October 3, 2026

ଆମ୍ବପଡା-ଖପ୍ରାମାଲ ରାସ୍ତା ଅବସ୍ଥା ଶୋଚନୀୟ। ଶୀଘ୍ର ନିର୍ମାଣ ଦାବି..

IMG-20260818-WA0030
Share

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ ଅନ୍ତର୍ଗତ ମୂଷାପାଲି ପଞ୍ଚାୟତ ଅଧିନସ୍ଥ ଖପ୍ରାମାଲ ଗ୍ରାମ ଠାରୁ ଆମ୍ବପଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଅଛି। ଅନେକ ବର୍ଷ ତଳେ ମେଟାଲ ଓ ମୋରମ ପଡି ତିଆରି ହୋଇଥିବା ରାସ୍ତାଟି ପକ୍କା ହେବା ଦୂରର କଥା ମୋରମ ମଧ୍ୟ ଆଜି ପର୍ଯ୍ୟନ୍ତ ପଞ୍ଚାୟତ ତରଫରୁ ପଡି ପାରିନାହିଁ। ଯାହାଫଳରେ ଆମ୍ବପଡା ଗାଁ ଠାରୁ ଖପ୍ରାମାଲ ଗାଁ ପର୍ଯ୍ୟନ୍ତ ପ୍ରାୟ ଦୁଇ କି.ମି ରାସ୍ତାଟି ଅଣଓସାରିଆ ହେବାସହ ମେଟାଲ ଗୁଡିକ ଉପରକୁ ଉଠିଆସି ସମ୍ପୂର୍ଣ ରାସ୍ତାଟି ବଡ ବଡ଼ ଖାଲ ଖମାରରେ ପୂର୍ଣ୍ଣ ହୋଇରହିଛି। ଏଥିଯୋଗୁଁ ଆମ୍ବପଡା ଗାଁ ଲୋକେ ଦୈନନ୍ଦିନ କାର୍ଯ୍ୟରେ ଯାତାୟତ କରିବାପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ, ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ରାସ୍ତା ତିଆରି ପାଇଁ ଦାବି ସତ୍ତ୍ୱେ ସ୍ଥାନୀୟ ପଞ୍ଚାୟତ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ତିଳେମାତ୍ର ଦୃଷ୍ଟି ନଦେବା ନେଇ ଗ୍ରାମବାସୀ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଜଣାଇଛନ୍ତି ଯେ’ ମୁଖ୍ୟ ରାସ୍ତା ସମେତ ଗାଁ ମଧ୍ୟରେ ମଧ୍ୟ ରାସ୍ତା ଗୁଡିକର ଅବସ୍ଥା ସାଂଘାତିକ।ଏହାଛଡା ଏହି ଗାଁରେ ପ୍ରାୟ ଚାଳିଶ ପରିବାର ବସବାସ କରୁଥିବାବେଳେ, ଜନସଂଖ୍ୟା ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ହେବା ସତ୍ତ୍ୱେ ଏହି ଗାଁ ରେ ଆଜିପର୍ଯ୍ୟନ୍ତ ଏକ ପ୍ରାଥମିକ ବିଦ୍ୟାଳୟ ନିର୍ମିତ ନହୋଇପାରିବା ଯୋଗୁଁ ଛୋଟ ଛୋଟ ପିଲାମାନେ ପ୍ରାଥମିକ ଶିକ୍ଷା ପାଇଁ ଏହି ରାସ୍ତା ଦେଇ ବଡ଼ କଷ୍ଟରେ ଖପ୍ରାମାଲ ଗ୍ରାମକୁ ଯାଇଥାନ୍ତି। କିନ୍ତୁ ବର୍ଷା ଦିନ ଆସିଲେ ପିଲାଙ୍କ ପାଠ ପଢା ସମ୍ପୂର୍ଣ ଠପ ହୋଇଯାଏ। ଏହି ସମସ୍ୟାକୁ ନେଇ ବର୍ତ୍ତମାନ ଗ୍ରାମବାସୀ ପୁଣି ଥରେ ଦାବି ଉଠାଇଛନ୍ତି ଯେ’ ଅତି ଶୀଘ୍ର ଆମ୍ବପଡା ଠାରୁ ଖପ୍ରାମାଲ ଗ୍ରାମ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ତଥା ଆମ୍ବପଡା ଠାରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଉ।