August 25, 2026

ଶେଷ ସୋମବାରରେ ବଂଶଧାରାରୁ ଜଳ ଉଠାଇ ଶିବ ମନ୍ଦିରରେ ଜଳାଭିଷେକ*

IMG-20260824-WA0044
Share

 

ଲାଞ୍ଜିଗଡ଼:ତା-୨୪/୦୮

(ପୁରନ୍ଦର ଦଣ୍ଡସେନା)

ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଲାଞ୍ଜିଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ଭକ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ପରିବେଶ। ଭୋରୁଠାରୁ ଶତାଧିକ କାଉଡ଼ିଆ ଭକ୍ତି ଓ ଶ୍ରଦ୍ଧାର ସହ ବଂଶଧାରା ନଦୀ କୂଳରେ ପହଞ୍ଚି ଜଳ ସଂଗ୍ରହ କରିଥିଲେ।

ପାରମ୍ପରିକ ରୀତିନୀତି ଅନୁସାରେ କାଉଡ଼ିଆମାନେ ବଂଶଧାରା ନଦୀର ପବିତ୍ର ଜଳ ଉଠାଇ କାଉଡ଼ିରେ ବହନ କରି ଲାଞ୍ଜିଗଡ଼ ଶିବ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ମୁହଁରେ ‘ହର ହର ମହାଦେବ’ ଓ ‘ବୋଲବମ୍’ ଧ୍ୱନି ସହ ଭକ୍ତମାନଙ୍କ ଏହି ଯାତ୍ରାରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।

ଏହି ପବିତ୍ର ଯାତ୍ରାରେ କେବଳ ପୁରୁଷ ନୁହେଁ, ବହୁ ସଂଖ୍ୟାରେ ମହିଳା ଭକ୍ତମାନେ ମଧ୍ୟ ସାମିଲ ହୋଇଥିଲେ। ମହିଳା ମାନେ ଶ୍ରଦ୍ଧାର ସହ ଜଳ ବହନ କରି କାଉଡ଼ିଆ ଙ୍କ ପାଦରେ ଜଳ ଢ଼ାଳି ଥିଲେ।

ମନ୍ଦିରରେ ପହଞ୍ଚିବା ପରେ କାଉଡ଼ିଆମାନେ ମହାଦେବଙ୍କ ଶିବଲିଙ୍ଗ ଉପରେ ବଂଶଧାରା ନଦୀରୁ ଆଣିଥିବା ପବିତ୍ର ଜଳ ଢାଳି ଜଳାଭିଷେକ କରିଥିଲେ। ମହାଦେବଙ୍କ ଦର୍ଶନ କରି ଭକ୍ତମାନେ ନିଜ ପରିବାର ଓ ସମାଜର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।

ଶେଷ ସୋମବାର ହୋଇଥିବାରୁ ଲାଞ୍ଜିଗଡ଼ ଶିବ ମନ୍ଦିରରେ ମଧ୍ୟ ସକାଳୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଘଣ୍ଟି ଓ ଶଙ୍ଖ ଧ୍ୱନି ଓ ପାରମ୍ପରିକ ବାଦ୍ୟ ସାଙ୍ଗକୁ ‘ହର ହର ମହାଦେବ’ ଓ ‘ବୋଲବମ୍’ ନାରାରେ ମନ୍ଦିର ପରିସର ଗୁଞ୍ଜରିତ ହୋଇଥିଲା।

ଶ୍ରାବଣ ମାସରେ ଶିବଙ୍କ ଉପାସନାର ଏହି ପରମ୍ପରା କେବଳ ଧାର୍ମିକ ଆସ୍ଥା ନୁହେଁ, ବରଂ ଗ୍ରାମୀଣ ସମାଜର ଏକତା, ଭାଇଚାରା ଓ ସାମୂହିକ ଭକ୍ତିର ଏକ ସୁନ୍ଦର ଉଦାହରଣ ମଧ୍ୟ ପ୍ରଦାନ କରିଛି।

ବଂଶଧାରା ନଦୀରୁ ପବିତ୍ର ଜଳ ଉଠାଇ ମହାଦେବଙ୍କ ନିକଟରେ ଅର୍ପଣ କରିବା ସହ ଶେଷ ହୋଇଛି ଚଳିତ ଶ୍ରାବଣ ମାସର ଶେଷ ସୋମବାର କାଉଡ଼ିଆ ଯାତ୍ରା। ଭକ୍ତମାନଙ୍କ ମୁହଁରେ ଥିଲା ଭକ୍ତି, ମନରେ ଥିଲା ମହାଦେବଙ୍କ ପ୍ରତି ଅଗାଧ ବିଶ୍ୱାସ। ଆସନ୍ତା ଗୁରୁବାର ଦିନ କାଉଡିଆଙ୍କ ସଂକଳ୍ପ ଶେଷ ହେବ ବୋଲି ସୂଚନା ମିଳିଛି।

 

*ଲାଞ୍ଜିଗଡ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର*