August 25, 2026

ଦାନ ଅର୍ଥରେ ଗୃହ ନିର୍ମାଣ କରି ବିଲ୍ କରିବା, ମସୁଧା ,ଗ୍ରାମବାସୀଙ୍କ ବିରୋଧ 

IMG-20260825-WA0062
Share

ବୋଲଗଡ଼,୨୫/୮(ସୁଶାନ୍ତ କୁମାର ପ୍ରଧାନ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବଡକୁମାରୀ ପଞ୍ଚାୟତ ସ୍ଥିତ କାଉଁରୀପାଟଣା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ଦୁଇ ବଖରା ଶ୍ରେଣୀ ଗୃହ ନିର୍ମାଣ ପରେ ଏହାର ସରକାରୀ ବିଲ୍ ପୈଠ ନେଇ ବିବାଦ ଉପୁଜିଛି।ସରକାରଙ୍କ ବିନା ନିର୍ଦ୍ଦେଶରେ ଜନୈକ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତି ବ୍ୟକ୍ତିଗତ ଭାବେ ନିଜସ୍ଵ ଅର୍ଥରେ ଏହି ଗୃହ ନିର୍ମାଣ କରି ଏବେ ଏନେଇ ସରକାରୀ ମଞ୍ଜୁରୀ ଅର୍ଥ ପ୍ରାପ୍ତ ହେବାକୁ ମସୁଧା କରୁଥିବା ଅଭିଯୋଗ ହେଉଛି ।ତେବେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତ ରେ ଏହି ନିର୍ମାଣକାର୍ଯ୍ୟ ଅତ୍ୟନ୍ତ ନିମ୍ନମାନ ହୋଇଥିବାବେଳେ ଏନେଇ ସରକାରୀ ବିଲ୍ ପୈଠ ନକରିବାକୁ ସ୍ଥାନୀୟ ପାନନଗର ଓ କାଉଁରୀପାଟଣା ଗ୍ରାମବାସୀ ମାନେ ସୋମବାର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ମଣ୍ଡଳ ଉନ୍ନୟନ ଅଧିକାରୀଣୀ ସୁମନ ସୁଧା କୁଣ୍ଡୁଙ୍କ ନିକଟରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ ଉକ୍ତ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ କାରଣରୁ ଗତ ୬ମାସ ତଳେ ଦୁଇଟି ଗୃହ ନିର୍ମାଣ ପାଇଁ ସରକାର ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ।ପ୍ରଶାସନିକ ସ୍ତରରେ ଏହା ସୁବିନିଯୋଗ ନିମନ୍ତେ ବ୍ଲକ କନିଷ୍ଠଯନ୍ତ୍ରୀ ଅକ୍ଷୟ କୁମାର ସାହୁ କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ଵ ପ୍ରାପ୍ତ ହୋଇଥିଲେ। ସେ ଏହି କାର୍ଯ୍ୟ ପରିଚାଳନା ପାଇଁ କାଉଁରୀପାଟଣା ଗ୍ରାମ ର ସର୍ଦ୍ଧାର ରହିମତ ଅଲ୍ଲୀଖାଁ ଙ୍କୁ ନିଯୁକ୍ତ କରି କାମ ଆରମ୍ଭ କରିବାକୁ ଢାଞ୍ଚା(ଲେ ଆଉଟ) ପ୍ରସ୍ତୁତ କରିବାକୁ ପହଞ୍ଚିଥିଲା ବେଳେ ସେଠାରେ ସ୍ଥାନୀୟ ସରପଞ୍ଚ ଓ କେତେକ ବିଦ୍ୟାଳୟ କମିଟି ସଦସ୍ୟ ଙ୍କ ଉପସ୍ଥିତିରେ ମିସ୍ତ୍ରୀ ଓ ଶ୍ରମିକମାନେ କାର୍ଯ୍ୟ କରୁଥିବା ଦେଖିଥିଲେ। ଏ ବାବଦରେ ପଚାରିବାରୁ ସରପଞ୍ଚ କହିଥିଲେଯେ ମୁଁ ନିଜସ୍ଵ ଅର୍ଥରେ ଏହି ନିର୍ମାଣକାର୍ଯ୍ୟ କରୁଛି ଏଥିପାଇଁ ସରକାରୀ ଅର୍ଥର ଆବଶ୍ୟକତା ନାହିଁ।ଫଳରେ ଯନ୍ତ୍ରୀ ଜଣକ ଫେରି ଏହା ବିଡ଼ିଓଙ୍କୁ ସୂଚନା ଦେଇଥିଲେ।ଏବେ ଏହି ନିର୍ମାଣ ବାବଦ ଅର୍ଥ ହାସଲ କରିବାକୁ ଉଦ୍ୟମ ହେଉଥିବା ସୂଚନା ପାଇ ସଂପୃକ୍ତ ଦୁଇ ଗ୍ରାମର କେତେକ ବାସିନ୍ଦା ଏହି ଅନୀୟମିତତା ର ତଦନ୍ତ କରି ସରକାରୀ ତହବିଲ କୁ ସୁରକ୍ଷା ପ୍ରଦାନ କରିବାକୁ ଦାବି କରିଛନ୍ତି। ବିଡ଼ିଓ ଏହାର ଆଇନ ଅନୁଯାୟୀ ତଦନ୍ତ କରି ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।