ପାଲା ଜଗତର ଦୁଇ କିମ୍ବଦନ୍ତୀ ପ୍ରତିଭାଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ
ଭୁବନେଶ୍ୱର( ଦେବାଶିଷ ଦାଶ )
ଓଡ଼ିଶା ପାଲା ଜଗତର ଦୁଇ ଅମ୍ଳାନ ପ୍ରତିଭା ତଥା କିମ୍ବଦନ୍ତୀ ପାଲାକାର ‘ଗାୟକ ସମ୍ରାଟ’ ଅଭୟ ଚରଣ ସ୍ୱାଇଁ ଏବଂ ‘ଗାୟକ ଶେଖର’ ଜଗନ୍ନାଥ ବେହେରାଙ୍କ ଉଦ୍ଦେଶ୍ୟରେ ଏକ ଭବ୍ୟ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମା’ ମଙ୍ଗଳା ସାଂସ୍କୃତିକ ପାଲା ଅନୁଷ୍ଠାନ ପକ୍ଷରୁ ମା’ ମଙ୍ଗଳା ପୀଠ ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଭାରେ ଉପସ୍ଥିତ ଅଞ୍ଚଳର ବହୁ ପାଲାପ୍ରେମୀ, ବୁଦ୍ଧିଜୀବୀ ଓ ସାଂସ୍କୃତିକ ପ୍ରତିନିଧି ଦିବଙ୍ଗତ ମହାନ ସାଧକ ଦ୍ୱୟଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଗାୟକ ଶେଖର ଜଗନ୍ନାଥ ବେହେରା (୦୮ ଜୁଲାଇ ୧୯୨୬ – ୦୨ ଅଗଷ୍ଟ ୨୦୨୬): ବଳିଷ୍ଠ କଣ୍ଠସ୍ୱର, ଶାସ୍ତ୍ରୀୟ ଜ୍ଞାନ ଓ ଅନନ୍ୟ ପାଲା ଗାୟନ ଶୈଳୀ ପାଇଁ ସମଗ୍ର ଓଡ଼ିଶାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଗାୟକ ସମ୍ରାଟ ଅଭୟ ଚରଣ ସ୍ୱାଇଁ (୦୪ ଜୁନ ୧୯୩୪ – ୨୫ ଜୁଲାଇ ୨୦୨୬): ଓଡ଼ିଆ ପାଲା ସଂସ୍କୃତିକୁ ଲୋକପ୍ରିୟ ତଥା ରୁଚିପୂର୍ଣ୍ଣ କରିବାରେ ତାଙ୍କର ଅବଦାନ ଚିର ଅବିସ୍ମରଣୀୟ।
ଏହି ଦୁଇ ବିଶିଷ୍ଟ କଳାକାରଙ୍କ ବିୟୋଗ ଓଡ଼ିଶାର ଲୋକକଳା ତଥା ପାଲା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ମା’ ମଙ୍ଗଳା ସାଂସ୍କୃତିକ ପାଲା ପରିଷଦ ସଭାପତି ଶଶାଙ୍କ ଶେଖର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସମ୍ପାଦକ ପ୍ରମୋଦ ପାତ୍ର, ମା’ ମଙ୍ଗଳା ଶାନ୍ତି କମିଟି ସଭାପତି ଲିଙ୍ଗରାଜ ପାତ୍ର, ବିଶିଷ୍ଟ ପାଲା ଗାୟକ ରବୀନ୍ଦ୍ର ବରିଷଲ୍ୟ, ଗାୟକ ଯୁଧିଷ୍ଠିର ପରିଜା, ଗାୟକ ସୁଦର୍ଶନ ମହାପାତ୍ର ଓ ଗାୟକ ଶରତ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପାଲା କମିଟି ସଦସ୍ୟ ମଧୁସୂଦନ କାଳିଆ, ସତ୍ୟାନନ୍ଦ ରାଉଳ, ତ୍ରିନାଥ ବେହେରାଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
