August 25, 2026

ଗୁରୁ ନିତ୍ୟାନନ୍ଦ ସେଠୀ ପରଲୋକ 

IMG-20260824-WA0059
Share

 

ସମ୍ବଲପୁର,୨୫।୮

ବିଶିଷ୍ଟ ସଙ୍ଗୀତଜ୍ଞ ଗୁରୁ ନିତ୍ୟାନନ୍ଦ ସେଠୀ ଙ୍କର ରବିବାର ରାତ୍ର ୮.୩୦ ଟାରେ ୬୫ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। କିଛି ସମୟ ହେବ ସେ କିଡନି ରୋଗରେ ପୀଡିତ ଥିଲେ। ଶ୍ରୀଯୁକ୍ତ ସେଟ୍ଟିି କେନ୍ଦ୍ରାପଡ଼ା ଜିଲ୍ଲାର ମୂଳ ବାସିନ୍ଦା ହୋଇଥିଲେ ସୁଦ୍ଧା ଦୀର୍ଘ ଚାଳିଶ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସମ୍ବଲପୁରରେ ସ୍ଥାୟୀ ବାସିନ୍ଦା ଭାବରେ ରହି ସଙ୍ଗୀତ ଶିକ୍ଷା ଦେଇ ଆସୁଥିଲେ। ସମ୍ୱଲପୁର କେନ୍ଦ୍ରୀୟ ବିଦ୍ୟାଳୟରେ ସଂଗୀତ ଶିକ୍ଷକ ଭାବରେ କାମ କରୁଥିଲେ। ପଶ୍ଚିମ ଓଡ଼ିଶାରେ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରାକୁ ବିଧିବଦ୍ଧ ଭାବରେ ବଞ୍ଚାଇ ରଖି ଅଗଣିତ ବିଦ୍ୟାର୍ଥୀ ସୃଷ୍ଟି କରିବାରେ ଶ୍ରୀଯୁକ୍ତ ସେଟ୍ଟି ଙ୍କ ଭୂମିକା ଉଲ୍ଲେଖନୀୟ । ଏତଦ୍ ବ୍ୟତୀତ ଲଘୁ ସଙ୍ଗୀତ, ଆଧୁନିକ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ସେ ସ୍ଵତନ୍ତ୍ର ପାରଦର୍ଶିତା ହାସଲ କରିଥିଲେ। ଆକାଶବାଣୀ , ଦୂରଦର୍ଶନ ର ଜଣେ ଉଚ୍ଚବର୍ଗର କଣ୍ଠଶିଳ୍ପୀ ଓ ସ୍ୱର ସଂଯୋଜକ ଭାବରେ ମଧ୍ୟ ସେ ନିଜର ଅଲିଭା ସ୍ୱାକ୍ଷର ଛାଡ଼ି ଯାଇଛନ୍ତି। ଭଜନ ଜଣାଣ ଛାନ୍ଦ ଓଡ଼ିଶୀ ଆଧୁନିକ ଗୀତ ଶାସ୍ତ୍ରୀୟ ସଙ୍ଗୀତ ଶିଖାଇବାରେ ଓ ଗାଇବାରେ ସେ ଜଣେ ଆଗଧାଡିର କଳାକାର ଥିଲେ। ଅଖିଳ ଭାରତୀୟ ଗାନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳ, ମୁମ୍ବାଇ ଦ୍ଵାରା ଆୟୋଜିତ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ପରୀକ୍ଷାରେ ଓଡ଼ିଶାର ବହୁ ପ୍ରାନ୍ତରେ ସେ ବହୁବାର୍ ନିରୀକ୍ଷକ ଭାବରେ ଦାୟିତ୍ଵ ନିର୍ବାହ କରିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ସେ କବରାପାଲି ର ଲୋକନାଟକ ଦଲରେ ମଧ୍ୟ ବହୁ ବର୍ଷ ସଙ୍ଗୀତ ସଂଯୋଜନା କରିଥିଲେ। ଶ୍ରୀଯୁକ୍ତ ନିତ୍ୟାନନ୍ଦ ସେଟ୍ଟି ଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶାର କଳା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି। ବହୁ କଳାକାର, ସମାଜସେବୀ, ସାଂସ୍କୃତିକ କର୍ମୀ , ବୁଦ୍ଧିଜୀବୀ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।ସମ୍ବଲପୁର ର ଘରୋଇ ଡାକ୍ତରଖାନାରେ ପରଲୋକ ପରେ ପୁରୀ ସ୍ୱର୍ଗଦ୍ୱାରରେ ସୋମବାର ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ଶୁଭେନ୍ଦୁ ସେଠୀ ମୁଖାଗ୍ନୀ ଦେଇଛନ୍ତି।