ପିଏମ୍ ଶ୍ରୀ କେନ୍ଦ୍ରୀୟ ପ୍ରଭାରୀ ରାଜୀବ ଶର୍ମାଙ୍କ ମାଲକାନଗିରି ଗସ୍ତ: ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଓ ଭିତ୍ତିଭୂମିର ସମୀକ୍ଷା*
*ମାଲକାନଗିରି,୨୪/୮/୨୬:*
ପିଏମ୍ ଶ୍ରୀ ସ୍କୁଲ ଯୋଜନାର କେନ୍ଦ୍ରୀୟ ପ୍ରଭାରୀ ତଥା ଭାରତ ସରକାରଙ୍କ ଯୁଗ୍ମ ସଚିବ ରାଜୀବ ଶର୍ମା ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ବିଦ୍ୟାଳୟଗୁଡ଼ିକର ଶିକ୍ଷାଗତ ଅଗ୍ରଗତି ଓ ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି।
ଗସ୍ତର ପ୍ରଥମ ଦିନରେ କେନ୍ଦ୍ରୀୟ ପ୍ରଭାରୀ ଶ୍ରୀ ଶର୍ମା, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସହ ମାଲକାନଗିରି ବ୍ଲକ୍ର ସିନ୍ଧ୍ରୀମାଲ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ କୋରୁକୋଣ୍ଡା ବ୍ଲକ୍ର ବାଲିମେଳା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ବିଦ୍ୟାଳୟର ସକ୍ଷମ କେନ୍ଦ୍ର, ଭାଷା କେନ୍ଦ୍ର, ଇ-ପାଠାଗାର, ବିଜ୍ଞାନାଗାର, ଖେଳ ପଡ଼ିଆ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଚାଲିଥିବା ପାଠପଢ଼ା କାର୍ଯ୍ୟକ୍ରମର ଅନୁଧ୍ୟାନ କରାଯାଇଥିଲା।
ପରିଦର୍ଶନ ଶେଷରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ସଭାପତିତ୍ୱ ଓ ପ୍ରତ୍ୟକ୍ଷ ପରିଚାଳନାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ ପିଏମ୍ ଶ୍ରୀ ଯୋଜନାର ସଫଳ କାର୍ଯ୍ୟକାରିତା, ପ୍ରଶାସନିକ ସହଯୋଗ ଏବଂ ଭିତ୍ତିଭୂମିର ବିକାଶ ସମ୍ପର୍କରେ କେନ୍ଦ୍ରୀୟ ପ୍ରଭାରୀଙ୍କୁ ବିଶେଷ ଭାବେ ଅବଗତ କରାଇବା ସହ ସମସ୍ତ ପିଏମ୍ ଶ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ କେନ୍ଦ୍ରୀୟ ପ୍ରଭାରୀ ଶ୍ରୀ ଶର୍ମା କହିଛନ୍ତି, ମାଲକାନଗିରି ଭଳି ପ୍ରାନ୍ତୀୟ ଜିଲ୍ଲାରେ ପିଏମ୍ ଶ୍ରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଓ ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟକାରିତା ବେଶ୍ ପ୍ରଶଂସନୀୟ। ଛାତ୍ରଛାତ୍ରୀଙ୍କ ଆଭ୍ୟନ୍ତରୀଣ ଦକ୍ଷତାର ବିକାଶ ଏବଂ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ଏହି ବିଦ୍ୟାଳୟଗୁଡ଼ିକ ଆଗାମୀ ଦିନରେ ଗୁଣାତ୍ମକ ଶିକ୍ଷାର ମାପଦଣ୍ଡ ସାଜିବ।
ଜିଲ୍ଲାରେ ଶିକ୍ଷାର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ନେଇ ଜିଲ୍ଲାପାଳ ପ୍ରକାଶ କରିଛନ୍ତି ଯେ, ପିଏମ୍ ଶ୍ରୀ ଯୋଜନା ମାଧ୍ୟମରେ ଜିଲ୍ଲାର ସରକାରୀ ବିଦ୍ୟାଳୟଗୁଡ଼ିକର କାୟାକଳ୍ପ ବଦଳିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଟି ବିଦ୍ୟାଳୟରେ ସମସ୍ତ ଆବଶ୍ୟକୀୟ ସୁବିଧାସୁଯୋଗ ଯୋଗାଇ ଦେବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀ ଯେପରି ଗୁଣାତ୍ମକ ଓ ଆଧୁନିକ ଶିକ୍ଷା ପାଇପାରିବେ, ସେଥିପାଇଁ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଓ ଭାଗିରଥୀ ବେହେରା, ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ ପିଏମ୍ ଶ୍ରୀ ବିଦ୍ୟାଳୟଗୁଡ଼ିକର ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ଥିଲେ।
