଡ୍ରେନ ପାଇଁ ଦାବି ଜଣାଇଛନ୍ତି। କାଣିଗୁମା ପଞ୍ଚାୟତର ଏହି ବସ୍ତିରେ କେବଳ ମୁଖ୍ୟ ରାସ୍ତା ଛାଡି ବସ୍ତି ଭିତରେ ଦୀର୍ଘ ଦିନରୁ ରାସ୍ତା ସମସ୍ୟା ଲାଗି ରହିଥିବାବେଳେ, ବର୍ଷା ଦିନ ଆସିଲେ ବସ୍ତିରେ ଡ୍ରେନେଜ ବ୍ୟବସ୍ଥା ଆଦୌ ନଥିବାରୁ ନିକଟସ୍ଥ ପାହାଡ଼ରୁ ବର୍ଷା ଜଳ ଝରି ଆସି ଏହି ବସ୍ତି ମଧ୍ୟରେ ପ୍ରବେଶ କରିବା ସହ ବର୍ଷା ଜଳ ନିଷ୍କାସିତ ନହୋଇ ପାରୁଥିବା ଯୋଗୁଁ ବସ୍ତି ମଧ୍ୟରେ ଜମା ହୋଇ ରହୁଛି। ଏପରିକି ବର୍ଷା ଜଳ ଘର ଗୁଡିକ ଭିତରେ ମଧ୍ୟ ପଶି ଯାଉଛି। ଯାହାଫଳରେ ସମ୍ପୂର୍ଣ ବସ୍ତିଟି ପାଣି ଓ କାଦୁଅରେ ଭର୍ତ୍ତି ହୋଇ ରହୁଥିବା ଫଳରେ ବସ୍ତି ବାସି ଯାତାୟତ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାସ କରି ବୃଦ୍ଧ ବୃଦ୍ଧା ଓ ଛୋଟ ପିଲା ମାନେ ଯାତାୟତ କରିବା ବେଳେ ଅନେକ ସମୟରେ କାଦୁଅରେ ଗୋଡ଼ ଖସି ଯିବା ଯୋଗୁଁ ଆହତ ମଧ୍ୟ ହେଉଛନ୍ତି। ଏହି ଗୁରୁତର ସମସ୍ୟାକୁ ନେଇ ଗ୍ରାମବାସି ପ୍ରତିକ୍ରିୟାରେ ଜଣାଇଛନ୍ତି ଯେ’ ପାହାଡ଼ରୁ ଖସି ଆସୁଥିବା ବର୍ଷା ଜଳ ନିଷ୍କାସନ ପାଇଁ ସୁବ୍ୟବସ୍ଥିତ ଡ୍ରେନ ସହ ବସ୍ତି ମଧ୍ୟରେ କଂକ୍ରିଟ ରାସ୍ତା ନିର୍ମାଣ କରିବା ନେଇ ବସ୍ତି ବାସି ବାରମ୍ବାର ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଲିଖିତ ଭାବରେ ଦାବି ପତ୍ର ଦେବା ସତ୍ତ୍ୱେ ଏପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ। ତେଣୁ ବର୍ତ୍ତମାନ ପୁଣିଥରେ ବଳଭଦ୍ର ପଡା ବାସି ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଗଣମାଧ୍ୟମ ଜରିଆରେ ଜନ ପ୍ରତିନିଧି ତଥା ଜିଲ୍ଲା ପ୍ରଶାସନ ନିକଟରେ ଦୃଢ଼ ଦାବି ଜଣାଇଛନ୍ତି।